ତିତ୍‍ଲି କ୍ଷୟକ୍ଷତି : ୨.୭୩ଲକ୍ଷ ହେକ୍ଟର ଚାଷଜମିର ଫସଲ ନଷ୍ଟ,୭ ଦିନରେ ଚାଷୀଙ୍କୁ ରିଆତି

0

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ ଦେଖାଦେଇଥିବା ତିତ୍‍ଲି ବାତ୍ୟା ଓ ପରେ ବନ୍ୟା ଯୋଗୁଁ ରାଜ୍ୟର ତିନୋଟି ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଗଜପତି ଓ ଗଞ୍ଜାମ ଜିଲା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ପୀଡ଼ିତମାନଙ୍କୁ ଉଦ୍ଧାର କରିବା ସହିତ ରାସ୍ତାଘାଟର ପୁନରୁଦ୍ଧାର, ବିଦ୍ୟୁତ୍‍ ଯୋଗାଣ ଓ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାପାଇଁ ସରକାରଙ୍କ ପକ୍ଷରୁ ଜୋରସୋର ଉଦ୍ୟମ ଚାଲିଛି। ବନ୍ୟା, ବାତ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୬୧କୁ ଛୁଇଁଛି। ଏବେ ବି ୧୧ଜଣ ବ୍ୟକ୍ତି ନିଖୋଜ ଅଛନ୍ତି, ସେଥିମଧ୍ୟରୁ ୩ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ଦୁର୍ଗତ ଓ ବାତ୍ୟ ପ୍ରପୀଡ଼ିତଙ୍କ ପାଖରେ ସବୁ ପ୍ରକାର ସହାୟତା ସାଙ୍ଗକୁ ଖାଦ୍ୟ ପ୍ୟାକେଟ ପହଞ୍ଚା ଯାଉଛି। ତେବେ ଏହି ବନ୍ୟା ଓ ବାତ୍ୟ
ଯୋଗୁଁ ଗଞ୍ଜାମ ଜିଲାରେ ସର୍ବାଧିକ ଫସଲ ଜମି ନଷ୍ଟ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରାଥମିକ ଭାବେ ସ୍ୱଚକ୍ଷୁରେ ଆକଳନ କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୧.୯୮ଲକ୍ଷ ହେକ୍ଟର ଜମିରେ ଧାନ ଏବଂ ୭୫ହଜାର ୩୪୮ ହେକ୍ଟର ଫସଲ ଜମି ନଷ୍ଟ ହୋଇଛି। ସମୁଦାୟ ୨.୭୩ଲକ୍ଷ ହେକ୍ଟର ଜମିରେ ନଷ୍ଟ ହୋଇଥିବା ଫସଲକୁ ପୁନଶ୍ଚ ଆକଳନ କରାଯିବା ସହିତ ଯାଞ୍ଚ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଇନ୍‍ପୁଟ୍‍ ରିଆତି ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।
ଶନିବାର ସଚିବାଳୟରେ ତିତ୍‍ଲି କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ପୂର୍ବରୁ କେବଳ ଗଜପତି ଜିଲାରେ ୩୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ୧୨ଜଣ, କନ୍ଧମାଳରେ ୨ ଜଣ ଏବଂ ନୟାଗଡ, କେନ୍ଦୁଝର ଓ ଅନୁଗୋଳରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ। ତେବେ ନିଖୋଜଙ୍କ ମଧ୍ୟରୁ ଆଉ ୪ଜଣଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍‍ ଯୋଗେ ପ୍ରଦାନ କରାଯାଉଛି। ଚାରି ଜିଲାର କ୍ଷୟକ୍ଷତି ସମ୍ପର୍କରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ଯଦି କେନ୍ଦ୍ରୀୟ ଟିମ୍‍ ଏହାକୁ ପୁନଃ ଯାଞ୍ଚ ପାଇଁ ଆସିବେ ତେବେ ଭଲ କଥା, ନଚେତ୍‍ ଜିଲା ପ୍ରଶାସନ ପକ୍ଷରୁ ପୁଣିଥରେ କ୍ଷୟକ୍ଷତି ଓ ସଂପୃକ୍ତ ପରିବାରକୁ ଚିହ୍ନଟ କରାଯାଇ ସହାୟତା ଅର୍ଥରାଶି ବଣ୍ଟନ କରାଯିବ।
ଶ୍ରୀ ପାଢ଼ୀ କହିଛନ୍ତି ଯେ ତିତ୍‍ଲି ପରବର୍ତ୍ତୀ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତତ୍ପରତା ଯୋଗୁଁ ଏହାକୁ ଅତି କମ୍‍ ଦିନ ମଧ୍ୟରେ ଆୟତ୍ତକୁ ଅଣାଯାଇ ପାରିଛି। ସୋରଡାରୁ ଗାଜଲବାଡି ରାସ୍ତା ତଥା ଜାତୀୟରାଜପଥର ରାୟପୁରରୁ ଗୋପାଳପୁର ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ଯାଇଥିବାରୁ ଉକ୍ତ ରାସ୍ତା କାର୍ଯ୍ୟ ନିର୍ମାଣ ବିଳମ୍ବ ହେଉଛି। ଏହାବାଦ୍‍ ସଡ଼କ ଗମନାଗମନ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ଗ୍ରାମାଞ୍ଚଳରେ ପ୍ରଭାବିତ ହୋଇଥିବା ୫୭୦ଟି ରାସ୍ତା ମଧ୍ୟରୁ ୫୫୭ଟିରେ ଗମନାଗମନ ସ୍ୱଭାବିକ ହୋଇଛି। ସବୁ ସହରାଞ୍ଚଳରେ ପାନୀୟଜଳ ପ୍ରକଳ୍ପ ଠିକ୍‍ କରାଯାଇଛି, କିନ୍ତୁ ଗ୍ରାମାଞ୍ଚଳରେ ୬୬୨ଟି ପ୍ରକଳ୍ପ ମଧ୍ୟରୁ ୫୪୬ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି। ଇତିମଧ୍ୟରେ ୧୬୫୫୭ଟି ନଳକୂପକୁ ବିଶୋଧନ ଓ କାର୍ଯ୍ୟକ୍ଷମ କରାଯାଇଛି।
ଶକ୍ତି ବିଭାଗ ପକ୍ଷରୁ ୯ଲକ୍ଷ ୩୯ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୮.୮୦ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‍ ଯୋଗାଣ ହୋଇଛି। ଇତିମଧ୍ୟରେ ଗଞ୍ଜାମ, କନ୍ଧମାଳ, ରାୟଗଡାରେ ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଜୁଳି ପହଞ୍ଚାଯାଇଛି। ମାତ୍ର ଗଜପତିରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବାରୁ ୧.୨୦ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୬୦ହଜାରଙ୍କୁ ବିଦ୍ୟୁତ୍‍ ସେବା ଯୋଗାଇ ଦିଆଯାଇଛି ବୋଲି ସଚିବ ହେମନ୍ତ ଶର୍ମା କହିଛନ୍ତି। ଅବଶିଷ୍ଟ ପରିବାରଙ୍କ ମଧ୍ୟରୁ ଆଉ ୪୦ହଜାର ଉପଭୋକ୍ତାଙ୍କୁ ଆସନ୍ତା ୨ଦିନ ମଧ୍ୟରେ ବିଜୁଳି ଯୋଗାଇ ଦିଆଯିବ। ସେହିପରି ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୮୫ଟି ଗ୍ରାମ୍ୟମାଣ ଟିମ୍‍ କାର୍ଯ୍ୟରତ ଅଛନ୍ତି ଏବଂ ୧୯୩ଟି ମେଡିକାଲ ରିଲିଫ୍‍ କ୍ୟାମ୍ପ ଖୋଲାଯାଇଛି। ୨୫୨ଜଣ ଆସନ୍ନ ପ୍ରସବା ମା’ମାନଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ଯତ୍ନ ନିଆଯାଉଛି। ପଶୁ ଚିକିତ୍ସା ପାଇଁ ୭୩ଟି ତୁରନ୍ତ ସହାୟକ ମୋବାଇଲ ଭେଟେରନାରୀ ୟୁନିଟ୍‍ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧୧୦ଟି ପଶୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ୪୭୬ଟନ୍‍ ପଶୁଖାଦ୍ୟ ବଣ୍ଟନ କରାଯାଇଛି ବୋଲି ପଶୁ ସମ୍ପଦ ବିଭାଗ ସଚିବ ବିଶାଳ ଗଗନ କହିଛନ୍ତି।
ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିଶନର ଗଗନ ଧଳ,ରାଜସ୍ୱ ବିଭାଗ ସଚିବ ଡ. ଚନ୍ଦ୍ରଶେଖର କୁମାର, ଏସ୍‍ଆର୍‍ସି ବିଷ୍ଣୁପଦ ସେଠୀ, ଗ୍ରାମ୍ୟ ଉନ୍ନୟନ ସଚିବ ଡ. ମୋନା ଶର୍ମାଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ତିତ୍‍ଲି ଏବଂ ପରବର୍ତ୍ତୀ ବନ୍ୟା ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ରାଜ୍ୟ ସରକାର ଇନ୍‍ପୁଟ ରିଆତି ଯୋଗାଇଦେବେ। ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। କ୍ଷେତ୍ର ଅନୁଧ୍ୟାନ କରି ଏ ସଂକ୍ରାନ୍ତରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଏସଆରସି ଜିଲାପାଳମାନଙ୍କୁ ନିର୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ଟଙ୍କା ପ୍ରଦାନ କରାଯିବ। ସର୍ବାଧିକ ୨ହେକ୍ଟର ଜମି ପାଇଁ ରିଆତି ପ୍ରଦାନ କରାଯିବ।
ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯୟ ମୁକାବିଲା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପ୍ରଦାନ ପାଇଁ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ସହାୟତା ରାଶି ପ୍ରଦାନ ନିମନ୍ତେ ଏସଆରସି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମାଛ ଚାଷ ହେଉଥିବା ଫାର୍ମ, ମାଛ ଧରା ଡ଼ଙ୍ଗା, ଜାଲ ମରାମତି, ଗୋଖାଦ୍ୟ ଯୋଗାଣ, ପ୍ରାଣୀ ଚିକିତ୍ସା ଶିବିର ବାବଦରେ ଆବଶ୍ୟକ ସହାୟତା ରାଶି ପ୍ରଦାନ ପାଇଁ କୁହାଯାଇଛି।

Leave A Reply