ତିତ୍‍ଲି ମୁକାବିଲା : ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

0

ଭୁବନେଶ୍ୱର : ବାତ୍ୟା ତିତ୍‍ଲି ମୁକାବିଲା ଦିଗରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡ଼ିଏମଏ) ଏହାର ନଭେମ୍ବର ସଂସ୍କରଣ ଆପଦ ସମ୍ବାଦର କଭର ଷ୍ଟୋରୀରେ ପ୍ରଶଂସା କରିଛି। ବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ସଫଳତା ସଂକ୍ରାନ୍ତରେ ଏଥିରେ ଏକ ଆଲେଖ୍ୟ ପ୍ରକାଶ ପାଇଛି।


ସୂଚନାଯୋଗ୍ୟ ଯେ ବାତ୍ୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିଲେ। ସାରା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାକ ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। ତଥାପି ଏହି ପ୍ରସ୍ତୁତି ଓ ମୁକାବିଲାରେ ସରକାର ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳ ସମାଲୋଚନା କରିଥିଲେ। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏନଡ଼ିଏମଏ(ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଓଡ଼ିଶାର ଏହି କାର୍ଯ୍ୟକୁ ପ୍ରଶଂସା କରିବା ରାଜ୍ୟ ସରକାରଙ୍କ ଦକ୍ଷତାକୁ ପ୍ରମାଣ କରୁଛି।
ପତ୍ରିକାର ନଭେମ୍ବର ସଂଖ୍ୟାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆରବ ସାଗରରେ ‘ଲୁବାନ’ ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ତିତ୍‍ଲି’ ଏହାର ପ୍ରକୋପ ବିସ୍ତାର କରିଥିଲା। ୧୪୯କିମି ବେଗରେ ପବନ ଓଡ଼ିଶା ଭିତରକୁ ମାଡ଼ିଆସିବା ସହିତ ପ୍ରବଳ ବର୍ଷା ଓ ଏକ ମିଟର ଉଚ୍ଚତାର ଜୁଆର ସତ୍ତ୍ବେ ପ୍ରଶାସନର ଠିକଣା ମୁକାବିଲା ଦ୍ୱାରା ଏହାର କ୍ଷୟକ୍ଷତିକୁ ରୋକାଯାଇପାରିଛି। ବାତ୍ୟାର ତୀବ୍ରତା ଭୟଙ୍କର ଥିବା ସତ୍ତ୍ବେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିପାରିଛି। ଜିରୋ କାଜୁଆଲିଟି ଲକ୍ଷ୍ୟରେ ରାଜ୍ୟ ସରକାର ଉପକୂଳ ଜିଲା ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାର ଖାଲୁଆ ଅଞ୍ଚଳରୁ ୩୦ ଲକ୍ଷ ଲୋକଙ୍କୁ ସରକାର ସ୍ଥାନାନ୍ତରଣ କରିଥିଲେ। ଅକ୍ଟୋବର ୧୧ ଓ ୧୨ରେ ଦୁଇଦିନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଥିଲା। ଖୋର୍ଦ୍ଧା ରୋଡ଼ ବିଶାଖାପାଟଣା ରୁଟରେ ରେଳ ଚଳାଚଳ ବାତିଲ କରାଯାଇଥିଲା। ଜିଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରଖାଯିବା ସହିତ କଣ୍ଟ୍ରୋଲ ରୁମ ପ୍ରସ୍ତୁତ ରଖାଯାଇଥିଲା। ଆଇଏମଡ଼ି ନିର୍ଭୁଲ ଭାବେ ଆଗୁଆ ଆକଳନ କରିବା ଦ୍ୱାରା ସରକାର ସୀମିତ ସମୟ ଭିତରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତିରେ ସଫଳ ହୋଇଥିଲେ। ସରକାରଙ୍କ ବିଭିନ୍ନ ସଂସ୍ଥା ଉଦ୍ଧାର, ରିଲିଫ ଓ ସହାୟତା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଖୁବ୍‍ ସ୍ୱଳ୍ପ ସମୟରେ ସ୍ଥିତି ସ୍ୱାଭାବିକ ହୋଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଏନଡ଼ିଏମଏ, ଏନଡ଼ିଆରଏଫ ଓ ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର କ୍ୟାବିନେଟ ସଚିବ ପି.କେ.ସିହ୍ନା ତିତଲି ନେଇ ଏନସିଏମସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତିତଲିରେ ମୋଟ ୯୩ଜଣ ପ୍ରାଣ ହରାଇଥିବାବେଳେ ୭୭ଜଣ ଥିଲେ ଓଡ଼ିଶାର। ଗଜପତିରୁ ୫୨, ଗଞ୍ଜାମରୁ ୧୯, କନ୍ଧମାଳରୁ ୨, କେନ୍ଦୁଝର, ନୟାଗଡ଼, ଅନୁଗୋଳ ଓ କଟକରୁ ଜଣେ ଲେଖାଏଁ ଏହି ତାଲିକାରେ ଅଛନ୍ତି। ପ୍ରାୟ ୬୦ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ସଫଳ ମୁକାବିଲା ଯୋଗୁଁ ଏହି ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଥିଲା ବୋଲି ଏଥିରେ ଉଲ୍ଲେଖ ରହିଛି।

Leave A Reply