ତିତିଲ ସହାୟତା ଅର୍ଥ ଆତ୍ମସାତ ଅଭିଯୋଗ ; ଗ୍ରାହକ ସେବା କେନ୍ଦ୍ର ସଂଯୋଜକ ଗିରଫ

0

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗାଁର ତିତିଲି ବାତ୍ୟାରେ ଜଣେ ହିତାଧିକାରୀଙ୍କୁ ମିଳିଥିବା ସରକାରୀ ସହୟତା ଅର୍ଥକୁ ଜଣେ ଅଭିଯୁକ୍ତ ପ୍ରଲୋଭନ ଦେଖାଇ ଟଙ୍କା ହଡପ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଚାନ୍ଦିପୁଟ ସ୍ଥିତ ଗ୍ରାହକ ସେବାକେନ୍ଦ୍ର ସଂଯୋଜକ କେ.ପ୍ରମୋଦ କୁମାର ଦୋରା। ଅଭିଯୁକ୍ତ ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତରେ ମାଣିକପୁର ଗ୍ରାମର ଲୋଚନ ଦଳାଇଙ୍କୁ ବାତ୍ୟା ସହାୟତା ଅର୍ଥ କରାଇଦେବି ବୋଲି ତାଙ୍କଠାରୁ ବ୍ୟାଙ୍କ ପାସବୁକ୍‍, ଏଟିଏମ ଓ ସମସ୍ତ ପ୍ରମାଣ ପତ୍ରର ନକଲି ମାଗି ନେଇଥିଲେ। ତହସିଲ ପକ୍ଷରୁ ଲୋଚନ ଦଳାଇଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ୧୯ ହଜାର ଟଙ୍କା ସରକାରୀ ସହାୟତା ଆସିବା ପରେ ସଂପୃକ୍ତ ଅଭିଯୁକ୍ତ ଜଣକ ସେହି ଟଙ୍କା କିସ୍ତି ଆକାରରେ ନିଜ ଖାତାକୁ ଟ୍ରାନସଫର କରିନେଇଥିଲା। ତେବେ ଲୋଚନଙ୍କ ଝିଅ ସ୍ୱପ୍ନା ଦଳାଇ ବ୍ୟାଙ୍କ ଖାତା ଖୋଜିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ପରେ ସେ ବ୍ୟାଙ୍କ ଖାତାକୁ ଅପଡେଟ କରିବାପରେ ଟଙ୍କା ଅଭିଯୁକ୍ତ ଖାତାକୁ ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ତହସିଲଦାରଙ୍କୁ ଜଣାଇବାରୁ ତହସିଲଦାର କହିଥିଲେ ତମ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଛି। ଏ ବିଷୟରେ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ବିଭିନ୍ନ ଧମକ ଚମକ ଦେଇଥିବା ଜଣାପଡିଛି। ଶେଷରେ ବାଧ୍ୟହୋଇ ଲୋଚନର ଝିଅ ସ୍ୱପ୍ନା ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାକୁ ନେଇ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୋହନା ଏସବିଆଇ ବ୍ରାଞ୍ଚକୁ ଯାଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଥିଲେ କିଛିଦିନ ଉକ୍ତ ଅଭିଯୁକ୍ତ ହିତାଧିକାରୀଙ୍କଠାରୁ ବ୍ଲାଙ୍କ ଦସ୍ତଖତ କରି ତାଙ୍କ ଅର୍ଥକୁ ନିଜନାମରେ ଟ୍ରାନସଫର କରିଦେବା ପାଇଁ କହିଥିଲେ। ଏନେଇ ମୋହନା ଥାନାରେ କେସ ନଂ ୧୩୬/୧୮ରେ ରୁଜୁକରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉକି ତିତିଲି କ୍ଷୟ କ୍ଷତିର ଅର୍ଥ କରାଇଦେବା ନାରେ ସଂପୃକ୍ତ ଅଭିଯୁକ୍ତ ବିଭିନ୍ନ କ୍ଷତିଗ୍ରସ୍ତ ପରିବାରଙ୍କ ଠାରୁ ଅର୍ଥ ଆଦାୟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

Leave A Reply