କୂଳ ଲଂଘିଲା ଗଙ୍ଗାହାର : ବଢୁଛି ବୁଢ଼ାବଳଙ୍ଗ

0

ବଡ଼ସାହି : ସାମୁଦ୍ରିକ ବାତ୍ୟା ତିତ୍‍ଲି ପାଇଁ ଲଗାଣ ବର୍ଷା ଫଳରେ ଶୁକ୍ରବାର ମୟୁରଭଂଜ ଜିଲ୍ଲା ବଡ଼ସାହି ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳ ଳଂଘନ କରିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ରିପୋର୍ଟ ଲେଖାଯିବା ବେଳକୁ ଗଙ୍ଗାହାର ନଦୀ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ୨ଦିନ ଧରି ପ୍ରବଳ ବର୍ଷା ପାଇଁ ଉଭୟ ନଦୀର ଜଳପତ୍ତନ ବଢ଼ିଥିଲା। ଶୁକ୍ରବାର ସକାଳେ ଗଙ୍ଗାହାର ବନ୍ୟାଜଳ ତଳିଆ ତଥା ଖାଲୁଆ ଅଞ୍ଚଳରେ ପ୍ରବେଶ କରିଥିଲା। ସନ୍ଧ୍ୟା ବେଳକୁ ଶାଳଗାଁ ଓ ମାନଗୋବିନ୍ଦପୁର ପଞ୍ଚାୟତର ୮ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଗ୍ରାମ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ପାଳପାଟଣା, ନରଣଗାଁ, ଆଗ୍ରିଆ, ଡୁମୁରିଆ, ଭୁରୁଡ଼ିଆ ଓ କୁଞ୍ଚିବଣିଆ ଗ୍ରାମକୁ ରକ୍ଷା ଦେଉଥିବା ନଦୀବନ୍ଧ ଅନେକ ସ୍ଥାନରେ ଭାଙ୍ଗିବା ପରିସ୍ଥିତିରେ ରହିଛି। ବନ୍ୟାଜଳ ସୋରିଷକୋଠା, ଶାଳଗାଁ, କୁଞ୍ଚିବଣିଆ ଗ୍ରାମ ରାସ୍ତା ଉପରେ ପ୍ରବାହିତ ହେଉଛି। ସେହିପରି ବୈଶିଙ୍ଗା-ଉଦଳା ବଡ଼ସାହି-କୁଆମରା, ବଡ଼ସାହି-ଉଦଳା ରାସ୍ତାର ପୋଲ ଉପରେ ୨ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଅନେକ ଧାନ ଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଛି। ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ ନଦୀରେ ଦ୍ରୁତଗତିରେ ବନ୍ୟାଜଳ ବୃଦ୍ଧିପାଉଥିବାରୁ ନଦୀ ସଂଲଗ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘୁଷୁରିଆ-ପତରାପଦା ରାସ୍ତା ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି। ଶାମାଖୁଣ୍ଟା, ଗୋପବନ୍ଧୁନଗର ସମେତ ବଡ଼ସାହି ବ୍ଲକରେ ଶୁକ୍ରବାର ବୃଷ୍ଟିପାତ ଜିଲାରେ ସର୍ବାଧିକ(୧୩୨ମିମି.) ହୋଇଥିବାରୁ ଶନିବାର ଦିନ ତମାମ ବନ୍ୟା ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ସମ୍ଭବ ହେବ ନାହିଁ ବୋଲି ଅନୁମାନ କରାଯାଉଛି। ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ କର୍ମଚାରୀଙ୍କ ସହିତ ସଜାଗ ରହିଥିବା ବେଳେ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଗଜଡ଼ି ଗ୍ରାମର ବେତପାଣିଆ ସାହିର ୬ଟି ପରିବାରକୁ ଉଦ୍ଧାର କରାଯାଇ ସୁହାଗପୁର ସ୍କୁଲରେ ଆଶ୍ରୟ ଦିଆଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଆବଶ୍ୟକ ପଡ଼ିଲେ ଅନ୍ୟ ସ୍ଥାନରେ ରନ୍ଧାଖାଦ୍ୟ ବ୍ୟବସ୍ଥା ପାଇଁ ବିଡ଼ିଓ ନିର୍ଦେଶ ଦେଇଛନ୍ତି। ଭାରି ବର୍ଷା ପାଇଁ ବ୍ଲକର ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ କାନ୍ଥ ଭୁଷୁଡ଼ିଛି। ତେବେ କେହି ମୃତାହାତ ହୋଇନାହାନ୍ତି। ଏଭଳି ପରିସ୍ଥିତି ପାଇଁ ପାର୍ବଣ ପରିବେଶ ଫିକା ପଡ଼ିଛି। ଦିନ ତମାମ ରାସ୍ତାଘାଟ ଶୂନଶାନ ଥିବା ବେଳେ ଗୋଟିଏ ଦୁଇଟି ବସ ବ୍ୟତୀତ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି।

Leave A Reply