୮ଦିନ ପରେ ମଧ୍ୟ ଅବସ୍ଥା ସୁଧୁରୁନି : ଧର୍ମେନ୍ଦ୍ର

0

ଭୁବନେଶ୍ୱର : ତିତ୍‍ଲି ବାତ୍ୟା ଯିବାର ୮ଦିନ ବିତିଲାଣି, ହେଲେ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା ସୁଧୁରୁନି। ଏବେ ବି ଲୋକେ ଅସୁବିଧାରେ କାଳାତିପାତ କରୁଥିବାବେଳେ ରାସ୍ତାଘାଟ, ବିଜୁଳି ଓ ପାଣି ସମସ୍ୟା ଲାଗି ରହିଛି। ସରକାର ଜିରୋ କାଜୁଆଲିଟି ଭାଷଣ ଦେଉଥିଲେ, ହେଲେ ଏବେ ବି ସରକାର ବାସ୍ତବିକ ମୃତ୍ୟୁ ସଂଖ୍ୟା ଠାବ କରିପାରି ନାହାନ୍ତି। ସରକାର ଫୁଟାଣି ଛାଡି ବାସ୍ତବରେ ଲୋକଙ୍କ ଦୁର୍ଦଶାକୁ ଲାଘବ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଜପତି ଜିଲାର ରାୟଗଡା ବ୍ଲକସ୍ଥିତ କଇଁପୁର, ଲକ୍ଷ୍ମୀପୁର ପରିଦର୍ଶନ ଅବସରରେ କହିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କ ୯୦ ପ୍ରତିଶତ ଅଂଶ ରହିଛି। କ୍ଷୟକ୍ଷତି ଆକଳନ ସହିତ ରାଜ୍ୟ ସରକାର ସଠିକ୍‍ ବିବରଣୀ ଦେଲା ପରେ କେନ୍ଦ୍ର ସରକାରଙ୍କ ଏନ୍‍ଡିଆର୍‍ଏଫ୍‍ରୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବ। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ ତୁରନ୍ତ କ୍ଷୟକ୍ଷତି ଭରଣା କରାଯିବ। ତିତ୍‍ଲି ପ୍ରପୀଡ଼ିତମାନେ ଦୁଃଖ କଷ୍ଟରେ ଥିବାବେଳେ ମୁଖ୍ୟମନ୍ତ୍ରୀ ‘କୌନ୍‍ ବନେଗା କରୋଡପତି ସୋ’ଦେଖାଇ ଲୋକଙ୍କୁ ଭଣ୍ଡାଇବାକୁ ବସିଛନ୍ତି।
ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ତିତ୍‍ଲି ପ୍ରପୀଡ଼ିତଙ୍କୁ ନିକଟରୁ ଦେଖିବାପରେ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଶନିବାର ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଜନୈକ ବରିଷ୍ଠ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସେ କହିଛନ୍ତି ଯେ ଓଡିଶା ସରକାର ସାହୁକାର ଭଳି ମଣିଷ ଜୀବନକୁ ଟଙ୍କାର ବିନିମୟରେ ବିବେଚନା କରୁଛନ୍ତି। ରାଜ୍ୟ ସରକାର ବାତ୍ୟାର କି ପ୍ରକାର ସୁପ୍ରବନ୍ଧନ କରିଛନ୍ତି ତାହା ଜିରୋ କାଜୁଆଲିଟିର ସମାଲୋଚକମାନେ ବୁଝି ପାରି ନାହାନ୍ତି, ୪ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତାକୁ ବଢାଇ ୧୦ଲକ୍ଷ ଟଙ୍କା କରି ଦିଆଗଲା। କେହି କେବେ ଏତେ ଟଙ୍କା ମୃତ୍ୟୁ କାଳୀନସହାୟତା ଦେଇଥିଲା କି ବୋଲି ବରିଷ୍ଠମନ୍ତ୍ରୀଙ୍କ ବକ୍ତବ୍ୟରେ କଡା ଆପତ୍ତି ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।
ସେ କହିଛନ୍ତି ଯେ ୪ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ଦେବାକୁ କିଏ କହିଥିଲା ? ୧୦ଲକ୍ଷଟଙ୍କା ସହାୟତା କ’ଣ ମୁକୁନ୍ଦ ଦୋରା ଝିଅର ଜୀବନଠାରୁ ଅଧିକ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ରାଜ୍ୟର ବରିଷ୍ଠ ମନ୍ତ୍ରୀଙ୍କ ଅହଂକାର ଭରା ବକ୍ତବ୍ୟ କଟା’ ଘା ରେ ଚୁନଦେଲା ଭଳି ଲାଗୁଛି। ପ୍ରଜାତନ୍ତ୍ରରେ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅହଂକାରୀ ହେଲେ ସ୍ଥାଣୁତା, ଅବ୍ୟବସ୍ଥା ଓ ବ୍ୟାଭିଚାର ବଢେ। ପ୍ରଥମେ ଜିରୋ କାଜୁଆଲିଟିର କଥା କହି ସରକାର, ପ୍ରଶାସନ ଓ ସରକାରୀ ଦଳ ଆତ୍ମପ୍ରଚାର କଲେ। ବାତ୍ୟାର ଆଠଦିନ ପରେ ଶବ ମିଳୁଥିବାବେଳେ ଏପର୍ଯ୍ୟନ୍ତ ବିଜୁଳି, ପାଣିପହଞ୍ଚି ନାହିଁ। ସମସ୍ତଙ୍କ ପାଇଁ ରିଲିଫର ବ୍ୟବସ୍ଥା ନାହିଁ। ଆଦିବାସୀମାନଙ୍କ ନଷ୍ଟ ହୋଇଥିବା ପଶୁସମ୍ପଦର ଆକଳନ କରିବା ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ମୁହଁ ଫୁଟାଣି ଛାଡି ସମସ୍ତଙ୍କୁ ଏକାଠି କରି କାମ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି। ଗଞ୍ଜାମ ଓ ଗଜପତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ପୁଣି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର ସାହୁକାର ନୀତି ଛାଡ଼ି ସ୍ୱେଚ୍ଛାସେବୀ ହୁଅନ୍ତୁ: ଅରୁଣ
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କ ସମସ୍ୟାକୁ ଲାଘବ କରିବାପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏଭଳି ଏକ ଦୁଃଖଦ ସମୟରେ କେତେକ ବ୍ୟକ୍ତି ନିଜ ରାଜନୈତିକ ସ୍ୱାର୍ଥ ସାଧନ କରିବାପାଇଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗକୁ ମଧ୍ୟ ବ୍ୟବହାର କରୁଛନ୍ତି ଯାହାକି ଦୁର୍ଭାଗ୍ୟଜନକ ବିଷୟ ବୋଲି ନୟାଗଡ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ ସାହୁକାର ସହ ତୁଳନା କରିଥିବା ଭିଡ଼ିଓ ଜାରିକୁ ନେଇ ଡ. ସାହୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଯେଉଁ ବ୍ୟକ୍ତି ଏଭଳି ଦୈବୀଦୁର୍ବିପାକ ବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରୁଛନ୍ତି ତାହା କେବଳ ତାଙ୍କର ଶିକ୍ଷାର ଅଭାବ। ସେ ପ୍ରଥମେ ସାହୁକାର ନୀତି ଛାଡି ସ୍ୱେଚ୍ଛାସେବୀ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ, ତା’ପରେ ସରକାରଙ୍କୁ ସମାଲୋଚନା କରିବେ ବୋଲି ଡ. ସାହୁ କହିଛନ୍ତି।

Leave A Reply