ଲଗାଣ ବର୍ଷାରେ ସହର ଜଳମଗ୍ନ

0

କଟକ : ତିତ୍‍ଲି ପ୍ରଭାବରେ ଗୁରୁବାର ରାତିରେ ଲଗାଣ ବର୍ଷା ଯୋଗୁଁ ସହରର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହର ବହୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଆଖିଦୃଶିଆ ବ୍ୟବସ୍ଥା କରାଯାଇନଥିବାରୁ ସହରବାସୀ ପୁଣି ବର୍ଷା ପାଣି ଘେରରେ ରହିଛନ୍ତି। ଗତକାଲି ତିତ୍‍ଲି ପାଇଁ ପ୍ରଶାସନ ଓ ସିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା। ଆଜି ତିତ୍‍ଲି ସ୍ଥଳଭାଗ ଛୁଇଁବା ଦିନରେ ବିଶେଷ ବର୍ଷା ହୋଇନଥିଲା। ବର୍ଷା ଛାଡିଯିବା ଆଶଙ୍କା କରି ସିଏମସି କର୍ତ୍ତୃପକ୍ଷ କୌଣସି ସତର୍କତାମୂଳକ ପଦକ୍ଷେପ ନେଇନଥିଲେ। ଗୁରୁବାର ରାତି ପ୍ରାୟ ୮ଟାରୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିବାରୁ ଉଦ୍‍ବୃତ୍ତ ଜଳ ନିଷ୍କାସନ ହୋଇପାରିନଥିଲା। ବାଦାମବାଡି ସମେତ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଘେରରେ ବୁଡି ରହିଥିଲା। ମହାନଗର ନିଗମ ପକ୍ଷରୁ ୨୪ଟି ଭଲ୍‍ଭୋ ପମ୍ପ ଏବଂ ୧୯୨ଟି ମୋଟର ପମ୍ପ ଚଳାଯାଇଥିଲେ ସୁଦ୍ଧା ମଧ୍ୟରାତ୍ରି ସୁଦ୍ଧା ଜଳ ନିଷ୍କାସିତ ହୋଇପାରି ନ ଥିଲା। ଗଙ୍ଗାମନ୍ଦିର, ବାଲୁବଜାର, କାଜିବଜାର, ରୋଭରଷ୍ଟ୍ରିଟ୍‍, ମହିଦାସ ବଜାର, ମହମ୍ମଦିଆ ବଜାର, ମେହେନ୍ଦିପୁର, କନିକା ଛକ, ଚୌଧୁରୀ ବଜାର, ପିଠାପୁର, ବକ୍ସିବଜାର, ସେମିନାର ଛକ, ସୂତାହାଟ, ସିଦ୍ଧେଶ୍ବର ସାହି, ମିଶନ୍‍ ରୋଡ୍‍, ମଙ୍ଗଳାବାଗ ପ୍ରଭୃତି ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଳି ଲହଡ଼ି ଖେଳୁଥିବା ଦେଖିବାକୁ ମିଳିଥିଲା। ରାସ୍ତା ଓ ଡ୍ରେନ୍‍ ଏକାକାର ହୋଇଯାଇଛି। ଲୋକଙ୍କ ଘରେ ପାଣି ପ୍ରବେଶ କରିବା ଯୋଗୁଁ ପରିସ୍ଥିତି ଦୟନୀୟ ହୋଇଛି। ଜଳବନ୍ଦୀକୁ ରୋକିବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାହା ଠିକ ଭାବେ ଚାଲୁ ହୋଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବର୍ଷାର ପ୍ରକୋପ ଯୋଗୁଁ ଖାନନଗର ସ୍ଲୁଇସ୍‍ ଫାଟକକୁ ଖୋଲି ଦିଆଯାଇଛି। ତେବେ ମୁଖ୍ୟ ଡ୍ରେନ୍‍ରେ ଅବରୋଧ ଯୋଗୁଁ ବର୍ଷାପାଣି ନିଷ୍କାସିତ ହେବାରେ ବାଧା ଉପୁଜୁଛି। ତଳିଆ ତଥା ବସ୍ତି ଅଞ୍ଚଳରେ ପାଣି ଘେରରେ ଲୋକେ ରହିଛନ୍ତି।

Leave A Reply