ଉଗ୍ର ହେଉଛି ‘ତିତ୍‍ଲି’ ;୧୧ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ

0
 ୧୯ ଜିଲାପାଳଙ୍କୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‍ଲି’। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ରୂପ ନେଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମରେ ଘଣ୍ଟାକୁ ୧୦କିମି ବେଗରେ ଗତି ଉଗ୍ର ରୂପ ଧାରଣ କରିବା ସହିତ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ର ହେବା ସହିତ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରିଦେଇଛି। ଆଇଏମ୍‌ଡି ପକ୍ଷରୁ ଜାରି ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ ‘ତିତ୍‍ଲି’ ଏବେ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣ ପୂର୍ବରେ ୪୬୦କିମି ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମଠାରୁ ପୂର୍ବ ଦକ୍ଷିଣ ପୂର୍ବରେ ୪୧୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପରବର୍ତ୍ତୀ ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବାର କିଛି ସମୟ ପରେ ଉତ୍ତର ପଶ୍ଚିମରେ ମୁହାଁଇବା ସହିତ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟରେ ଆସନ୍ତା ୧୧ତାରିଖ ସକାଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ସ୍ଥଳଭାଗ ଛୁଇଁବା ପରେ ତିତଲି ଗତିପଥ ପରିବର୍ତ୍ତନ କରି ଉତ୍ତରପୂର୍ବ ଦିଗରେ ମୁହାଁଇବା ସହିତ ଉପକୂଳ ଓଡ଼ିଶା ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ୱତନ୍ତ୍ର ବୁଲେଟିନରେ ସୂଚନା ଦିଆଯାଇଛି।
ବାତ୍ୟାର ପ୍ରଭାବରେ ଆଜି ରାତିରେ ଓଡ଼ିଶା ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫ ଏବଂ ସ୍ଥଳ ବିଶେଷରେ ୬୫କିମି ବେଗରେ ପବନ ବହିବ। ପବନର ବେଗ କ୍ରମଶଃ ବଢ଼ିବା ସହିତ ୧୦ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳରେ ୧୦୦ରୁ ୧୧୦ କିମି ବେଗରେ ବହିବ। ସମୁଦ୍ରରେ ବାତ୍ୟା ଅଧିକ ଘନୀଭୂତ ହେବା ସହିତ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ୧୨୫କିମି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବୁଲେଟିନରେ ସତର୍କ କରିଦିଆଯାଇଛି। ତେବେ ଏହି ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ମଧ୍ୟ ଘଣ୍ଟା ପ୍ରତି ୭୫ରୁ ୮୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ମଙ୍ଗଳବାର ରାତି ସୁଦ୍ଧା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ବର୍ଷା ଆରମ୍ଭ ହୋଇଯିବ। ୧୦ତାରିଖରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆସନ୍ତା ୧୧ତାରିଖରେ ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ,ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ,ଯାଜପୁର, ଢ଼େଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଆଦି ୧୪ଟି ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୧୨ତରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷିବ ବୋଲି ସୂଚନା ମିଳିଛି।
ତିତ୍‍ଲି ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲାର ସମୁଦ୍ର ଉପକୂଳରେ ଥିବା ତଳିଆ ଅଞ୍ଚଳରେ ୦.୫ମିଟର ଉଚ୍ଚତାରେ ସମୁଦ୍ର ଜୁଆର ଉଠିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ୫ଟି ଜିଲା ବିଶେଷ ପ୍ରଭାବିତ ହେବା ସହିତ କ୍ଷୟକ୍ଷତି ଘଟିବାର ସମ୍ଭାବନା ରହିଛି। ଏହି ୫ଟି ଜିଲାରେ ରେଡ଼ ଆଲର୍ଟ ଜାରି କରାଯାଇଛି।
ବାତ୍ୟା ଓ ବର୍ଷା ପ୍ରଭାବରେ କଚା ଘର ଭାଙ୍ଗିବା ସହିତ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିବାର ଭୟ ରହିଛି। ପକ୍କା ରାସ୍ତା ଧୋଇଯିବା ସହିତ ଧାନ ଫସଲ ଓ ପନିପରିବା କ୍ଷତିଗ୍ରସ୍ତ ହୋଇପାରେ। ସମୁଦ୍ର ଜୁଆର ଫଳରେ ଉପକୂଳରେ ଥିବା ମାଟି ବନ୍ଧ ଭାଙ୍ଗିଯିବା ଦ୍ୱାରା ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି।
ବାତ୍ୟା ଉଗ୍ର ରୂପ ନେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି। ସମୁଦ୍ର କୂଳରେ ମାଟି ଘରେ ରହୁଥିବା ଲୋକେ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ସମୟରେ ପଦାକୁ ନବାହାରି କୋଠାଘରେ ଆଶ୍ରୟ ନେବାକୁ କୁହାଯାଇଛି। ବାତ୍ୟା ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସବୁ ବନ୍ଦରରେ ୪ନମ୍ବର ବିପଦସଙ୍କେତ ଜାରି କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ମୁଖ୍ୟ ଏଚ.ଆର.ବିଶ୍ୱାସ ସୂଚନା ଦେଇଛନ୍ତି।

Leave A Reply