ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣକୁ ଉପଜିଲାପାଳଙ୍କ ବାରଣ, ଆଇନର ଅଜବ ପେଞ୍ଚ

ଟିଟିଲାଗଡ଼: ଟିଟିଲାଗଡ ସବରେଜିଷ୍ଟ୍ରୀ କାର୍ଯ୍ୟାଳୟରେ ନିଜ ଅଜାଣତରେ ତାଙ୍କ ଭୁସମ୍ପତି ଅନ୍ୟକୁ ବିକ୍ରୟ କରାଯାଇଥିବା ଅଭିଯୋଗ ଧରି ଦୀର୍ଘ ପ୍ରାୟ ଦେଢ ବର୍ଷ ଧରି ଥାନା, ଉପଜିଲାପାଳଙ୍କ କୋର୍ଟ ଧାଇଁ ଚାଲିଛନ୍ତ ଜନୈକ ବୃଦ୍ଧ। ହେଲେ ଶାସନ ପ୍ରକ୍ରୀୟାରେ ନ୍ୟାୟ ବଦଳରେ ସମ୍ପ୍ରତି ବୃଦ୍ଧଙ୍କୁ ଧମକ ଚମକ ଦିଆଯାଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି। ଏପରିକି ବୃଦ୍ଧ ନିଜ ଜୀବନ ଭୟରେ ଗତ ୩ ତାରିଖରୁ ଘରୁ ଲୁଚି ବୁଲୁଥିବା ବେଳେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ଏନଏସି ତଥା ଟିଟିଲାଗପଡ ପୌରାଞ୍ଚଳରେ ଖୋଦ ବେଆଇନ ଦଖଲ ଉଚ୍ଛେଦ ନେଇ ଚର୍ଚ୍ଚାରେ ରହିଥିବା ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ବୃଦ୍ଧଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏପରିକି ବୃଦ୍ଧଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ୨୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ପାସବୁକରେ ଜମା କରିଥିବା ବେଳେ ଗୃହ ନିର୍ମାଣ କରିବାକୁ ଉପଜିଲାପାଳ ଆଜି ବାରଣ କରିଥିବା ଜଣାପଡିଛି।

ଅଭିଯୋଗରୁ ସୂଚନା ଯେ, ଟିଟିଲାଗଡ ଉପଖଣ୍ଡ ତଥା ସଇଁନ୍ତଲା ଥାନା ଅନ୍ତର୍ଗତ ରେମଣ୍ଡା ଗ୍ରାମର ବୃଦ୍ଧ ମାନସିଂ ରଣାଙ୍କ ରେମଣ୍ଡା ମୌଜାର ଖାତା ନଂ ୧୫୮/୨୧୬, ପ୍ଲଟ ନଂ ୪୮, ୪୯, ୪୩/୧୬୧୬, ୧୫୫, ୨୩୩ରେ ଥିବା ଜମି ଗତ ୨୦୧୫ରେ ତଂଚକତା କରି ଜନୈକ ବ୍ୟକ୍ତି ଅନ୍ୟକୁ ବିକ୍ରୟ କରି ଦେଇଛନ୍ତି। ଏନେଇ ସଇଁନ୍ତଲା ତହସିଲଦାର ମଧ୍ୟ ବିକ୍ରୀ କବଲା ନେଇ ସମ୍ପୃକ୍ତ କ୍ରେତାକୁ ନାମରେ ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି। ଏନେଇ ପରେ ବୃଦ୍ଧ ଜଣକ ଅବଗତ ହୋଇ ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ ପରେ କେସ ନଂ ୭୧ ତା. ୨.୪.୧୯ ଦଫା ୪୨୦, ୪୬୪, ୪୬୫, ୪୬୭, ୪୬୮, ୪୭୧, ୪୭୪, ୩୪ ଆଇପିସିରେ ନାମକୁ ମାତ୍ର ଏକ କେସ ରୁଜୁ କରାଯାଇଥିବା ବେଳେ ଦୋଷୀ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ସମୟରୁ ଉପଜିଲାପାଳଙ୍କ କୋର୍ଟରେ ଏନେଇ ଆବେଦନ ଆଜି ପର୍ୟ୍ୟନ୍ତ ଶୁଣାଣି ହୋଇନପାରି ପଡିରହିଛି। ବାରମ୍ବାର ଏନେଇ ବୃଦ୍ଧ ମାନସିଂ ସଇଁନ୍ତଲା ଥାନା ତଥା ଟିଟିଲାଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଚାଲିଛନ୍ତି।

ଅପରପକ୍ଷରେ ମାନସିଂ ତାଙ୍କ ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିବାକୁ ଉଦ୍ୟମ କରିବାରେ ଅଭିଯୁକ୍ତ ଏବଂ ଅଜଣା ଲୋକ ମାନସିଂଙ୍କୁ ଧମକଚମକ ଦେଉଛନ୍ତି। ଏନେଇ ଭୟରେ ଗତ କିଛି ଦିନ ହେଲା ବୃଦ୍ଧ ନିଜ ଗାଁ ରେମଣ୍ଡା ଛାଡି ଲୁଚିବୁଲୁଥିବା ବେଳେ ପ୍ରାୟ ନିୟମିତ ଉପଜିଲାପାଳଙ୍କ କାର୍ୟ୍ୟାଳୟକୁ ଆସି କରୋନା କଟକଣା ନେଇ ଦେଖା ମିଳୁନଥିବାରୁ ନିରାଶ ହୋଇ ଫେରୁଛନ୍ତି। ଆଜି ବହୁ ସମୟ ଧରି ବୃଦ୍ଧ ଜଣକ ଉପଜିଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଜଗି ରହିଥିବା ବେଳେ ଶେଷରେ ଦର୍ଶନ ପାଇଥିବା ବେଳେ ଆଇନର କଡା ନିୟମ ଆଗରେ ବନ୍ଧା ଉପଜିଲାପାଳ ତାଙ୍କ କୋର୍ଟ ଦ୍ୱାରା ଶୁଣାଣି ନହେବା ପର୍ୟ୍ୟନ୍ତ ଗୃହ ତିଆରି କରିବା ପାଇଁ ବାରଣ କରିଥିବା ଜଣାଯାଇଛି। ଏନେଇ ନିଃସହାୟ ବୃଦ୍ଧଙ୍କୁ ବର୍ଷବର୍ଷ ଧରି ନ୍ୟାୟ ନମିଳିବା ପଛରେ ଏକ ବଡ ର‍୍ୟାକେଟ୍‍ର ହାତ ଥିବା ସ୍ପଷ୍ଟ ହେଉଥିବା ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ଆଇନଜୀବୀ ବିରେନ୍ଦ୍ର ବାଗ ସରକାରଙ୍କ ଅସହାୟ ପ୍ରତି ଦୃଷ୍ଟି କୋଣକୁ ତୀବ୍ର ନିନ୍ଦା କରିଛନ୍ତି। ୨୪ ଘଣ୍ଟିଆ ନୋଟିସ ଦେଇ ଜବରଦଖଲ ଭାଙ୍ଗିଚାଲିଥିବା ପ୍ରଶାସନ ଜଣେ ଗରିବର ଜମି ହଡପ ନେଇ ଖୋଦ କାଠଗଡାରେ ରହିଥିବାରୁ ଆଇନ ବଙ୍କେଇ ଯିବା ସହ ବିଲମ୍ବିତ ହୋଇଚାଲିଥିବା ଶ୍ରୀ ବାଗ ଅଭିଯୋଗ କରିଛନ୍ତି। ବୃଦ୍ଧଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରା ନ ଗଲେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନି ଦେଇଛନ୍ତି।

Comments are closed.