ବନ୍ଦ ହେବ ଟିଟିଲାଗଡ କୋଭିଡ କେୟାର ସେଣ୍ଟର, ବଢୁଛି ଅସନ୍ତୋଷ

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅଂଚଳରେ ସମ୍ୟକ ଲକ୍ଷଣ ଥିବା ତଥା ନିଜ ଘରେ ସଙ୍ଗରୋଧ ବ୍ୟବସ୍ଥା ନଥିବା କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ନେଇ ଖୋଲାଯାଇଥିବା କୋଭିଡ କେୟାର ସେଣ୍ଟର ବନ୍ଦ ହେବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନୁତନ ଗାଇଡଲାଇନ ଅନୁଯାୟୀ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ନିଜ ଘରେ ରହିବେ ବୋଲି ଜଣାପଡିଛି। ଆଜି ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ କୋଭି> ସେନ୍ଟରକୁ ଗସ୍ତ ପରେ ଡା. ପାଳ ଏହା ସ୍ପଷ୍ଟ କରିଛନ୍ତି। ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ସୁଚନା ଯେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଗତ ୧ ଜୁନରେ ଟିଟିଲାଗଡ ଠାରେ କୋଭିଡ କେୟାର ସେନ୍ଟରର ଉଦଘାଟନ କରିଥିଲେ। ସାଧାରଣ ନିର୍ବାଚନ ପୁର୍ବରୁ ୨୦୧୯ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପରେ ଅବ୍ୟବହୃତ ହୋଇ ପଡିରହିଥିବା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନାକୁ ଏନେଇ ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେନ୍ଟର ଘୋଷଣା ସହ ଉଦଘାଟନ କରାଯାଇଥିଲା। ୨୦୦ ଶର୍ୟ୍ୟା ବିଶିଷ୍ଟ ଏହି କୋଭିଡ କେୟାର ସେନ୍ଟରରେ ୪ ଡାକ୍ତରଙ୍କ ସମେତ ୧୪ ସ୍ୱାସ୍ଥ୍ୟ କର୍ମିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ସେ ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଅଦ୍ୟାବଧି ଉକ୍ତ ଡାକ୍ତରଖାନାରେ ୨୬୨ ଜଣ କରୋନା ରୋଗୀ ଭର୍ତି ହେବା ସହ ଚିକିତ୍ସିତ ହୋଇଛନ୍ତି। ଆଜିର ଦିନରେ ୯୨ ଜଣ ରୋଗୀ ଭର୍ତି ଥିବା ଜଣାଯାଇଛି। ଏହି ସେଣ୍ଟରରେ ଟିଟିଲାଗଡ ଉପଖଣ୍ଡ ଅଂଚଳର ରୋଗୀ ଭର୍ତି ହୋଇ ଚିକିତ୍ସିତ ହୋଇଆସୁଥିଲେ। ହେଲେ ଅଚାନକ ସେନ୍ଟର ବନ୍ଦ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ସୁଚନା ଯେ ପୁର୍ବର୍‍ୁ କେହି ଜଣେ ବି ବାହାର ଦେଶ, ରାଜ୍ୟ ବା ସହରରୁ ଆସିଲେ ଚହଲ ପଡୁଥିଲା। ସରକାର ବିଭିନ୍ନ ସମୟରେ ବାହାରୁ ଆସୁଥିବା ଲୋକେ ଏସମ୍ବନ୍ଧରେ ଘୋଷଣା କଲେ ପନ୍ଦର ହଜାର ଏବଂ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ ଲୋଭନୀୟ ପ୍ରସ୍ତାବ ଦେଇଥିଲେ। ଅନେକ ଲୋକ ସରକାରି ସଙ୍ଗରୋଧ କେନ୍ଦ୍ରରେ ୭ରୁ ୨୧ ଦିନ ରହି ଦୁଇ ହଜାର ଟଙ୍କା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସଙ୍ଗରୋଧ କେନ୍ଦ୍ରରେ ଅନେକ ସରପଂଚ ନିଜ ଅଂଚଳର ଭାଇଙ୍କୁ ବିଭିନ୍ନ ପ୍ରକାର ଆମିଷ ଭୋଜନ, ପିଠାପନା ଦେଇ ଆପାୟିତ କରିଥିଲେ। ତେବେ ସେ ସବୁ ଏବେ ସ୍ମୃତି ପାଲଟିଛି। ଟିଟିଲାଗଡ ବ୍ଲକ ଗ୍ରାମାଂଚଳରେ ୬୧୦୦ ଜଣ ବାହ୍ୟ ଅଂଚଳରୁ ଆସି ସଙ୍ଗରୋଧ ପରେ ଗତ ଅଗଷ୍ଟ ୧୫ରୁ ସରକାରି ସଙ୍ଗରୋଧ କେନ୍ଦ୍ର ଗୁଡିକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଛି। ଟିଟିଲାଗଡ ପୌର ପରିଷଦ ପକ୍ଷରୁ ୨୪୫ ଜଣ ସରକାରି ସଙ୍ଗରୋଧରେ ରହିଥିଲେ। ୫୪୦ ଜଣ ନିଜ ଘରେ ଥିବା ପଂଜିକୃତ କରାଯାଇଥିଲା। ତେବେ ସେପ୍ଟେମ୍ବର ୧ରୁ ସଙ୍ଗରୋଧ କେନ୍ଦ୍ର ବନ୍ଦ ସହ ପ୍ରାୟ ୧୦ ଦିନ ହେବ ଆଉ କାହାରି ପଂଜିକରଣ କରାଯାଉନଥିବା ଜଣାଯାଇଛି। ଅପରପକ୍ଷରେ ଟିଟିଲାଗଡ ଉପଖଣ୍ଡ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ କରୋନା କେୟାର ସେନ୍ଟର ବନ୍ଦ କେତେ ଦୁର ଯୁକ୍ତିଯୁକ୍ତ ବୋଲି ବଙ୍ଗୋମୁଣ୍ଡା ବ୍ଲକ ସରପଂଚ ସଂଘ ସଭାପତି ଉପେନ୍ଦ୍ର ମେହେର, ମୁରିବାହାଲ ସଂଘ ସଭାପତି ଗୋପିନାଥ ପାଣିଗ୍ରାହୀ, ତୁରେକେଲା ବ୍ଲକ ସଭାପତି ସୁଦର୍ଶନ କଟା, ସଇଁନ୍ତଲା ବ୍ଲକ ସଭାପତି ହିମାଂଚଲ ବୁଡେକ ପ୍ରମୁଖ ପ୍ରଶ୍ନ କରିଛନ୍ତି। କରୋନାରେ ଆକ୍ରାନ୍ତ ଲୋକ ସଂକ୍ରମଣ ବୃଦ୍ଧି ସମ୍ଭାବନା ରହିଥିବା ବେଳେ ପ୍ରଶାସନ ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ କେୟାର ସେନ୍ଟର ବନ୍ଦ ନିଷ୍ପତି ଅଯଥାର୍ଥ ବୋଲି ଏନେଇ ଟିଟିଲାଗଡ ବ୍ଲକ ସରପଂଚ ସଂଘ ସଭାପତି ତଥା ଜିଲା ସମ୍ପାଦକ ବିରବର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ଟିଟିଲାଗଡ ସହରର ଜଣେ ଗରିବ ପରିବାରର ମୁଖିଆ କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କୁ କୋଭିଡ ସେନ୍ଟରରେ ଭର୍ତି ପାଇଁ ଅନୁମତି ମିଳିନଥିଲା। ପରେ ନିରୁପାୟ ହୋଇ ନିଜ ପରିବାରକୁ ଅନ୍ୟ ଗ୍ରାମକୁ ପଠାଇ ସଂକ୍ରମିତ ଘରେ ରହିଛନ୍ତି। ଅବହେଲିତ ଟିଟିଲାଗଡ ଉପଖଣ୍ଡ ଅଂଚଳର ସହର ତଥା ଗ୍ରାମାଂଚଳ ଗୁଡିକରେ ଗରିବ ଯୁଗ୍ମ ପରିବାରର କେହି ଜଣେ ସଂକ୍ରମିତ ହେଲେ ସଙ୍ଗରୋଧ ପାଇଁ ଏଭଳି ଅନ୍ୟତ୍ର ବ୍ୟବସ୍ଥା ଅସମ୍ଭବ ଥିବା ନେଇ କୋଭିଡ କେୟାର ସେନ୍ଟର ବନ୍ଦ ନକରିବାକୁ ଶ୍ରୀ ସାହୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Comments are closed.