ଟିଟିଲାଗଡ ପୌରାଞ୍ଚଳରେ ୩୬୨କୁ ଛୁଇଁଲା କରୋନା ଗ୍ରାଫ, ଟେଷ୍ଟ ପାଇଁ ଭିଡ

ଟିଟିଲାଗଡ଼: ଟିଟିଲାଗଡ ପୌରାଞ୍ଚଳରେ ଦୃତଗତିରେ କରୋନା ଗ୍ରାଫ ବୃଦ୍ଧି ପାଇବାକୁ ଲାଗିଛି। ଏନେଇ ପ୍ରଥମ ଥର ପାଇଁ ଖୋଦ ପୌର ପରିଷଦ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ଏକାଉଣ୍ଟ ଜରିଆରେ ନିୟମିତ ସଂକ୍ରମିତଙ୍କ ତାଲିକା ଜାରି ସହ ଲୋକଙ୍କୁ ସତର୍କ କରାଯାଉଛି। ଏନେଇ ଗତ କିଛି ଦିନ ହେଲା ସହର ଆହୁରି ଶୂନଶାନ ହୋଇପଡିଛି। କୌଣସି ଜରୁରି କାମ ନଥିଲେ ବିଶେଷ କରି ବରିଷ୍ଠ ଲୋକେ ଆଉ ଘରୁ ପଦାକୁ ବାହାରୁ ନାହାନ୍ତି। ସହରରେ ଗତ ଅଗଷ୍ଟରେ ଆରମ୍ଭ ହୋଇଥିବା ଆଣ୍ଟିଜେନ ଟେଷ୍ଟରେ ଅଦ୍ୟାବଧି ୩୬୦ ଜଣ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି। ଏନେଇ ସହରରେ ଗୋଷ୍ଠି ସଂକ୍ରମଣ ଆରମ୍ଭ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏପରିକି ଯିଏ ଟେଷ୍ଟ କଲା ତାକୁ କରୋନା ହେବ ଆଶଙ୍କାରେ ଲୋକେ ଭୟରେ ଟେଷ୍ଟ କରିବାକୁ ସାହସ ଜୁଟାଉନଥିବା ଆଲୋଚନା ହୋଇଛି। ତେବେ ଜ୍ୱର ହେଲେ ଲୋକେ ନିଜ ପରୀକ୍ଷା କରିବାକୁ ଧାଉଁଥିବା ଦେଖାଯାଇଛି। ଟେଷ୍ଟ ପାଇଁ ସକାଳୁ ଲମ୍ବା ଲାଇନ ଲାଗୁଥିବା ଦେଖାଯାଇଛି। ଏପରିକି ଟେଷ୍ଟ ପାଇଁ ପୂର୍ବ ଦିନରୁ ଲୋକେ ନିଜ ନାମ ପଞ୍ଜିକରଣ କରୁଥିବା ଜଣାଯାଇଛି।

ଅପରପକ୍ଷରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାର ଆଉଟଡୋର ସମ୍ମୁଖରେ କରୋନା ଟେଷ୍ଟ କରାଯାଉଥିବା ନେଇ ଅନ୍ୟ ରୋଗ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଉଥିବା ଲୋକଙ୍କ ମଧ୍ୟରେ ଭୟ ସଂଚାର ହେଉଥିବା ଚର୍ଚ୍ଚା ହୋଇଛି। କରୋନା ମହାମାରୀ ନେଇ ସହରର ଦୋକାନ ବଜାର ମାର୍ଚ୍ଚରୁ ଜାରି ସଟଡାଉନ ନେଇ ବନ୍ଦ ରହିଥିଲା। ଏବେ ଦୋକାନୀ ସଂଘ ଗୁଡିକ ନିଜ ଜୀବନ ସୁରକ୍ଷା ତଥା ଅଯଥା ଭିଡ ଏଡାଇବା ପାଇଁ ନିଜ ପକ୍ଷରୁ ଅପରାହ୍ନ ୨ଟା ପରଠାରୁ ଦୋକାନ ବଜାର ବନ୍ଦ ଘୋଷଣା କରିଛନ୍ତି। ସହରରେ ଥିବା ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଗୁଡିକରେ ଲୋକଙ୍କ ପ୍ରବେଶ ଉପରେ ଅଂକୁଶ ଲଗାଯାଇଛି। ବ୍ଲକ କାର୍ୟ୍ୟାଳୟରେ ସ୍ୱତନ୍ତ୍ର ଅଭିଯୋଗ ବକ୍ସ ବ୍ୟବସ୍ଥା କରାଯାଇଛି। ଉପଜିଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଅଭିଯୋଗ ଦାଖଲ ନେଇ ହ୍ୱାଟ୍ସଏପ ନମ୍ବର ଜାରି କରାଯାଇଛି। ତେବେ ସହରବାସୀଙ୍କ ସୁରକ୍ଷା ନେଇ ପ୍ରଶାସନ ବିଶେଷ ତତ୍ପରତା ପ୍ରକାଶ କରିବାକୁ ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢୀ ଦାବି କରିଛନ୍ତି। ସହରରେ ପରିବା ବଜାର, ହଟଲି, ମାଂସ ମାଛ ବଜାର ଖୋଲା ରହୁଛି। ସେ ସବୁ ସ୍ଥାନରେ ପୌରପରିଷଦ ପକ୍ଷରୁ ବିଶୋଧନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା, ହାତ ବିଶୋଧନ ପାଇଁ ସେନିଟାଇଜର ତଥା ସାବୁନ, ପାଣିର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀ ପାଢୀ ଦାବି କରିଛନ୍ତି। ଅଦ୍ୟାବଧି ପୌରାଂଚଳର ମାତ୍ର ୧୭୦୦ ଜଣ ଲୋକ ନିଜ ଟେଷ୍ଟ କରିଛନ୍ତି। ଏନେଇ ପ୍ରଶାସନ ଦ୍ୱାରା ସ୍ୱାସ୍ଥ୍ୟ କର୍ମିଙ୍କ ଜରିଆରେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ ଜରିଆରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କଲେ ଫଳପ୍ରଦ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Comments are closed.