ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା: ୧୩୬ କୋଟି ଖର୍ଚ୍ଚ ପରେ ବିଦ୍ୟୁତ ସଂଯୋଗର ଦେଖାନାହିଁ

ଟିଟିଲାଗଡ଼: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶ ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ପ୍ରତେକ ଗୃହରେ ବିଦ୍ୟୁତ ପହଞ୍ଚା ଯାଇଥିବା ଘୋଷଣା ହେଉଛି। ଏନେଇ ଦିନଦୟାଲ ଉପାଧ୍ୟାୟ ଗ୍ରାମେଜ୍ୟାତି ଯୋଜନାରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ବାସ୍ତବରେ ଯୋଜନାରୁ ଅନେକ ଗରିବ ପରିବାର ବଞ୍ଚିତ ହୋଇଆସିଥିବାନେଇ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତର ଅନେକ ଗ୍ରାମର ଗରିବ ପରିବାର ଅଦ୍ୟାବଧି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି। ଗରିବ ପରିବାର ପୁର୍ବ ଭଳି ଅନ୍ଧାର ଗୃହରେ ବାସ କରୁଥିବା ବେଳେ ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନିଘା ନାହିଁ। ଯୋଜନାରେ ପ୍ରତ୍ୟେକ ବସ୍ତି ଅଞ୍ଚଳକୁ ବିଦ୍ୟୁତ ଖୁମ୍ବ ପୋତି, ତାର ଟାଣିବା କଥା। ଏହା ସହ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ଖଞ୍ଜାଯିବା ସହ ପ୍ରତ୍ୟେକ ଘରେ ୱାରିଙ୍ଗ, ମିଟର ତଥା ଏଲଇଡି ବଲ୍ୱ ପ୍ରଦାନ କରାଯିବ। ହେଲେ ସିହିନି ଗ୍ରାମପଞ୍ଚାୟତରେ ଅନେକ ଗ୍ରାମରେ ବିଦ୍ୟୁତ ଖୁମ୍ବ ମଧ୍ୟ ପୋତା ହୋଇସାରିନାହିଁ। ଅନେକ ସ୍ଥାନରେ ଆବଶ୍ୟକ ଟ୍ରାନ୍ସଫର୍ମର ମଧ୍ୟ ବସିନାହିଁ। କୋଉଠି ଖମ୍ବ ଥିଲେ ତାର ଟଣା ହୋଇନାହିଁ। ପଞ୍ଚାୟତର ସିହିନି, ବଝାଚୁଛା, କୁମୁଡା ଆଦି ବିଭିନ୍ନ ଗ୍ରାମରେ ଏଭଳି ବିଭ୍ରାଟ ହୋଇଥିବା ସ୍ଥାନୀୟ ସରପଞ୍ଚ ବିରବର ସାହୁ ଅଭିଯୋଗ କରିଛନ୍ତି। କୁମୁଡା ଗ୍ରାମରେ କାମ ନସରି ସମ୍ପୁର୍ଣ୍ଣ ହୋଇଥିବା ବୋର୍ଡ ଲଗାଯାଉଥିବା ବେଳେ ଗ୍ରାମବାସୀ ବିରୋଧ କରିବାକୁ ଠିକାଦାର ଫେରିଯାଇଥିବା ଜଣାଯାଇଛି। ଚିତାଲୋଲ ଗ୍ରାମରେ ଅଦ୍ୟାବଧି କାମ ଆରମ୍ଭ ହୋଇନଥିବା ଜଣାଯାଇଛି। ଏଭଳିସ୍ଥଳେ କାମ ସମ୍ପୁର୍ଣ୍ଣ ହୋଇନଥିôବା ବେଳେ ଠିକାଦାରଙ୍କ ପକ୍ଷରୁ ସିହିିନି ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ନେଇ ଦୀନଦୟାଲ ଉପାଧ୍ୟାୟ ଯୋଜନାରେ ୧୩୬.୩୫ କୋଟି ଖର୍ଚ୍ଚ କରାଯାଇଥିବା ସମ୍ବନ୍ଧୀୟ ଏକ ବୋର୍ଡ ଆଣି ପୋତାଯିବା ସ୍ଥାନୀୟ ସରପଞ୍ଚ ତଥା ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଉକ୍ତ ବୋର୍ଡରେ ୨୩.୧.୧୯ରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଉଲ୍ଲେଖ ରହିଛି। ଏପରିକି ଏନେଇ ଠିକାଦାର ବିଲଙ୍କ ପକ୍ଷରୁ ୫୮୧୪ ହିତାଧିକାରୀଙ୍କୁ ନୁତନ ଭାବରେ ବିଦ୍ୟୁତ ସଂଯୋଗ ପ୍ରଦାନ ସମ୍ବନ୍ଧୀୟ ଏକ ପ୍ରମାଣପତ୍ରରେ ସ୍ଥାନୀୟ ସରପଞ୍ଚ ଶ୍ରୀ ସାହୁଙ୍କୁ ନୋ ଅବଜେକ୍ସନ ବୋଲି ଦସ୍ତଖତ କରିବାକୁ ବାଧ୍ୟ କରିଥିବା ଜଣାଯାଇଛି। ତେଲେ କାମ ନସରିଲେ ଦସ୍ତଖତ କରିବି ନାହିଁ ବୋଲି ସରପଞ୍ଚ ସିଧା ମନା କରିଦେଇଥିବା କହିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବାରମ୍ବାର ଜଣାଇବା ପରେ ବିଫଲ ହେବାରୁ ସରପଞ୍ଚ ଶ୍ରୀ ସାହୁ ତାଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିବା ପ୍ରମାଣ ପତ୍ର ଏବଂ ବୋର୍ଡର ଫୋଟୋ ବିଜେପିର ଜାତୀୟ ସ୍ତରର ଜଣେ ତୁଙ୍ଗ ନେତାଙ୍କୁ ପ୍ରେରଣ କରି ନ୍ୟାୟ ଦାବି କରିଥିବା ଜଣାଯାଇଛି। ଅପରପକ୍ଷରେ ଅନେକ ପରିବାରଙ୍କ ପୁର୍ବରୁ ବିଦ୍ୟୁତ ସଂଯୋଗ ରହିଥିବା ବେଳେ ସେମାନଙ୍କୁ ମଧ୍ୟ ନୁତନ ଯୋଜନାରେ ସାମିଲ କରି ଅର୍ଥ ଆତ୍ମସାତ କରାଯାଉଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ଟିଟିଲାଗଡ ୱେସ୍କୋ ସହକାରି ଯନ୍ତ୍ରୀ ବିବେକାନନ୍ଦ ଦୀକ୍ଷିତଙ୍କୁ ଯୋଗାଯୋଗ କରିବାରୁ ଠିକାଦାରଙ୍କୁ ଆମେ କହୁଛୁ, ବୋଧେ ତାହାର କିଛି ସମସ୍ୟା ରହିଛି ତେଣୁ କରୁନାହିଁ ବୋଲି କହିଛନ୍ତି। ଏପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ଯୋଜନାରେ ଏଭଳି ତଞ୍ଚକତା ନେଇ ବିଭାଗୀୟ ଉଚ୍ଚଅଧିକାରୀ ତଥା ରାଜ୍ୟ ସରକାର ବିହିତ ତଦନ୍ତ ସହ ଦୃଢ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

Comments are closed.