ନାବାଳିକା ବଳି ମାମଲା, ମୁଖ୍ୟ ଅଭିଯୁକ୍ତ କୁଞ୍ଜ କୋର୍ଟ ଚାଲାଣ

ଟିଟିଲାଗଡ଼/ସିନ୍ଧେକେଲା : ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବହୁ ଚର୍ଚ୍ଚିତ ନାବାଳିକା ବଳି ମାମଲାର ପ୍ରାୟ ୮ ମାସ ପରେ ଆଜି ସିନ୍ଧେକେଲା ପୁଲିସ ମୁଖ୍ୟ ଅଭିଯୁକ୍ତ କୁଞ୍ଜ ରଣାକୁ ଟିଟିଲାଗଡ କୋର୍ଟ ଚାଲାଣ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ସିନ୍ଧେକେଲା ଥାନା ଅନ୍ତର୍ଗତ ଝଲପ ପଞ୍ଚାୟତ ସାଲେବରଟ ଗ୍ରାମର ମୁସୃ ରଣାଙ୍କ ଝିଅ ଜନନୀ (୧୨) ୨୦୧୯ ଡିସେମ୍ବର ୨୪ରୁ ଘରୁ ନିଖୋଜ ରହିଥିଲେ। ପୂର୍ବରୁ ତନ୍ତ୍ରସିଦ୍ଧି ଓ ଗୁପ୍ତଧନ ପାଇବା ଆଶାରେ ୨୦୧୮ ଅକ୍ଟୋବର ୧୩ରେ ସିନ୍ଧେକେଲା ଗ୍ରାମର ମିଥୁନ ରଣା (୯)କୁ ଉକ୍ତ ଗ୍ରାମର ଦୁଇ ଜଣ କୁଞ୍ଜ ରଣା ଏବଂ ଶୋଭାବନ ରଣା ବଳି ଦେଇଥିଲେ। ଏହି ଘଟଣାରେ ପୁଲିସ ଦ୍ୱାରା ଗିରଫ ହୋଇ ଉଭୟେ ଜେଲ ଯାଇଥିଲେ। ପରେ ହାଇକୋର୍ଟରୁ ଜାମିନ ପାଇ ଦୁଇ ଜଣ ମୁକୁଳିଥିଲେ। ଏନେଇ ନାବାଳିକା ଜନନୀ ନିଖୋଜ ହେବା ଘଟଣାରେ ଗ୍ରାମବାସୀ ମହଲରେ ଉକ୍ତ ଦୁଇ ଜଣଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ସ୍ଥାନୀୟ ରଣା ସମାଜର ଉଦ୍ୟମ କ୍ରମେ ଘଟଣାର ତିନି ଦିନ ପରେ ସିନ୍ଧେକେଲା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା।

ନିଖୋଜର ବହୁ ଦିନ ପର୍ଯ୍ୟନ୍ତ ଜନନୀଙ୍କ ଖୋଜ ଖବର ନମିଳିବାରୁ ସ୍ଥାନୀୟ ଅଂଚଳରେ ବଳି ଦିଆଯାଇଥିବା ସନ୍ଦେହ ଦୃଢିଭୁତ ହୋଇଥିଲା। ଏହାକୁ ନେଇ ପୁଲିସ ତଦନ୍ତ ଦାବିରେ ସେ ସମୟରେ ସ୍ଥାନୀୟ ଲୋକେ ସିନ୍ଧେକେଲା ଥାନା ଘେରାଉ କରିଥିଲେ। ଅନ୍ୟପକ୍ଷରେ ନାବାଳିକା ନିଖୋଜର ପ୍ରାୟ ୧୩ ଦିନ ପରେ ୨୦୨୦ ଜାନୁୟାରୀ ୬ରେ ବଲାଙ୍ଗିର ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, ସିନ୍ଧେକେଲା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସମେତ ଏକ ଟିମ୍ କଲାହାଣ୍ଡି ଏବଂ ନୂଆପଡା ଜିଲା ସୀମାନ୍ତ ବରକାନୀ ଗ୍ରାମରୁ ୩ କିଲୋମିଟର ଦୂର ଚକାଗୁଞ୍ଜେନ ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ରହସ୍ୟର ପର୍ଦ୍ଦାଫାଶ ହୋଇଥିଲା। ସେଠାରେ ନାବାଳିକା ମୁଣ୍ଡ ଓ ଗଣ୍ଡି ଅଲଗା ହୋଇପଡିଥିବା ବେଳେ କିଛି ପୂଜା ସାମଗ୍ରୀ ରଖାଯାଇଥିଲା। ଘଟଣା ନେଇ ୨୦୧୯ ଜାନୁୟାରୀ ୭ରେ ବଲାଙ୍ଗିର ଏସପି ଏମ ସନ୍ଦୀପ ସମ୍ପଦ ପରିବାର ସୁଖ ଶାନ୍ତି ପାଇଁ ଜନନୀକୁ ବଡଭାଇ ଶୋଭାବନ ବଳି ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଜେଲରେ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁଞ୍ଜ, ତୋ ପରିବାରର ସୁଖଶାନ୍ତି ପାଇଁ ତୋ ଭଉଣୀକୁ ବଳି ଦେବାକୁ ପଡିବ ବୋଲି ଶୋଭାବନକୁ ପ୍ରବର୍ତାଇଥିଲା। ପୁର୍ବରୁ କୁଞ୍ଜ କଥାରେ ପଡି ନିଜ ମାମୁଁ ପୁଅ ଭାଇ ମିଥୁନକୁ ଶୋଭାବନ, କୁଞ୍ଜ ସହ ମିଶି ସ୍ଥାନୀୟ ଉନ୍ଦେର ନଦୀ ପଠାରେ ବଳି ଦେଇଥିଲା। ଏନେଇ ଜେଲରୁ ଜାମିନରେ ମୁକୁଳି କୁଞ୍ଜର କଥାରେ ଶୋଭାବନ ନିଜ ଭଉଣି ଜନନୀକୁ ବଳି ଦେବା ପାଇଁ ଆଗଭର ହୋଇଥିଲା। ଘଟଣାରେ ପୁଲିସ ଶୋଭାବନକୁ ସେ ସମୟରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ କୁଞ୍ଜ ଫେରାର ରହିଥିଲା। ଏହାକୁ ନେଇ ସାଲେବରଟ ଗ୍ରାମରେ ବହୁ ଦିନ ପର୍ଯ୍ୟନ୍ତ ଭୟର ବାତାବରଣ ଖେଳି ତାଟିକବାଟ ପଡିଯାଇଥିଲା। ଏପରିକି ସ୍କୁଲରେ ଉପସ୍ଥାନ ଶୁନ୍ୟ ହୋଇପଡିଥିଲା। ଏନେଇ ସେ ସମୟରେ ବଲାଙ୍ଗିର ଏସପି ଶ୍ରୀ ସମ୍ପଦ ଗ୍ରାମକୁ ଯାଇ ବୈଠକ କରି ପୂର୍ଣ୍ଣ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷରେ ଫେରାର ଅଭିଯୁକ୍ତ କୁଞ୍ଜ ପୁଣି ନିଜ ଗାଁ ସାଲେବରଟକୁ ଫେରି ଘରେ ଲୁଚିଥିବା ଖବର ପାଇ ପୁଲିସ ତାକୁ କାଲି ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ ଟିଟିଲାଗଡ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ଶତପଥି ସୂଚନା ଦେଇଛନ୍ତି। ଅନ୍ଧବିଶ୍ୱାସର କରୁଣ ପରିଣତିର ଶିକାର ହୋଇ ଗୋଟିଏ ମୁଣ୍ଡ ଗଡାଇ ଚାଲିଛି। ଆଇନର ଢିଲା ବାଟକୁ ନେଇ ଅପରାଧି ନୃଶଂସ କାଣ୍ଡ ଘଟାଉଛନ୍ତି। ମାନବ ସମାଜକୁ କଳଙ୍କିତ କରିଚାଲିଥିବା ହତ୍ୟାକାରୀଙ୍କୁ ଫାଶି ଦଣ୍ଡ ପ୍ରଦାନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

Comments are closed.