କାମକରୁନାହିଁ ଯୋଜନା: ବସରୁ ଓହ୍ଲାଇ ଯେଝା ବାଟରେ ଶ୍ରମିକ , ଷ୍ଟେସନରେ ଫୋପାଡିଲେ ଅଇଁଠା

ଟିଟିଲାଗଡ଼: ପ୍ରବାସୀ ଶ୍ରମିକଙ୍କୁ ନେଇ ଟିଟିଲାଗଡକୁ ବିଭିନ୍ନ ଅଞ୍ଚଳରୁ ଟ୍ରେନ ପହଞ୍ଚିବାରେ ଲାଗିଛି। ଗତକାଲି ମହାରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିଥିବା ବେଳେ ନାନାଦି ଅବ୍ୟବସ୍ଥା ପରିଲକ୍ଷିତ ହେବା ଆଲୋଚନାର ବିଷୟ ହୋଇଛି। ପୂର୍ବରୁ ୧୨୦୦ ଜଣ ଶ୍ରମିକ ଫେରିବା ପ୍ରଶାସନ ଘୋଷଣା କରିଥିବା ବେଳେ ୧୨୫୬ ଜଣ ପହଞ୍ଚିଥିବା ଜଣାଯାଇଛି। ଅପରାହ୍ନ ୨ଟାରେ ଟ୍ରେନ ଆସିବା ପରଠାରୁ ରାତ୍ରି ପ୍ରାୟ ପ୍ରାୟ ୧୦ଟା ପର୍ଯ୍ୟନ୍ତ ବସ, ବୋଲେରୋ, ଆମ୍ବୁଲାନ୍ସ ସହାୟତାରେ ରାଜ୍ୟର ବିଭିନ୍ନ ଜିଲା ଗୁଡିକରେ ରହିଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକୁ ଶ୍ରମିକଙ୍କୁ ପଠାଯାଉଥିବା ଦେଖାଯାଇଥିଲା। ଜଗତସିଂହପୁର ଜିଲାର କିଛି ଶ୍ରମିକ ବସ ଚାଲିଯିବା ନେଇ ବହୁ ସମୟ ଧରି ଅପେକ୍ଷା କରିଥିବା ବେଳେ ହୋହଲ୍ଲା କରିଥିବା ଜଣାଯାଇଛି। ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ପୁଡିଆ ଦିଆଯାଇଥିବା ବେଳେ ସେ ସବୁ ଖାଇ ଅଇଁଠା ଖଲି, ପ୍ୟାକେଟ ଷ୍ଟେସନ ପରିସରରେ ଫିଙ୍ଗାଫିଙ୍ଗି କରିଥିବା ଦେଖାଯାଇଥିଲା। ପରେ ସଫେଇ କର୍ମଚାରୀ ଆବଶ୍ୟକୀୟ ସେଫଟି କିଟ ବିନା ସେସବୁ ସଫା କରୁଥିବା ଦେଖାଯାଇଥିଲା। ଏପରିକି ବସରେ ଯିବା ବେଳେ ଅନେକ ଶ୍ରମିକ ଅଇଁଠା ଖାଦ୍ୟ ପ୍ୟାକେଟ ସହର ରାସ୍ତା କଡରେ ଫିଙ୍ଗାଫିଙ୍ଗି ତଥା ଅଇଁଠା ହାତ ଝରକା ପଟରୁ ଧୋଉଥିବା ନେଇ ସଂକ୍ରମଣ ଭୟ ରହିଥିବା ସହରବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଛି। ଗତକାଲି ଟ୍ରେନ ଯୋଗେ ମହାରାଷ୍ଟ୍ରର ଟିଟିଲାଗଡ ବ୍ଲକକୁ ୩୦ ଜଣ ଶ୍ରମିକ ଆସିବେ ବୋଲି କୁହାଯାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି।

ସମସ୍ତ ଶ୍ରମିକ କୁରସୁଡ ଆଦର୍ଶ ବିଦ୍ୟାଳୟ କେନ୍ଦ୍ରରେ ରହିବେ ବୋଲି ବ୍ଲକ ପ୍ରଶାସନ ନିଷ୍ପତି ନେଇଥିଲେ। ତେବେ ଟିଟିଲାଗଡ ସହରରେ ୨ ମହିଳା ଏବଂ ଜଣେ ଶିଶୁ ସମେତ ୫ ଜଣ ଶ୍ରମିକଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା। ସେମାନେ ରାତ୍ରି ପ୍ରାୟ ୯ଟା ପର୍ଯ୍ୟନ୍ତ ସହରରେ ଅସହାୟ ଭାବରେ ଏଣେତେଣେ ବୁଲୁଥିବା ଦେଖାଯାଇଥିଲା। ପରେ ପ୍ରଶାସନ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନେଇ ଘନ୍ଟବାହାଲି କରୋନା ଚିକିତ୍ସା କେନ୍ଦ୍ରରେ ନେଇ ଛଡାଯାଇଥିବା ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କହିଛନ୍ତି। ସେହିପରି ୧୮ ଜଣ ଶ୍ରମିକ ଯିଏ ଜୁଆଡେ ଚାଲିଯାଇଥିବା ଜଣାଯାଇଛି। ଏନେଇ କୁରସୁଡ ସରପଞ୍ଚ ପ୍ରତିନିଧି ସଞ୍ଜିବ ସାହୁଙ୍କୁ ପଚାରିବାରୁ ଆମେ ମାନେ ସମସ୍ତେ ସ୍କୁଲ ଭିତରେ ଜଗିଥିଲୁ। ଦୁଇଟି ବସ ଯାଇ ରାସ୍ତା ଉପରେ ଶ୍ରମିକଙ୍କୁ ଓହ୍ଲାଇଦେଲା। ସେଥିପାଇଁ କିଏ କୁଆଡେ ଗଲା ଜଣାପଡିଲାନାହିଁ ବୋଲି କହିଛନ୍ତି। ଘଟଣା ରାତ୍ରିରେ ପ୍ରଘଟ ନେଇ ଖୋଦ ଟିଟିଲାଗଡ ବିଡିଓ ନବିନ ଚନ୍ଦ୍ର ନାୟକ ରାତି ସାରା ଶ୍ରମିକ ସନ୍ଧାନରେ ଲାଗିପଡିଥିଲେ। ଏନେଇ ବିଡିଓଙ୍କୁ ପଚାରିବାରୁ ଟ୍ରେନରେ ଆସିଥିବା ଟିଟିଲାଗଡ ବ୍ଲକର ୪୩ ଜଣ ଶ୍ରମିକଙ୍କୁ ଦୁଇଟି ବସରେ କୁରସୁଡ ପଠାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ କୁରସୁଡ ସରପଞ୍ଚ ପ୍ରତିନିଧିଙ୍କ କହିବା ଅନୁଯାୟୀ ସେଠାରେ ୩୯ ଜଣ ଶ୍ରମିକ ପହଞ୍ଚିଛନ୍ତି।

ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ମୁକେଶ ଜୈନଙ୍କ କହିବା ଅନୁଯାୟୀ, ସେ ଉପସ୍ଥିତ ଥିବା ସମୟରେ ବସରେ ୪୬ ଜଣ ଶ୍ରମିକ ଆସିଥିଲେ। ଅନ୍ୟପକ୍ଷରେ ଇଚଗାଁ ଏବଂ ଖୋଲାନରେ ୬ ଜଣ ଶ୍ରମିକ ତଥା ଟିଟିଲାଗଡରେ ଜଣ ଶିଶୁ ସମେତ ୫ ଜଣ ଓହ୍ଲାଇଥିଲେ। ଏଭଳି ଗଣନାରେ କେତେ ଜଣ ଶ୍ରମିକ ପ୍ରକୃତରେ ଆସିଥିଲେ। କିଏ କୁଆଡେ ଗଲେ ତାହା ବୁଝାପଡୁନାହିଁ। କୁରସୁଡ କେନ୍ଦ୍ରରେ ଦୁଇ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ମଧ୍ୟ ସଙ୍ଗରୋଧ କରାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରୁ ଆସିଥିବା ବ୍ଲକର ମନିଗାଁ ଅନ୍ତର୍ଗତ ୧୭ ଜଣ ଶ୍ରମିକ କୁରସୁଡ କେନ୍ଦ୍ରରେ କିଛି ସମୟ ବିତାଇ ସେଠାରୁ କୁଆଡେ ଚାଲିଯାଇଥିବା ସରପଞ୍ଚ ପ୍ରତିନିଧି କହିଛନ୍ତି। ରେଳ ଷ୍ଟେସନରୁ ବଲାଙ୍ଗିର ପଟରେ ଯାଉଥିବା ବସ ଗୁଡିକ ଶଗଡଘାଟ ଠାରେ ଅଟକି ଶ୍ରମିକ ଓହ୍ଲାଇ ଚାପାନ ଖାଇବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ସେହିପରି ଗଞ୍ଜାମ ଅଭିମେୁଖେ ଯାଉଥିବା ୧୨ଟି ବସକୁ ଆଗ ପଛରେ ଦୁଇଟି ପୁଲିସ ଗାଡି ୨୧ କିଲୋମିଟର ଦୂର ବେଲଗାଁ ପର୍ଯ୍ୟନ୍ତ ଏସକର୍ଟ କରିନେଇଥିଲା। ତେବେ ତା’ପରଠାରୁ ବିନା ଏସକର୍ଟରେ ଗାଡି ଗୁଡିକ ଚାଲିଯାଇଥିବା ନେଇ ସଂଶୟ ପ୍ରକାଶ ପାଇଛି। କରୋନା ଗ୍ରସିତ ମହାରାଷ୍ଟ୍ର ଭଳି ରାଜ୍ୟରୁ ଫେରିଥିବା ଶ୍ରମିକଙ୍କୁ ନେଇ ପ୍ରଶାସନର କୌଣସି ସୁବ୍ୟବସ୍ଥିତ ଯୋଜନାର ଅଭାବ, ଖାମଖିଆଲି ମନୋଭାବ ନେଇ ଆଗାମୀ ଦିନରେ ଗୁରୁତର ସମସ୍ୟାକୁ ଏଡାଇଦିଆଯାଇନପାରେ ବୋଲି ବିଭିନ୍ନ ମହଲରେ ଏନେଇ ଚିନ୍ତା ପ୍ରକାଶ ପାଇଛି। ଅପରପକ୍ଷରେ ଖୋଦ କୋଭିଡ ପର୍ଯ୍ୟବେକ୍ଷକ, ସମ୍ବଲପୁର ଡିଆଇଜି, ବଲାଙ୍ଗିର ଜିଲାପାଳ, ଏସପି ଟିଟିଲାଗଡରେ ଉପସ୍ଥିତ ଥିବା ବେଳେ ଏଭଳି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଏଭଳି ଘଟଣା ନେଇ ଅଦ୍ୟାବଧି ସୁରକ୍ଷିତ ରହିଥିବା ଟିଟିଲାଗଡ ଅଞ୍ଚଳରେ ଆତଙ୍କ ଭାବ ପ୍ରକାଶ ପାଇଛି। ଏସମ୍ପର୍କରେ ବଲାଙ୍ଗିର ସାଂସଦଙ୍କ ଶିକ୍ଷା ପ୍ରତିନିଧି ଆଇନଜୀବୀ ଆଲୋକ ନାୟକ ସୋମବାର ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କୁ ସାକ୍ଷାତ କରି କ୍ଷୋଭ ପ୍ରକଟ କରିଛନ୍ତି। ଟିଟିଲାଗଡ ଚେମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ ସଭାପତି ଇଶ୍ୱର ଜୈନ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ସହର ମଧ୍ୟ ସ୍ଥଳରେ ରହିଥିବା ଷ୍ଟେସନ ବଦଳରେ ନିକାଂଚନ ସ୍ଥାନରେ ରହିଥିବା ଷ୍ଟେସନ ଗୁଡିକରେ ଶ୍ରମିକ ଓହ୍ଲାଇବା, ଜାକଜମକ ଭଳି ଦେଖାଣିଆ ବନ୍ଦ କରିବା ଆଦି ୪ ଦଫା ଦାବି ନେଇ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Comments are closed.