ଟିଟିଲାଗଡ଼ ତହସିଲରେ ଜମି କେଳେଙ୍କାରି : ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ଟିଟିଲାଗଡ଼ : ଟିଟିଲାଗଡ ତହସିଲରେ ଗୋଟିଏ ପରେ ଗୋଟିଏ ଜମି କେଳେଙ୍କାରି ପର୍ଦ୍ଦାଫାଶ ହୋଇ ଚାଲିଛି। ଏନେଇ ରାଜସ୍ୱ ବିଭାଗର ଅଧିକାରୀ ତଥା ରାଜ୍ୟ ସରକାରଙ୍କ ନିରବତା ନେଇ ପୀଡିତ ଅଦାଳତର ଦ୍ୱାରସ୍ଥ ହୋଇଛନ୍ତି। ଏପରିପ୍ରେକ୍ଷୀରେ ସ୍ଥାନୀୟ ତହସିଲର ଅଧିକାରୀ କର୍ମଚାରୀଙ୍କୁ ହାତ କରି ଜମି ବିକ୍ରୀ ମାମଲାରେ ଟିଟିଲାଗଡ ପୁଲିସ ଚଳିତ ମାସ ୮ ତାରିଖରେ ୫ ଜଣଙ୍କୁ ଗିରଫ ସହ ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରିଥିଲା। ଅଦାଳତ ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ଉକ୍ତ ଦିନରୁ ଟିଟିଲାଗଡ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଟିଟିଲାଗଡ ଅତିରିକ୍ତ ଜିଲା ଓ ଦୌରା ଜଜ ରାଜେଶ ନାୟାରଙ୍କ କୋର୍ଟରେ ଏନେଇ ଜାମିନ ଆବେଦନ ବୁଧବାର ଶୁଣାଣି ହୋଇଥିଲା। ପୀଡିତଙ୍କ ପକ୍ଷରୁ ସରକାରି ଅଧିବକ୍ତା ରାଧାକାନ୍ତ ପାଢୀ ଜମି କେଳେଙ୍କାରି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ଏସମ୍ପର୍କରେ ଆଜି ଅଦାଳତ ଶୁଣାଣି କରି ସମସ୍ତ ଅଭିଯୁକ୍ତ ଜାମିନ ଆବେଦନ ଖାରଜ କରିଥିବା ଶ୍ରୀ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ , ସହରର ସ୍ୱର୍ଗତ ରାମେଶ୍ୱର ବେହେରାଙ୍କ ୫ ପୁଅ ତଥା ୪ ଝିଅ ସମେତ ୯ ଜଣ ସନ୍ତାନ ଉତରାଧିକାରୀ ରହିଛନ୍ତି। ସେ ମଧ୍ୟରୁ ଜଣେ ଜାଲ କାଗଜାତ ପ୍ରସ୍ତୁତ ସହ ସରକାରି ଅଧିକାରୀଙ୍କୁ ହାତ କରି କରି ପୈତୃକ ସମ୍ପତି ବିକ୍ରୟ କରିଛନ୍ତି। ସ୍ୱର୍ଗତ ରାମେଶ୍ୱରଙ୍କ ୯ ଜଣ ସନ୍ତାନଙ୍କ ମଧ୍ୟରୁ ତାଙ୍କର ଜଣେ ପୁତ୍ର ଆଖଣ୍ଡଳ ନିଜେ ଏବଂ ତାଙ୍କରି ଚାରି ପୁଅ ବବୃ, ସଞ୍ଜିବ, ରାଜୁ ଆକାଶହିଁ ପୈତୃକ ସମ୍ପତିର ଏକ ମାତ୍ର ଉତରାଧିକାରୀ ବୋଲି ୨୦୧୫ରେ ଟିଟିଲାଗଡ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଇନଗତ ଉତରାଧିକାରୀ ପ୍ରମାଣ ପତ୍ର ଜାରି କରାଯାଇଥିଲା। ଏହି ପ୍ରମାଣ ପତ୍ର ବଳରେ ଅଭିଯୁକ୍ତ ଆଖଣ୍ଡଳ ଏବଂ ତାଙ୍କ ପୁତ୍ରମାନେ ସ୍ୱର୍ଗତ ରାମେଶ୍ୱରଙ୍କ ନାମରେ ରହିଥିବା ୧୬ ଏକର ୯୬୦ ଡିସମିଲ ଇଜମାଲି ଜମି ମଧ୍ୟରୁ ୩ ଏକର ୪୨ ଡିସମିଲ ଏବଂ ୪ ଏକର ୮୦ ଡିସମିଲ ଜମି ରାଜକୁମାର ଅଗ୍ରୱାଲ ଏବଂ ୭ ଏକର ୯୬ ଡିସମିଲ ଜମି ବର୍ଷା ଅଗ୍ରୱାଲଙ୍କୁ ବିକ୍ରୟ କରିଥିଲେ। ଜମି ବିକ୍ରୟ ନେଇ ସେମାନେ କ୍ରେତାଙ୍କ ଠାରୁ ୨୭ ଲକ୍ଷ ୭୯ ହଜାର ୯୦୦ ଟଙ୍କା ଗ୍ରହଣ କରିଥିବା ସରକାରି ନଥି ପତ୍ରରେ ଦର୍ଶାଇଛନ୍ତି। ତେବେ ପ୍ରକୃତରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୁଲ୍ୟରେ ଜମି ବିକ୍ରୟ ହୋଇଥିବା ଆଲୋଚନା ହୋଇଛି। ୨୦୧୬ରେ ପରିବାର ଅନ୍ୟ ସଦସ୍ୟ ଅଦୈତ ବେହେରା ଏବଂ ତାଙ୍କ ଭାଇଭଉଣୀ ଏସମ୍ପର୍କରେ ଅବଗତ ହୋଇ ତହସିଲ କାର୍ଯ୍ୟାଳୟ ଦ୍ୱାରା ଜାରି ଜାଲ ଆଇନଗତ ଉତରାଧିକାରୀ ପ୍ରମାଣ ପତ୍ର ନେଇ ତହସିଲଦାରଙ୍କୁ ସବିଶେଷ ତଥ୍ୟ ମାଗିଥିଲେ। ତେବେ ତସହିଲଦାର ତାଙ୍କ ଚିଠି ନମ୍ବର ୨୪୧୫ ତା. ୧୨.୮.୧୬ରେ ଉତରାଧିକାରୀ ପ୍ରମାଣ ପତ୍ର ଜାରି ସମ୍ବନ୍ଧୀୟ ଫାଇଲ ତାଙ୍କ ଅଫିସରୁ ଗାୟବ ଯାଇଥିବା ଅଦୈତଙ୍କୁ ଜଣାଇଥିଲେ। ଅପରପକ୍ଷରେ ଆଖଣ୍ଡଳ ପୈତୃକ ଜମି ବିକ୍ରୟ ନେଇ ଟିଟିଲାଗଡ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ନିଜ ସତ୍ୱ ଅଧିକାର ନେଇ ତହସିଲଦାରଙ୍କ ଦ୍ୱାରା ଜାତି ଉତରାଧିକାରୀ ପ୍ରମାଣ ପତ୍ର ଦାଖଲ କରିଥିଲେ। କିନ୍ତୁ ସବରେଜିଷ୍ଠ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହି ମନା କରିଦେଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ୨୦.୬.୧୬ରେ ଅଦୈତ ଟିଟିଲାଗଡ ଥାନାର ଦ୍ୱାରସ୍ଥ ହେବା ସହ ବଲାଙ୍ଗିର ଏସପି, ସମ୍ବଲପୁର ଡିଆଇଜି ତଥା ରାଜ୍ୟ ପୁଲିସ ଡିଜିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଦୈତ ୨୭.୨୧୭ରେ ଟିଟିଲାଗଡ ଏସଡିଜେଏମଙ୍କ ଠାରେ ଅଭିଯୋଗ ପିଟିସନ ଦାଖଳ କରିଥିଲେ। କୋର୍ଟଙ୍କ ଆଦେଶ ନେଇ ୫.୪.୧୭ରେ ଟିଟିଲାଗଡ ପୁଲିସ କେସ ନଂ ୧୦୫/୧୭, ଦଫା ୧୨୦ ବି, ୪୨୦, ୪୬୫, ୪୬୭, ୪୬୮, ୪୭୧, ୪୭୪, ୫୦୬,୨୯୪ ତଥା ୩୪ ଆଇପିସିରେ ମାମଲା ରୁଜୁ କରି ଚୁପ ବସିଥିଲା। ଏନେଇ ଅଦୈତ ଉଚ୍ଚ ନ୍ୟାୟାଳୟରେ ସିଆର ଏଲଏମପି ନଂ.୪୦୫/୧୮ଦାଖଲ କରିଥିଲେ। ମାମଲାରେ ଟ୍ରାଏଲ କୋର୍ଟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ ପୁଲିସ ଗତ ୧୧ ତାରିଖରେ ଅଭିଯୁକ୍ତ ଆଖଣ୍ଡଲ ଏବଂ ତାଙ୍କ ଚାରି ପୁତ୍ରଙ୍କୁ ଗିରଫ ସହ ଏସଡିଜେଏମଙ୍କ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା। ଅଭିଯୁକ୍ତଙ୍କ ଦ୍ୱାରା ସେସନ ଅଦାଳତରେ ଜାମିନ ଆବେଦନ ଆଜି ଖାରଜ ହୋଇଛି। ଅପରପକ୍ଷରେ ଏହି ଜମି କେଳେଙ୍କାରିରେ ସାମିଲ ଦୁଇ କ୍ରେତା ଫେରାର ହୋଇଯାଇଥିବା ପୁଲିସ ଦର୍ଶାଇଛି। ଅପରପକ୍ଷରେ ସରକାରି ନିୟମକୁ ଅଣଦେଖା କରି ବିହିତ ତଦନ୍ତ ନକରି ଉତରାଧିକାରୀ ପ୍ରମାଣ ପତ୍ର ଜାରି କରିବା ଘଟଣାରେ ତହସିଲଦାର ତଥା ସମ୍ପୃକ୍ତ କର୍ମଚାରୀଙ୍କୁ ସରକାରଙ୍କ ମାଫ୍‍ ନୀତି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରେ ରେଜିଷ୍ଟ୍ରୀ ଅଧିକାରୀ ତଥା କର୍ମଚାରୀ ମଧ୍ୟ ଛନ୍ଦି ହୋଇପଡିଛନ୍ତି। ଟିଟିଲାଗଡ ତହସିଲରେ ଏପରିକି ୧୯୫୩ରୁ କାର୍ଯ୍ୟ କରୁଥିବା ସରକାରି କୋଠା ଭିତିରିଆ ବିକ୍ରୟ ହୋଇସାରିଛି। ଅନ୍ୟ ଏକ ମାମଲାରେ ୫୬ ଜଣ ଦାବିଦାର ରହିଥିବା ପୈତୃକ ଜମିର ଭାଗବନ୍ଟା ନେଇ ଅଦାଳତରେ ପାର୍ଟିସନ ପିଟିସନ ବିଚାରାଧିନ ରହିଥିବା ବେଳେ ଗୋପନରେ କିଛି ଲୋକଙ୍କ ନାମରେ ପଟ୍ଟା ହୋଇ ପଟ୍ଟା ସମ୍ବନ୍ଧୀୟ ଫାଇଲ ତହସିଲ କାର୍ଯ୍ୟାଳୟରୁ ଉଭାନ ମଧ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି। ଖୋଦ ଟିଟିଲାଗଡ ଜିଲାପାଳଙ୍କ ସରକାରି ନିବାସ ସମ୍ମୁଖରେ ଜଣେ ଅର୍ବପତି ବ୍ୟକ୍ତି କିଛି ଅଧିକାରୀଙ୍କୁ ହାତ କରି ମୁଲ୍ୟବାନ ଜମି ହାତେଇ ବ୍ୟବସାୟ ଚଲାଇଥିବା ଅଭିଯୋଗ ହୋଇଛି। ଏକ୍ଷେତ୍ରରେ ସରକାରଙ୍କ ୫ଟି, ମୋ ସରକାର ଆଦି ଯୋଜନା ଅସାଧୂ ଅଧିକାରୀଙ୍କ କ୍ଷେତ୍ରରେ ନତମସ୍ତକ ହୋଇପଡୁଥିବା ଆଲୋଚନା ହୋଇଛି। ସରକାରି କାର୍ଯ୍ୟକ୍ରମରେ ଅସାଧୂ କାରବାର ନେଇ କେବେ ଅଙ୍କୁଶ ଲାଗିବ ତାହା ଏବେ ସାଧାରଣ ଜନତାଙ୍କ ମାନସରେ ଏକ ବିରାଟ ପ୍ରଶ୍ନ ଭାବରେ ଉଭା ହୋଇଛି।

 

Comments are closed.