ଡବ୍ଲ୍ୟୁଓଡିସି ପାଣ୍ଠି ବୃଦ୍ଧି ; କାର୍ଯ୍ୟକ୍ଷମ ହେବ ସରକାରୀ ଶୀତଳ ଭଣ୍ଡାର !

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ଚାହାଁରଭଟା ଭେଜପେକ ହାଉସ। ଅଭାବି ବିକ୍ରୀର ଶିକାର ହେଉଥିବା ଏଅଞ୍ଚଳର ଚାଷୀଙ୍କ ଉତ୍ପାଦନ ସଂରକ୍ଷଣ ଉଦ୍ଦେଶ୍ୟ ନେଇ ସରକାରୀ ତହବିଲରୁ ପ୍ରାୟ ୮ କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା। ହେଲେ ଶୀତଳ ଭଣ୍ଡାରଟି ଚାଷୀଙ୍କ କାମକୁ ଆସିପାରିନି। ଗୋଟିଏ ପଟେ କୃଷି ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କାନ୍ଦୁଥିବା ବେଳେ ସେମାନଙ୍କ ପାଇଁ ଯୋଜନା ଓ ପ୍ରକଳ୍ପ ଅଦରକାରୀ ଓ ଅବ୍ୟବହୃତ ହୋଇ ରହିଯାଇଛି। ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଶହେ କୋଟି ଟଙ୍କା ଅନୁଦାନ ବଦଳରେ ୨ଶହ ଟଙ୍କା ମିଳିଥିବାରୁ ଅକାମୀ ହୋଇପଡିଥିବା ଚାହାଁରଭଟା ଶୀତଳଭଣ୍ଡାର ପୁଣିଥରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ଦେଖାଦେଇଛି।
ଟିଟିଲାଗଡ ଉପଖଣ୍ଡରେ ରେକର୍ଡ ପିଆଜ ଚାଷକୁ ନେଇ ଚାଷୀଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଆପିକଲ ସଂସ୍ଥା ଦ୍ୱାରା ୨୦୧୧ରୁ ଶୀତଳ ଭଣ୍ଡାରଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫ଶହ ମେଟ୍ରିକ ଟନ ପିଆଜ ଓ ୪ଶହ ମେଟ୍ରିକ ଟନ ପନି ପରିବା, ଫଳ ଇତ୍ୟାଦି ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏହି ଶୀତଳ ଭଣ୍ଡାରଟିକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ନଭେମ୍ବର ୨୦୧୬ରେ ଉଦଘାଟନ କରିଥିଲେ। ବିଶେଷ କରି ପିଆଜ ଉତ୍ପାଦନ କ୍ଷେତ୍ରରେ ଦେଶରେ ରେକର୍ଡ ସୃଷ୍ଟି କରିଆସିଥିବା ଟିଟିଲାଗଡ ଅଞ୍ଚଳର ଚାଷୀ ଶୀତଳ ଭଣ୍ଡାର ନିର୍ମାଣ ନେଇ ଉତ୍ସାହିତ ହୋଇଥିଲେ। ମେ ୨୦୧୭ରେ ଚାଷୀ ସେମାନଙ୍କ ଉତ୍ପାଦ ପ୍ରାୟ ୧୮୭୪ କ୍ୱିଣ୍ଟାଲ ଅମଳ ପିଆଜ ପେକ ହାଉସରେ ସଂରକ୍ଷିତ ରଖିଥିଲେ। ତେବେ ଦିନ କେଇଟାରେ ସଂରକ୍ଷିତ ପିଆଜ ସବୁ ଗଜା ହେବା ସହ ପଚି ଯାଇଥିଲା। ପରିସ୍ଥିତି ଏଭଳି ହେଲା ଯେ ଖୋଦ ପ୍ରଶାସନ ପେକ ହାଉସ ପରିସରରେ ଗାତ ଖୋଳି ଚାଷୀଙ୍କ ସଂରକ୍ଷିତ ପିଆଜକୁ ପୋତି ଦେବାକୁ ବାଧ୍ୟ ହୋଇଥିଲେ। ଅପରପକ୍ଷରେ ଚାଷୀଙ୍କୁ ସେମାନଙ୍କ ଫସଲର କ୍ଷତିପୁରଣ ରାଶି ମଧ୍ୟ ଦିଆଗଲା ନାହିଁ। ଅମଳ ଋତୁରେ ସଂରକ୍ଷଣ ବ୍ୟବସ୍ଥାର ଅଭାବ ନେଇ ଚାଷୀ ସେମାନଙ୍କ ଉତ୍ପାଦ ଶାଗ ମାଛ ଦରରେ ବିକ୍ରୟ କରି ତଳିତଳନ୍ତା ହେଉଛନ୍ତି।
ବିଶେଷ କରି ଏଅଞ୍ଚଳରୁ ରେକର୍ଡ ପରିମାଣରେ ଉତ୍ପାଦନ ହେଉଥିବା ପିଆଜକୁ ସଂରକ୍ଷଣ ଅଭାବ ନେଇ ଅମଳ ପରେ ଚାଷୀ ବାହାର ରାଜ୍ୟର ବେପାରିଙ୍କୁ କିଲୋ ପ୍ରତି ୬ରୁ ୭ଟଙ୍କାରେ ବିକ୍ରୟ କରିବାକୁ ବାଧ୍ୟ ହୋଇଥାଆନ୍ତି। ସେହି ପିଆଜ ପରେ ବଜାରକୁ ଫେରି କେଜି ପ୍ରତି ୭୦ରୁ ୮୦ ଟଙ୍କା ଛୁଏଁ। ରାଜ୍ୟ ବାହାରର ବେପାରି ମାଲେମାଲ ହୋଇଥାନ୍ତି। ହେଲେ ଉତ୍ପାଦକ ଚାଷୀ ମୂଳ ଧନ ହରାଇଥାଏ। ପାତଲଘଣ୍ଟା, ବାଇଗଣ ଅଧିକ ଉତ୍ପାଦନ ନେଇ ଚାଷୀ ଉତ୍ସାହିତ ହେବା ପରିବର୍ତ୍ତେ ସଂରକ୍ଷଣ ବ୍ୟବସ୍ଥା ଅଭାବ ନେଇ ରାସ୍ତାରେ ଫସଲ ଢାଳିବା, ବାରିରେ ଗାଈଗୋରୁ ମଡାଇବା ଭଳି ବ୍ୟଥିତ କଲା ଭଳି ଦୃଶ୍ୟ ଥରାଇ ଦେଇଥାଏ। ୮ କୋଟି ଟଙ୍କାରେ ନିର୍ମିତ୍ତଶୀତଳ ଭଣ୍ଡାର କାନ୍ଥବାଡ, ପାଚେରି ଭାଙ୍ଗିରୁଜି ସତ୍ତା ହରାଇବାକୁ ବସିଲାଣି। ଲକ୍ଷ ଲକ୍ଷ ଟଙ୍କାର ମେସିନ, ଟ୍ରାନ୍ସଫର୍ମର, ଫ୍ରିଜର ସବୁ ମୁକୁଳା ପଡିଛି। ଗୋଟିଏ ଫସଲ ବି ସଂରକ୍ଷିତ ରଖିପାରି ନଥିବା ଏହି ପ୍ରକଳ୍ପର ଅଧୋଗତି ଚାଷୀଙ୍କ ନଇଁ ପଡିଥିବା ଅଣ୍ଟାରେ ଶକ୍ତ ବିଧା ପ୍ରାୟ ହୋଇଛି ବୋଲି ଚର୍ଚ୍ଚା ହେଉଛି।
ସେମାନେ କହନ୍ତି…….
ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିଥିବା ମୋର ବଜାର ମୂଲ୍ୟରେ ପ୍ରାୟ ୩୫ ଲକ୍ଷ ଟଙ୍କାର ପିଆଜ ନଷ୍ଟ ହେଲା। ବାରମ୍ବାର ଉପ ଜିଲାପାଳ, ଜିଲାପାଳ, ଉଦ୍ୟାନ କୃଷି ବିଭାଗ ରାଜ୍ୟ ନିର୍ଦ୍ଦେଶକ, ଆପିକଲ ଏମଡି ଭୁବନେଶ୍ୱରଙ୍କ ପାଖକୁ ଅନେକ ଥର ଧାଇଁଲୁ। ୨୦୧୮ ଜାନୁୟାରୀ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ଠକାମୀର ଶିକାର ହେଲୁ ବୋଲି ଆଶା ଛାଡିଦେଲୁ। କୋର୍ଟ କଚେରି ଯାଇ ନ୍ୟାୟ ପାଇବାକୁ ହାତରେ ଆଉ କିଛି ସମ୍ବଳ ନାହିଁ।
ଶାନ୍ତ ପାତ୍ର, କ୍ଷତିଗ୍ରସ୍ତ ଚାଷୀ
ଶୀତଳ ଭଣ୍ଡାର ନିର୍ମାଣ ନେଇ ଆମେ ଉତ୍ସାହିତ ହୋଇପଡିଥିଲୁ। ଟିଟିଲାଗଡ ଫାରମର୍ସ ଉତ୍ପାଦକ ଗୋଷ୍ଠୀ, ମୁରିବାହାଲ ଫାରମର୍ସ ଉତ୍ପାଦକ ଗୋଷ୍ଠୀ ଗଠନ ସହ ପିଆଜ ଚାଷ ପ୍ରତି ଜୋର ଦେଇଥିଲୁ। ହେଲେ ଆମେ ଏଭଳି ଘୋର କ୍ଷତି ସହିବୁ ବୋଲି କେବେ ଭାବି ନଥିଲୁ। ପ୍ରକଳ୍ପର ଅଧୋଗତି ଓ ଚାଷୀଙ୍କ ଫସଲର କ୍ଷୟକ୍ଷତି ପାଇଁ ଉତ୍ତରଦାୟୀ କିଏ ସରକାର ତାହା ସ୍ପଷ୍ଟ କରନ୍ତୁ।
ପିତାମ୍ବର ବେହେରା, କ୍ଷତିଗ୍ରସ୍ତ ଚାଷୀ
ଅତୀତରେ ଦେଓଗାଁ ଚିନି କଳକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ଦେଇ ଚଳାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଚଳିତ ଥର ପରିଷଦର ପାଣ୍ଠିକୁ ପୂର୍ବାପେକ୍ଷା ଦ୍ୱିଗୁଣିତ କରିଛନ୍ତି। ଏହାର ଅଧ୍ୟକ୍ଷ ଭାବରେ ଟିଟିଲାଗଡ ମାଟିର ସୁଯୋଗ୍ୟ ସନ୍ତାନ ଅସିତ ତ୍ରିପାଠୀ। ସେ ଅପେଡା ଅଧ୍ୟକ୍ଷ ରହିଥିବା ବେଳେ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଇଥିଲେ। ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏବେ ସେ ଧ୍ୟାନ ଦେବେ ବୋଲି ଆମ ଚାଷୀଙ୍କ ଆଶା ରହିଛି।