ବର୍ଷ ବର୍ଷ ଧରି ଚାଲିଛି କୋଟି କୋଟି ଟଙ୍କାର ଚୋରା ରତ୍ନପଥର ବେପାର- ଏହାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଦାବି

ଟିଟିଲାଗଡ଼- ବଲାଙ୍ଗିର ଜିଲାର ମୁରିବାହାଲ, ସଇଁନ୍ତଲା ତଥା ଟିଟିଲାଗଡ ବନ ରେଞ୍ଜ ତଥା ଏହି ତିନୋଟି ଥାନା ଅଞ୍ଚଳ ମଧ୍ୟରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ଦଶନ୍ଧି ଧରି ହଜାର ହଜାର ବୃକ୍ଷ ଛେଦନ ସହ ବେଆଇନ ରତ୍ନପଥର ଖନନ କାରବାର ରାଜୁ ସାହୁ ନାମକ ବ୍ୟକ୍ତି ଚଳାଇ ଆସୁଥିବା ଅଭିଯୋଗ ହୋଇଛି । ରାଜୁ ସାହୁ ମଧ୍ୟ ବର୍ଷ ବର୍ଷ ଧରି ପ୍ରଶାସନକୁ ଚକମା ଦେଇଚାଲିଛି । ଗତ ୨୨ରେ ରତ୍ନପଥର ଖଣି ଗାତରେ କାର୍ଯ୍ୟ କରୁଥିବା ସମୟରେ ଦୁଇ ଶ୍ରମିକ ନବିନ ଜାନୀ ଏବଂ ଉଜ୍ଜ୍ୱଳ ଭୋଇଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ନେଇ ମୃତ ଶ୍ରମିକ ପରିବାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲା ପୁଲିସ ରତ୍ନପଥର ମାଫିଆ ରାଜୁ ବିରୁଦ୍ଧରେ ମାମଲା ଦାୟର କରିଛି । ଜିଲା କନ୍ଧ ସମାଜ ଯୁବ ସଂଗଠନ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ପଦା ସହ ବେଆଇନ ବ୍ଲାଷ୍ଟିଂ, ବିରାଟ ଗାତମାନ ଖନନ ସହ ଦେଶବିଦେଶକୁ ରତ୍ନପଥର ଚାଳାଣ ସହ କୋଟୋକୋଟି ଟଙ୍କାର ବେପାର କରୁଥିବା ରାଜୁ ଚନ୍ଦନ ଦସ୍ୟୁ ବୀରାପ୍ପନ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ସବୁଠି ଆଲୋଚନା । ବୀରାପ୍ପନ ପରି ରାଜୁ ମଧ୍ୟ ବନବିଭାଗ ତଥା ପୁଲିସ ପ୍ରଶାସନ ପାଇଁ ଏବେ ବି ଅପହଞ୍ଚ ହୋଇ ରହିଛି । ସଂରକ୍ଷିତ ବନାଞ୍ଚଳ ମଧ୍ୟରେ ବ୍ୟାପକ ବୃକ୍ଷ ସମ୍ପଦ ହାନୀ ହୋଇ ଚାଲିଥିବା ନେଇ ବର୍ଷବର୍ଷ ଧରି ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିଲା । ଅଭିଯୁକ୍ତ ରାଜୁ ଏବଂ ବନବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାଜୁର କଳା ସାମ୍ରାଜ୍ୟ ବୃଦ୍ଧି ହୋଇଥିବା କନ୍ଧ ସମାଜ ପକ୍ଷରୁ ଅଭିଯୋଗ ହୋଇଛି ।

ଗତ ଶୁକ୍ରବାର ସକାଳେ ଦୁଇ ଶ୍ରମିକଙ୍କ ବେଆଇନ ରତ୍ନପଥର ଖଣିରେ ମୃତ୍ୟୁ ଘଟିଥିଲା । ଘଟଣାର ୭ ଦିନ ପରେ ମଧ୍ୟ ରାଜୁ ଧରା ନପଡିବା ନେଇ ସଂଗଠନର ଜିଲା ଉପସଭାପତି ଧନେଶ୍ୱର ମାଝୀ, ବାସୁଦେବ ଜାନୀ, ସୁରେନ ଭୋଇ, ତରୁଣ ଭୋଇ ପ୍ରମୁଖ ଟିଟିଲାଗଡ ଥାନାକୁ ଆସି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଖୁବ ଶୀଘ୍ର ରାଜୁ ଗିରଫ ହେବ ବୋଲି ଥାନାଧିକାରୀ ରଞ୍ଜନ ବରିହା କହିଛନ୍ତି । ଅପରପକ୍ଷରେ ପରିବାର ଦ୍ୱୟଙ୍କୁ ରେଡକ୍ରସ ପାଣ୍ଠିରୁ କେବଳ ୩୦ ହଜାର ଟଙ୍କାଏ ଲେଖାଏଁ ପ୍ରଦାନ କରି ପ୍ରଶାସନ ନିଜ କାମ ସାରିଦେଇଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କୁ ଉପଯୁକ୍ତ ସହାୟତା ତଥା ଅଭିଯୁକ୍ତ ରାଜୁ ଏବଂ ଦୋଷୀ ବନବିଭାଗ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କନ୍ଧ ସମାଜ ଯୁବ ସଂଗଠନ ନେତା ଦାବି କରିଛନ୍ତି ।

Comments are closed.