ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

ଟିଟିଲାଗଡ଼: ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଲମି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରତ୍ନପଥର ଖନନ ସମୟରେ ଖଣି ଗାତ ମଧ୍ୟରେ ଦୁଇ ଆଦିବାସୀ ଶ୍ରମିକଙ୍କ ମୃତ୍ୟୁ ମାମଳାରେ ଛନ୍ଦି ହୋଇଛି ବନବିଭାଗ। ଦୀର୍ଘ ବର୍ଷ ଧରି ସଂରକ୍ଷିତ ଜଙ୍ଗଲର ଶହଶହ ମୁଳ୍ୟବାନ ଗଛ କାଟି ହଜାର ହଜାର ଗାତ କରି ରତ୍ନପଥର ସନ୍ଧାନ ଚାଲିଥିଲା। ଉକ୍ତ ଗାତରେ ପଶି ରତ୍ନପଥର ସନ୍ଧାନ କରୁଥିବା ବେଳେ ଗତ ମାସ ୨୨ ତାରିଖରେ ଦୁଇ ଆଦିବାସୀ ଶ୍ରମିକ ନବୀନ ଜାନୀ ଏବଂ ଉଜ୍ଜ୍ୱଳ ଭୋଇ ଶ୍ୱାସରୁଦ୍ଧ ହୋଇ ମୃତ ବରଣ କରିବା ପରେ ବନବିଭାଗର ଚେତା ପଶିଛି। ବନବିଭାଗର ନୁଆ ବଲାଙ୍ଗିର ଜିଲା ମୁୁଖିଆ ନୀତିଶ କୁମାର ଉକ୍ତ ଦୁର୍ଗମ ସ୍ଥାନକୁ ଗସ୍ତ କରି ଫେରିବା ପରେ ଏବେ ଦୀର୍ଘ ୭ଦିନରୁ ଊର୍ଦ୍ଧ୍ବ ହେଲା ଜେସିବି ମେସିନ ସହାୟତାରେ ପ୍ରାୟ ୪୦ରୁ ୫୦ ଫୁଟ ଗଭିର ଗାତ ସବୁ ପୋତା ଆରମ୍ଭ ହୋଇଛି। ତେବେ ହଜାର ହଜାର ଗାତ ଥିବାରୁ ସମସ୍ତ କଳଙ୍କ ପୋଛିବାକୁ ବନବିଭାଗକୁ ପ୍ରାୟ ମାସେରୁ ଅଧିକ ସମୟ ଲାଗିଯିବ ବୋଲି ମୁରିବାହାଲ ନୁତନ ବନରେଞ୍ଜ ଅଧିକାରୀ ଲିଙ୍ଗ ଭୋଇ କହିଛନ୍ତି। ଗାତରେ ପଡି ଅନେକ ଜୀବଜନ୍ତୁ ସହ ଶ୍ରମିକଙ୍କ ମଧ୍ୟ ମୃତଦେହ ମିଳିବ ବୋଲି ତଦନ୍ତ ପାଇଁ ଜିଲା କନ୍ଧ ଯୁବ ସମାଜ ସଂଗଠନ ଅଭିଯୋଗ କରିଆସିଛି। ଅପରପକ୍ଷରେ ସାମାନ୍ୟ ଜାଳେଣି କାଠ ଆଣିଲେ ମାମଲା ରୁଜୁ ସହ ଜୋରିମାନା ଅସୁଲ କରୁଥିବା ବନବିଭାଗର ଏକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ନିରବତା ପ୍ରଶ୍ନବାଚି ସୃଷ୍ଟି କରିଛି। ରାଜୁର ଘର ସମ୍ମୁଖରେ ଗୁଲମି ବନପାଳଙ୍କ କାର୍ଯ୍ୟାଳୟ ରହିଛି। ଏନେଇ ବନବିଭାଗର ଅପାରଗତା ତଥା କିଛି ବନ ଅଧିକାରୀଙ୍କ ସ୍ୱାର୍ଥନ୍ୱେଷୀ ମନୋଭାବ ଯୋଗୁଁ ହିଁ ତଥାକଥିତ ଗୁଲମି ଗ୍ରାମର ରତ୍ନପଥର ମାଫିଆ ରାଜୁ ସାହୁର ସାମ୍ରାଜ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଘଟଣାର ପରଠାରୁ ତଥାକଥିତ ରତ୍ନପଥର ମାଫିଆ ଫେରାର ହୋଇଛି। ଘଟଣା ଦିନ ସ୍ଥାନୀୟ ଅଞ୍ଚଳବାସୀ ପୁଲିସକୁ ରାତି ସାରା କ୍ଷତିପୁରଣ ଦାବିରେ ପୁଲିସକକୁ ଜଙ୍ଗଲରେ ଅଟକ ରଖିଥିଲେ। ତା ପରଦିନ ଉଭୟ ମୃତକ ଶ୍ରମିକଙ୍କ ମୃତଦେହ ଟିଟିଲାଗଡ ଥାନା ସମ୍ମୁଖରେ ରଖି ରାତ୍ର ୮ ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଗତ ୧୧ ତାରିଖ ଦିନ ମୃତକଙ୍କ ପତ୍ନୀ, ସନ୍ତାନ ତଥା ଗ୍ରାମବାସୀ ଟିଟିଲାଗଡ ଥାନାକୁ ଆସି ରାଜୁକୁ ତୁରନ୍ତ ଗିରଫ ଦାବି କରିଥିଲେ। ରାଜୁକୁ ଧରନୀ ଖୁଣ୍ଟରେ ବଳି ଦେବୁ ବୋଲି ଚେତାବନି ଦେଇଥିଲେ। ଏନଇ ପୁଲିସ ୮ ଦିନ ସମୟ ମାଗିଥିବା ପ୍ରକାଶ। ଅପରପକ୍ଷରେ ଅଭିଯୁକ୍ତ ରାଜୁ ଏବଂ କର୍ଲା, ଟିକ୍ରାପଡା, ଗୁଲମି ତଥା କଲାହାଣ୍ଡି, ବଲାଙ୍ଗିର ଜିଲା ଅଞ୍ଚଳରେ ଥିବା ତାହାର ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିବାକୁ ପୁଲିସ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ଜଣାପଡିଛି।

Comments are closed.