ସଞ୍ଚୟ ହତ୍ୟା ମାମଲା, ସାନ ଭାଇ ଗିରଫ ପରେ ସହଯୋଗୀ ଉମେଶକୁ ଜେରା

ଟିଟିଲାଗଡ: ଟିଟିଲାଗଡ ହାଟପଦାପଡ଼ାର ସଞ୍ଜୟ ବେହେରା ନାମକ ଜଣେ ଯୁବକ ଗତ ଅକ୍ଟୋବର ୬ ତାରିଖରେ ନିଖୋଜ ହୋଇଥିଲେ। ଏସଂପର୍କରେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ କଲା ବେଳେ ନିଖୋଜ ସଞ୍ଚୟଙ୍କ ସାନ ଭାଇ ପ୍ରମୋଦଙ୍କ ଉପରେ ସନ୍ଦେହ ବଢିଥିଲା। ସାନ ଭାଇକୁ ତଦନ୍ତ ପରିସରଭୁକ୍ତ କରିବାରୁ ଟିଟିଲାଗଡରୁ ୫ କିଲୋମିଟର ଦୂର ଝାରଦେବନ୍ଧ ଜଙ୍ଗଲରେ ବଡ ଭାଇ ସଞ୍ଚୟଙ୍କୁ ହତ୍ୟା କରି ପୋତି ଦେଇଥିବା କହିଥିଲା। ଥାନା ଅଧିକାରୀ ରଞ୍ଜନ ବରିହା ଅଭିଯୁକ୍ତ ପ୍ରମୋଦକୁ ନେଇ ଗତ ଅକ୍ଟୋବର ୨୭ ତାରିଖରେ ମୃତ ସଞ୍ଚୟଙ୍କ ଶବ ଉଦ୍ଧାର କରିବା ସହ ଅଦାଲତକୁ ସାନ ଭାଇକୁ ପଠାଇଥିଲେ। ସେଠାରେ ଜାମିନ ଖାରଜ ସହ ତାକୁ କାରାଗାରକୁ ପଠାଇ ଦିଆଯାଇଥିଲା। ତେବେ ସେ ଏକୁଟିଆ ଏହି ହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଏହି ହତ୍ୟାକାଣ୍ଡରେ ଅନ୍ୟମାନେ ସଂପୃକ୍ତ ଥିବା ସନ୍ଦେହ କରିଥିଲା ଟିଟିଲାଗଡ ପୁଲିସ।

ସୂଚନାଯୋଗ୍ୟ ଯେ, ବିଦ୍ୟୁତ ବିଭାଗରେ କାମ କରିଥିବା ମୃତ ପିତା ଗିଦଲି ବେହେରାଙ୍କ ଜୀବନ ବୀମା ନିଗମ ଓ ଅନ୍ୟାନ୍ୟ ସଞ୍ଚୟ ୧୫ ଲକ୍ଷ ଟଙ୍କାକୁ ଏକାକୀ ହଡପ କରିବା ଯୋଜନାରେ ରଖିଥିଲା ହତ୍ୟାକାରୀ ପ୍ରମୋଦ। ବଡ ଭାଇ ସଞ୍ଚୟଙ୍କୁ ବାଟରୁ ହଟାଇବା ପାଇଁ ସହଯୋଗୀଙ୍କ ସହ ଯୋଜନା କରିଥିଲା। ଅନ୍ୟପଟେ ହତ୍ୟାରେ ସଂପୃକ୍ତି ଥିବା ସନ୍ଦେହରେ ଫେରାର ଥିବା ଅନ୍ୟତମ ସହଯୋଗୀ ୩୫ ବର୍ଷୀୟ ଉମେଶ ବାରିକ(ହାଟପଦା ପଡ଼ା) ଟିଟିଲାଗଡ ଆସିଥିବା ବେଳେ ତାକୁ ଶନିବାର ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା। ସଞ୍ଚୟ ହତ୍ୟା ମାମଲାରେ ସହ ଅଭିଯୁକ୍ତ ଉମେଶକୁ ମଧ୍ୟ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଖାରଜ ହେବାରୁ କାରାଗାରକୁ ପଠାଇ ଦିଆଯାଇଛି। ସେହିପରି ହତ୍ୟା କରି ପୋତିବା ବେଳେ ହତ୍ୟାରେ ସଂପୃକ୍ତ ସହଯୋଗୀମାନେ ଏହାର ଭିଡିଓ ଉତ୍ତଳନ କରିଥିବା ସୁରାକ ପାଇଛି ପୁଲିସ।

Comments are closed.