ଘରୋଇ ପ୍ରୀତି ନା’ ମାଗଣା ସ୍ୱାସ୍ଥ୍ୟ ସେବା ଯୋଜନା

ଟିଟିଲାଗଡ଼: ଅନୁନ୍ନତ କେବିକେ ଜିଲା ଅନ୍ତର୍ଗତ ପଶ୍ଚିମ ଓଡିଶାର ସର୍ବବୃହତ ଉପଖଣ୍ଡ ଟିଟିଲାଗଡରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଉପଖଣ୍ଡ ଅନ୍ତର୍ଗତ ୫ଟି ବ୍ଲକ ତଥା ପଡୋଶୀ ନୂଆପଡା, କଳାହାଣ୍ଡି ଜିଲାର ରୋଗୀ ୧୨୦ ଶଯ୍ୟା ବିଶିଷ୍ଟ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଉପରେ ପ୍ରାୟତଃ ନିର୍ଭର କରିଥାନ୍ତି। ହେଲେ ଗରିବଙ୍କ ପାଇଁ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଯୋଜନା ଏଠାରେ ତାତ୍ସଲ୍ୟରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ଅଭାବ ଦର୍ଶାଇ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ସର୍ବଦା ସୁଯୋଗ ଅପେକ୍ଷାରେ ରହିଥିବା ଘରୋଇ ନର୍ସିଂ ହୋମ ଦଳାଲର ଶିକାର ହେଉଛନ୍ତି। ଏହି ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନା କତିପୟ ବ୍ୟକ୍ତିଙ୍କୁ ଲାଭ ପ୍ରଦାନ ପାଇଁ ଉଣା ଅଧିକେ ସବୁଠି ଏବେ ଘରୋଇ ଛାପ ନେଇ ଚର୍ଚ୍ଚା।

ଡାକ୍ତରଖାନାରେ କେବଳ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ହିସାବରେ ହିଁ ରୋଗୀଙ୍କ ବିଭିନ୍ନ ନମୂନା ପରୀକ୍ଷା କରାଯାଇଥାଏ। ଏନେଇ ଡାକ୍ତରଖାନା ବାହାରେ ରହିଥିବା ପାଥୋଲାବ ଗୁଡିକର ଦଳାଲଙ୍କ ଶାଗୁଣା ଭଳି ଆଖିରୁ ବର୍ତ୍ତି ନପାରି ଅସହାୟ ଗରିବ ଲୋକେ ପେଷି ହେଉଥିବା ଦେଖାଯାଏ। ଡାକ୍ତରଖାନାରେ ଏକ୍ସରେ ମେସିନ ରହିଥିବା ବେଳେ ଡିଜିଟାଲ ଏକ୍ସରେ ନାମରେ ବାହାରକୁ ପଠାଇ ଶୋଷଣ ଚାଲିଛି। ଏପରିକି ଏକ୍ସରେ ପିଛା ସାତ ଶହ ଟଙ୍କା ପର୍ଯ୍ୟନ୍ତ ଗରିବ ରୋଗୀ ଗଣୁଥିବା ଚର୍ଚ୍ଚା ହେଉଛି। ଅଲଟ୍ରାସାଉଣ୍ଡ ମେସିନ କେବଳ ଡାକ୍ତରଖାନାରେ ଭର୍ତ୍ତି ପ୍ରସୂତିଙ୍କ ପାଇଁ ବ୍ୟବହାର ହେଉଛି। ଫଳରେ ଡାକ୍ତରଖାନାରେ ଅନ୍ୟ ରୋଗୀ ଅଲଟ୍ରସାଉଣ୍ଡ ପାଇଁ ବାହାରେ ମୋଟା ଅଙ୍କର ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି। ସହର ସାରା ମାଳମାଳ ଘରୋଇ କ୍ଲିନିକ, ପାଥୋ, ନସିଂ ହୋମ ସେବା ଯୋଗାଇ ଦେବା ନାମରେ ରୋଗୀଙ୍କ ଠାରୁ ଟଙ୍କା ଝଡ଼ାଇ ମାଲାମାଲ ହେଉଛନ୍ତି। ଏପରିକି ଏଭଳି ଅଭିଯୋଗ ନେଇ ଡାକ୍ତରଖାନା ଗସ୍ତ ଅବସରରେ ମନ୍ତ୍ରୀ ଟୁକୁନୀ ସାହୁ ଦଲାଲ ପ୍ରବେଶ ପାଇଁ ରହିଥିବା ଗୁପ୍ତ ପଥକୁ ବନ୍ଦ କରିବା ପାଇଁ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଆଲୋଚନାର ବିଷୟ ପାଲଟିଥିଲା। ଏପରିପ୍ରେକ୍ଷୀରେ ଏଅଞ୍ଚଳରେ ସଂଖ୍ୟା ଗରିଷ୍ଠ ଗରିବ ଜନତାଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଯୋଗାଣ କ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନା ପରିସରରେ ମାଗଣା ଔଷଧ ପ୍ରଦାନ ନେଇ ରହିଥିବା ନିରାମୟ ଜନଔଷଧୀ କେନ୍ଦ୍ର କଡରେ ଘରୋଇ ଔଷଧ ଦୋକାନ ରହିଛି। ଡାକ୍ତରଖାନା ପରିସରରେ ମାଗଣା ଔଷଧ ସହ ଘରୋଇ ଔଷଧ ଦୋକାନ ସମାନ୍ତରାଳ ଭାବରେ ଚାଲିଥିବା ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ କାଳେ ସରକାରୀ ଔଷଧ କାମ ଦେବନି ବୋଲି ପ୍ରାୟତଃ ନିରାମୟ କେନ୍ଦ୍ର ଶୁନଶାନ ପଡୁଥିବା ବେଳେ ଘରୋଇ ଔଷଧ ଦୋକାନରେ ଭିଡ ଅସମ୍ଭାଳ।

ସୂଚନା ଯେ ସରକାରଙ୍କ ପକ୍ଷରୁ ଡାକ୍ତରଖାନାରେ କୌଣସି ଡାକ୍ତର ବାହାରର ଔଷଧ ଲେଖିପାରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଏପରିପ୍ରେକ୍ଷୀରେ ଏଠାରେ ଘରୋଇ ଔଷଧ ଦୋକାନର କାମ କଣ ତାହା ବୁଝାପଡୁନାହିଁ। ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ନାୟକଙ୍କୁ ଏସମ୍ପର୍କରେ ପଚାରିବାରୁ ସରକାରଙ୍କ ପକ୍ଷରୁ ନିରାମୟ ଜନଔଷଧୀ କେନ୍ଦ୍ରରେ ୧୭୨ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା କହିଛନ୍ତି। ପୂର୍ବରୁ ଏଠାରେ ରହିଥିବା ଘରୋଇ ଔଷଧ ଦୋକାନ ୨୦୧୭ରେ ବନ୍ଦ ହେବାର ଥିଲା। ତେବେ ସହରର ଜନୈକ ଇଶ୍ୱର ଜୈନ ନାମକ ବ୍ୟକ୍ତି ଉପରୁ ୨୦୨୨ ଜୁନ ପର୍ଯ୍ୟନ୍ତ ଔଷଧ ଦୋକାନ ଖୋଲିବେ ବୋଲି ଆଦେଶ ଆଣିଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ୫ ବର୍ଷ ପାଇଁ ଔଷଧ ଦୋକାନୀ ଇଶ୍ୱର ୧,୯୫,୮୦୦ ଟଙ୍କା ଜମା କରିଥିବା ରସିଦ ଆମକୁ ମିଳିଥିବା ଡା. ନାୟକ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡାକ୍ତରଖାନାର ବିଭିନ୍ନ ଆନୁସାଙ୍ଗିକ ବିକାଶ ପାଇଁ ରୋଗୀ କଲ୍ୟାଣ ସମିତି ରହିଛି। ସମିତିକୁ ସରକାରୀ ଯୋଜନାରୁ ବାର୍ଷିକ ପ୍ରାୟ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ମନ୍ତ୍ରୀ ସମିତିର ଅଧ୍ୟକ୍ଷା ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିଛନ୍ତି। ଏମତିରେ ରୋଗୀ କଲ୍ୟାଣ ସମିତିର ବିନା ଅନୁମୋଦନରେ ଡାକ୍ତରଖାନା ପରିସରସ୍ଥ ଠିକ ପ୍ରବେଶ ଦ୍ୱାରରେ ଏକ ବିରାଟ ଷ୍ଟଲ,ଷ୍ଟୋର ରୁମକୁ କିଭଳି ଔଷଧ ଦୋକାନ ନାମରେ ଅତ୍ୟନ୍ତ ନ୍ୟୁନ ମାସିକ ଭଡା ଦରରେ ଜଣେ ଘରୋଇ ବ୍ୟକ୍ତିଙ୍କ ହାତରେ ସମର୍ପି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। କିଛି ବ୍ୟକ୍ତିଙ୍କ ଚକ୍ରାନ୍ତରେ ସରକାରୀ ଯୋଜନାକୁ ଆଣ୍ଠେଇ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଗରିବ ରୋଗୀ ସେବାରେ ଅବ୍ୟବସ୍ଥା ଚରମସୀମା ଡେଇଁଥିବା ଟିଟିଲାଗଡ ଗରିବ ସେନା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ ଅଭିଯୋଗ କରିଛନ୍ତି। ଗରିବଙ୍କୁ ମାଗଣା ଔଷଧ ଯୋଜନା ପ୍ରଦାନ କୁ ଫୁ କରିବା ପାଇଁ ସରକାର ଅନୁନ୍ନତ୍ତ ଅଞ୍ଚଳର ସରକାରୀ ଡାକ୍ତରଖାନାରେ ଘରୋଇ ଔଷଧ ଦୋକାନ ଖୋଲି ରଖିବା ହାସ୍ୟାସ୍ପଦ। ସରକାର ତୁରନ୍ତ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ ସହ ସରକାରୀ ଡାକ୍ତରଖାନାକୁ ଆସୁଥିବା ଗରିବ ରୋଗୀଙ୍କୁ ଲୁଟତରାଜରୁ ସୁରକ୍ଷା ଦେବାକୁ ଆଇନଜୀବୀ ଶ୍ରୀ ବାଗ ଦାବି କରିଛନ୍ତି। ବଲାଙ୍ଗିର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭିମ ସାହୁଙ୍କୁ ଏସମ୍ପର୍କରେ ଯୋଗାଯୋଗ କରିବାରୁ ଔଷଧ ଦୋକାନୀ ଇଶ୍ୱର ଉଚ୍ଚ ନ୍ୟାୟାଳୟରେ ପିଟିସନ କରିଥିବା ଯୋଗୁଁ ଆମେ ନିରୁପାୟ ବୋଲି କହିଛନ୍ତି।

Comments are closed.