କୋଭିଡ ସେବା: ଉପ-ଜିଲାପାଳଙ୍କ ଡାକ୍ତର ପତ୍ନୀ ଦେଉଛନ୍ତି ସେବା, ଫୋନ୍‍ ଉଠାଉ ନାହିଁ ସୂଚନା କେନ୍ଦ୍ର

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଦୈନିକ ହାରାହାରି ପାଞ୍ଚ ଶହରୁ କମୁନାହିଁ। ଏହି ଡାକ୍ତରଖାନା ଉପରେ ଉପଖଣ୍ଡ ତଥା ପଡୋଶୀ ନୂଆପଡା ତଥା କଳାହାଣ୍ଡି ଜିଲାର ଲୋକେ ନିର୍ଭର କରୁଛନ୍ତି। ଏଠାକାର ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ଚିନ୍ତା ବଢାଇଛି। ୩ ଜଣ ଡାକ୍ତର ଛୁଟିରେ। ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ଡାକ୍ତର ପତ୍ନୀ ଶୁଭାଙ୍ଗି ଶୁକ୍ଳା ରୋଗୀ ସେବା ପାଇଁ ଆଗେଇ ଆସିଛନ୍ତି। ଶ୍ରୀମତୀ ଶୁକ୍ଳାଙ୍କ ରୋଗୀ ସେବା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ସହ ଗୁରୁତର ୪ରୁ ୫ଜଣଙ୍କୁ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ରବିବାର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ଓ ପୌର କଲ୍ୟାଣ ମଣ୍ଡପ ପରିସରରେ ୧୨୦ ଜଣ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା। ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଶନିବାର ଉପଖଣ୍ଡ ଅନ୍ତର୍ଗତ ଗ୍ରାମାଞ୍ଚଳର ଜଣେ କରୋନା ସଂକ୍ରମିତ ଯୁବକ ଶ୍ୱାସ ନେବାରେ କଷ୍ଟ ଅନୁଭବ ସହ ଅକ୍ସିଜେନ ସ୍ତର ୯୦କୁ ଖସିଆସିଥିଲା। ଏନେଇ ପରିବାର ପକ୍ଷରୁ ଟିଟିଲାଗଡ ସହରରୁ ଘରୋଇ ଅକ୍ସିଜେନ ସିଲିଣ୍ଡର ଯୋଗାଡ ସହ ଘରେ ଉପଚାର ହେଉଥିଲେ। ତେବେ ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ପଠାଯାଇଛି। ଅନେକ ଲୋକ ନିଜ ପକ୍ଷରୁ ରାଜଧାନୀ ସମେତ ଅନ୍ୟ ସହରକୁ ଯାଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଟିଟିଲାଗଡ ସହରର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ବଲାଙ୍ଗିର କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଟିଟିଲାଗଡ ବରିଷ୍ଠ ନାଗରିକ କମିଟି ସଭାପତି ଅଶ୍ୱିନୀ ମହାନ୍ତି ଜିଲା ପ୍ରଶାସନ ଦ୍ୱାରା ଜାରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ନମ୍ବର ୯୪୩୮୭୭୬୩୯୪, ୦୬୬୫୨-୨୩୨୭୭୩ ଏବଂ ୨୩୦୯୬୯କୁ ସକାଳ ସାଢେ ୧୦ଟାରେ ଫୋନ କରିଥିଲେ। ହେଲେ କେହି ଫୋନ ଉଠାଇ ନଥିବା କହିଛନ୍ତି।

ଟିଟିଲାଗଡ ଉପଖଣ୍ଡର ରୋଗୀଙ୍କ ପାଇଁ ଖୋଲାଯାଇ ଥିବା ପିପଲପଦର କରୋନା ସେବା କେନ୍ଦ୍ରରେ କୌଣସି ଉପଯୁକ୍ତ ଚିକିତ୍ସା ସୁବିଧା, ଅମ୍ଳଜାନ, ଜୀବନ ରକ୍ଷାକାରୀ ବାୟୁ ସଞ୍ଚାଳନ ଯନ୍ତ୍ର(ଭେଣ୍ଟିଲେଟର୍‍) ତଥା ବିଶେଷଜ୍ଞ ଡାକ୍ତର ନିଯୁକ୍ତ ନହୋଇ କେବଳ ସଙ୍ଗରୋଧ କେନ୍ଦ୍ର ଭାବରେ ବ୍ୟବହାର ହେବା ଚିନ୍ତା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବ୍ୟବସାୟୀ ସଂଘ ପକ୍ଷରୁ ଗତ ବୁଧବାର ସନ୍ଧ୍ୟା ଠାରୁ ସୋମବାର ପର୍ଯ୍ୟନ୍ତ ୪ ଦିନ ହେଲା ଦୋକାନ ବଜାର ବନ୍ଦ ଡାକରା ମିଆଦ ସରିବା ନେଇ ପୁଣି ସହରରେ ଭିଡ ବୃଦ୍ଧି ସହ ପରିସ୍ଥିତି ଜଟିଳ ହେବା ଆଶଙ୍କା ପ୍ରକାଶ ପାଇଛି।

Comments are closed.