କାନ୍ଦୁଛି ଚାଷୀ ଓ ଗ୍ରାହକ ; ଶଢ଼ିଗଲା ୮୦ ଲକ୍ଷ ଟଙ୍କାର ପିଆଜ, ୫ କୋଟିର ଶୀତଳଭଣ୍ଡାର ବେକାର

୮ରେ ବିକି ୮୦ ରେ କିଣୁଛି ଚାଷୀ

ଟିଟିଲାଗଡ଼(ଦିଲୀପ କୁମାର ପୁରୋହିତ) : ପିଆଜ ଉତ୍ପାଦନ କ୍ଷେତ୍ରରେ ମହାରାଷ୍ଟ୍ର ନାସିକ ଭଳି ଓଡ଼ିଶାରେ ଟିଟିଲାଗଡ଼ ଉପଖଣ୍ଡର ବିଶେଷ ଖ୍ୟାତି ରହିଛି। ଏହି ଉପଖଣ୍ଡର ସଇଁତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଓ ଟିଟିଲାଗଡ଼ ସଦର ବ୍ଲକର ଚାଷୀ ପିଆଜ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହିତ ରେକର୍ଡ କରି ଆସୁଥିଲେ। ଉଦ୍ୟାନ କୃଷି ବିଭାଗର ସୂଚନା ମୁତାବକ ଟିଟିଲାଗଡ଼ ଉପଖଣ୍ଡର ପ୍ରାୟ ୩୦୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇ ୬୦ ହଜାର ମେଟ୍ରିକ ଟନରୁ ଅଧିକ ଉତ୍ପାଦନ ହେଉଥିଲା; କିନ୍ତୁ ପ୍ରୋତ୍ସାହନ ଓ ସଂରକ୍ଷଣ ବ୍ୟବସ୍ଥାର ଅଭାବ, ପ୍ରାକୃତିକ ଦୁର୍ବିପାକ ଯୋଗୁ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇ ଧିରେ ଧିରେ ପିଆଜ କ୍ଷେତରୁ ମୁହଁ ଫେରାଉଛନ୍ତି।

ଅନ୍ୟପକ୍ଷରେ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ପିଆଜ ଘର ଦିଆ ଯାଇ ନଥିବା ଅଭିଯୋଗ ହେଉଛି। ପିଆଜ ଚାଷୀ ସରକାରୀ ପ୍ରକଳ୍ପ ନେଇ ଗୁରୁତର କ୍ଷତିର ସମ୍ମୁଖୀନ ହେବା ପିଆଜ ଚାଷ ପ୍ରତି ବିମୁଖତାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି। ଗତ ୨୦୧୬ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ୨୮ ଲକ୍ଷ ୩୫ ହଜାର ୪୯୦ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଭେଜ ପେକହାଉସକୁ ଉଦ୍‌ଘାଟନ କରିଥିଲେ। ୫୦୦ ମେଟ୍ରିକ ଟନ ପିଆଜ ଓ ୪୦୦ ମେଟ୍ରିକ ଟନ ପରିବା ସଂରକ୍ଷଣ କ୍ଷମତା ଥିବା ଏହି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବାରୁ ଚାଷୀ ମହଲରେ ଉତ୍ସାହ ପ୍ରକାଶ ପାଇଥିଲା। ଟିଟିଲା ଉପଖଣ୍ଡ ଅଞ୍ଚଳର ପିଆଜ ଚାଷୀ ୧୮୭୪ କ୍ବିଣ୍ଟାଲ ପିଆଜ ଏହି ପେକହାଉସରେ ସଂରକ୍ଷିତ ରଖିଥିଲେ; କିନ୍ତୁ ଉପଯୁକ୍ତ ଶୀତଳିକରଣ ବ୍ୟବସ୍ଥା ଅଭାବରୁ ଦିନ ​କେଇଟା ପରେ ଚାଷୀଙ୍କ ପିଆଜ ପଚିସଢ଼ି ଯାଇଥିଲା।

୨୦୧୭ ଜୁନ ୧୩ ତାରିଖରେ ‘ସମାଜ’ରେ ଖବର ପ୍ରକାଶନ ପରେ ଚାଷୀମାନେ ପେକହାଉସକୁ ଧାଇଁଲା ବେଳକୁ ସାଉଁଟିବାକୁ ଆଉ କିଛି ନଥିଲା। ଶେଷରେ ପ୍ରଶାସନ ପଚିସଢ଼ି ଦୁର୍ଗନ୍ଧରେ ଫାଟି ପଡୁଥିବା ପ୍ରାୟ ୮୦ ଲକ୍ଷ ଟଙ୍କାର ପିଆଜକୁ ପେକହାଉସ ପରିସରରେ ଗାତ ଖୋଳି ପୋତି ଦେଇଥିଲା। ଏହି ଘଟଣା ଚାଷୀର କଲ୍ୟାଣ ପାଇଁ ସରକାରୀ ଯୋଜନାର ବାସ୍ତବ ଚିତ୍ର ବର୍ଣ୍ଣନା କରୁଛି।
ସେହି ସମୟରେ କ୍ଷତିଗ୍ରସ୍ତ ଚାଷୀ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ସୂର୍ଯନାରାୟଣ ପାତ୍ର ଓ ଟିଟିଲାଗଡ଼ ବିଧାୟକ ଟୁକୁନୀ ସାହୁଙ୍କ ସହିତ ଜିଲା ପ୍ରଶାସନ, ଆପିକଲ, ନାବାର୍ଡ, କେବିକେ ମୁଖ୍ୟ ପ୍ରଶାସକ, ଉଦ୍ୟାନ କୃଷି ବିଭାଗର ଦ୍ୱାରସ୍ଥ ହୋଇଥିଲେ। ତଥାପି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିଲା ନାହିଁ। ସରକାରୀ ନିଷ୍ଠା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଚାଷୀଙ୍କ ଶୀତଳଭଣ୍ଡାର ଧ୍ୱଂସସ୍ତୁପ ଭଳି ହୋଇପଡ଼ିଛି। ଏଭଳି ସ୍ଥିତିରେ ଚାଷୀଙ୍କ ମନୋବଳ ଭାଙ୍ଗି ପଡ଼ିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଚାଷୀ ସମ୍ମାନ ପାଇଥିବା ପିତାମ୍ବର ବେହେରା କହନ୍ତି।

ଗତ ବର୍ଷ ପିଆଜର ସରକାରୀ ବିହନ ଦର କିଲୋ ପ୍ରତି ୨୦୦ ଟଙ୍କା ଥିବା ବେଳେ ଏ ବର୍ଷ ତାହା ୫୭୦କୁ ବୃଦ୍ଧି ପାଇଛି। ଚାଷ କାମରେ ଶ୍ରମିକ ନିୟୋଜନ ନେଇ ଚାଷୀ ହାତରେ ମୂଳଧନର ଅଭାବ ଓ ସରକାରୀ ବିହନ ଏ ଯାଏ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏଭଳି ଅନେକ ସମସ୍ୟା ଯୋଗୁ ଚାଷୀ ପରିବାର ପିଆଜ ଚାଷ ପ୍ରତି ବିମୁଖ ହୋଇଥିବା ଟିଟିଲାଗଡ଼ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ କହିଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ପିଆଜ ଚାଷକୁ ପ୍ରୋତ୍ସାହନ ପାଇଁ ହେକ୍ଟର ପ୍ରତି ଚାଷୀଙ୍କୁ ୫୮ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି। ୧୫୦୦ରୁ ୨୦୦୦ ହେକ୍ଟର ଜମିରେ ପିଆଜ ଚାଷ ଲକ୍ଷ୍ୟ ରହିଛି। ମହାରାଷ୍ଟ୍ରରେ ବନ୍ୟା ନେଇ ପିଆଜ ବିହନ ଦର ବୃଦ୍ଧି ଘଟିଛି। ରାଜ୍ୟ ବିହନ ନିଗମ ବିହନ ଯୋଗାଣ କରିନଥିବାରୁ ଚାଷୀଙ୍କୁ ବଣ୍ଟନ ବିଳମ୍ବିତ ହେଉଥିବା ଉଦ୍ୟାନ କୃଷି ଅଧିକାରୀ କହିଛନ୍ତି।

୮ରେ ବିକି ୮୦ ରେ କିଣୁଛି ଚାଷୀ
ଭବାନୀପାଟଣା(ବିଜୟ ଦ୍ୱିବେଦୀ)- କଳାହାଣ୍ଡି ପିଆଜ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛି। ଚାଷୀର ବିଡ଼ମ୍ବନା; ମଣ୍ଡି ଓ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ଯେଉଁ ପିଆଜକୁ କିଲୋ ୮ ଟଙ୍କାରେ ଦରରେ ଦଲାଲ ହାତରେ ଟେକି ଦେବାକୁ ବାଧ୍ୟ ହୋଇଥିଲା ​କିଛି ଦିନ ପରେ ସେହି ପିଆଜକୁ ଦୋକାନରୁ ୮୦ ଟଙ୍କା ଦେଇ କିଣି ଆଣୁଛି। ଏହି ଅନୈତିକ କାରବାରରେ ରାଜ୍ୟ ବାହାର ଆନ୍ଧ୍ର ଓ ଛତିଶଗଡ଼ ବେପାରୀ ଓ ଦଲାଲ ମାଲାମାଲ ହଉଥିବା ବେଳେ ଚାଷୀ ବିଚରା ଭାଗ୍ୟକୁ ଆଦରି ପଡ଼ିରହିଛି।

କଳାହାଣ୍ଡି ଜିଲା ଯେଉଁ ପିଆଜ ଚାଷୀ ତା’ର ଉତ୍ପାଦିତ ସାମଗ୍ରୀକୁ ୩ ଟଙ୍କାରୁ ୮ ଟଙ୍କା ଦରରେ ବିକ୍ରି କରିଥିଲା ସେହି ପିଆଜକୁ ୭୦ରୁ ୮୦ ଟଙ୍କାରେ ଦୋକାନରୁ କିଣୁଛି। ଜିଲାର ଧର୍ମଗଡ଼ ଉପଖଣ୍ଡର ଧର୍ମଗଡ଼, ଗୋଲାମୁଣ୍ଡା, ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼, ଭବାନୀପାଟଣା ଉପଖଣ୍ଡର ବୋର୍ଡା, ଗୁରୁଜୁଙ୍ଗ, ଅର୍ତ୍ତଲ, କୁଲିଆମାଲ, ମାଦିଗୁଡ଼ା, ଡୁମୁରିଆ, ଚହଗାଁ, ତୁରକେଲ, ପଲନା, କାନ୍ଦୁଲଝର, ପାଇକପଡ଼ା, ଅଜରାଇ, ସାପସିଲେଟ, ବୋରଭଟା, ଚପଟଖଣ୍ଡା, କର୍ଲାପଡ଼ା, ମାଣିଙ୍ଗ, ସେଁପୁର, ମାଦିଗୁଡ଼ା, ବାଲିପଦର, କର୍ଲାପିଟା, ଖୋଲପଲା, ମାଟିଆ ଆଦି ଗ୍ରାମ ପଞ୍ଚାୟତ ଏବଂ କେସିଙ୍ଗା, କର୍ଲାମୁଣ୍ଡା, ମଦନପୁର ରାମପୁର, ନର୍ଲା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର ବ୍ଲକର ଅନେକ ଗ୍ରାମ ପଞ୍ଚାୟତରେ ସର୍ବାଧିକ ପିଆଚ ଚାଷ ହୋଇଥାଏ। ଏହି ଜିଲାରେ ୨ ହଜାର ୪୮୫ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଅମଳ ଲକ୍ଷ୍ୟ ଥିଲା ୩୮ ହଜାର ଟନ। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ଚାଷୀ ପିଆଜକୁ ଅଭାବୀ ବିକ୍ରି କଲା। ଡିସେମ୍ବର, ଜାନୁୟାରୀରେ ପିଆଜ ଅମଳ ଆରମ୍ଭ ହୋଇ ମାର୍ଚ୍ଚ ସୁଦ୍ଧା ସରିଯାଏ। ସରକାରୀ ସ୍ତରରେ ପିଆଜ ସଂରକ୍ଷଣ ଓ ବିକ୍ରି ବ୍ୟବସ୍ଥା ଅଭାବ ଅଭାବୀ ବିକ୍ରିର ମୂଳ କାରଣ ବୋଲି କୁହାଯାଉଛି। ଏହି କାରଣରୁ ଅନେକ ପୁରୁଣା ପିଆଜ ଚାଷୀ ପିଆଜ ଚାଷରୁ ମୁହଁ ଫେରାଉଛନ୍ତି। ତେଣୁ ଏବେ ଆବଶ୍ୟକତା ପୂରଣ କରିବାକୁ ମହାରାଷ୍ଟ୍ର ନାସିକ ଓ ଆନ୍ଧ୍ରପ୍ରଦେଶରୁ ପିଆଜ ଆସୁଛି।

ପିଆଜ ଉତ୍ପାଦନ ଓ ଆମଦାନୀ ହ୍ରାସ ପାଇଥିବାରୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆନ୍ଧ୍ର ପିଆଜ କ୍ବିଣ୍ଟାଲ ପିଛା ୩୬୦୦ ଟଙ୍କାରୁ ୩୮୦୦ ଟଙ୍କା, ନାସିକ ପିଆଜ ୩୮୦୦ ଟଙ୍କାରୁ ୪୨୦୦ ଟଙ୍କା ଏବଂ ଉନ୍ନତ କିସମର ପିଆଜ ୪ ହଜାର ଟଙ୍କାରୁ ୪୫୦୦ ଟଙ୍କାରେ ବିକ୍ରି ହେଉଛି। କିଲୋ ପିଛା ୪ରୁ ୭ ଟଙ୍କା ଲାଭ ରଖି ବିକ୍ରି କରିବାକୁ ପ୍ରଶାସନ କହୁଥିଲେ ମଧ୍ୟ ଖୁଚୁରା ବ୍ୟବସାୟୀ ତାହା ମାନୁନାହାନ୍ତି। ଏହାର କୁପ୍ରଭାବ କେବଳ ପିଆଜ ଚାଷୀ ଉପରେ ପଡ଼ୁନାହିଁ, ଖାଉଟି ମଧ୍ୟ ଖର୍ଚ୍ଚାନ୍ତ ହେଉଛନ୍ତି।

Comments
Loading...