୧୮ କୋଟିର ମେଗା ଉଠାଜଳସେଚନ ପ୍ରକଳ୍ପ ଫେଲ, ଚିନ୍ତାରେ ଚାଷୀ

ଟିଟିଲାଗଡ଼: କରୋନା ମହାମାରି ନେଇ ସାଧାରଣ ଜନତା କର୍ମସଂସ୍ଥାନ ହରାଇ ହାହାକାର ହୋଇପଡ଼ିଛନ୍ତି। ଶ୍ରମିକ, ଚାଷୀ, ଖଟିଖିଆ ଗତ ୬ ମାସ ହେଲା ଏନେଇ ହାହାକାର ଛାଡିଛନ୍ତି। ଏପରିପ୍ରେକ୍ଷୀରେ ଚାଷୀଙ୍କୁ ନେଇ କୁମ୍ଭିର କାନ୍ଦଣା କାନ୍ଦୁଥିବା ସରକାର ଚାଷୀଙ୍କ ଦୁ୍‍ର୍ଦ୍ଦଶାରେ ମୌନରୁପ ଧାରଣ କରିବା ଚିନ୍ତାର କାରଣ ସାଜିଛି। ଚାଷୀଙ୍କ ନାମରେ ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ପ୍ରକଲ୍ପ ନିର୍ମାଣ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ ସରକାରି ଅର୍ଥ ଶ୍ରାଦ୍ଧ ପରେ ଚାଷୀଙ୍କ କାମକୁ ନଆସିବା ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସୁଚନା ଯେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଚୋରମରା ଠାରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ଡୁଙ୍ଗରିପାଲି ମେଗା ଉଠା ଜଳସେଚନ ପ୍ରକଲ୍ପ ନିର୍ମାଣ ହୋଇଛି। ଏନେଇ ଠିକା ସଂସ୍ଥା ଏଲଏଣ୍ଡଟିକୁ ସରକାର ଦାୟିତ୍ୱ ପ୍ରଦାନ କରିଥିଲେ। ହେଲେ ପ୍ରକଲ୍ପ କିଭଳି ଢଙ୍ଗରେ ନିର୍ମାଣ ହେଲା ଯେ ଚାଷୀ ଏଥିରୁ ଉପକୃତ ହୋଇପାରୁନାହାନ୍ତି ସେ ନେଇ ପ୍ରଶ୍ନ ଉଠିବା ଆରମ୍ଭ କଲାଣି। ପ୍ରକଲ୍ପରୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲିମପଡା, ଚୋରମରା, ଗୋଖରୁଙ୍ଗ, ତରାସିଂହା, ଘୁଗୁରପଲା, ଥୁବୁଡିଙ୍ଗ ତଥା ସଇନ୍ତଲା ବ୍ଲକର ଭିକାବାହାଲି, ସିଲେଟପଡା ଆଦି ଗ୍ରାମର ୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଧାର୍ଯ୍ୟ ରହିଥିଲା। ଏନେଇ ୨୦୧୩ରେ ପ୍ରକଲ୍ପ କାର୍ଯ୍ୟ ନିର୍ମାଣ ହେବା ପରେ ନିର୍ମାଣ କାର୍ଯ୍ୟ ଶେଷ ପରଠାରୁ ଏଲଏଣ୍ଡଟି କମ୍ପାନୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରକଲ୍ପର ଦେଖାଶୁଣା କରିବା ଧାର୍ଯ୍ୟ ରହିଥିଲା। ହେଲେ ପ୍ରକଲ୍ପରୁ ଅଦ୍ୟାବଧି ଚାଷୀ କୌଣସି ସୁଫଳ ପାଇପାରିନଥିବା ବେଳେ ଏଲଏଣ୍ଡଟି କମ୍ପାନୀ ଆଉ ଧରାଛୁଆଁ ଦେଉନଥିବା ବିଜେପୁର ସରପଞ୍ଚ ପ୍ରତିନିଧି ସୁବାଶ ମହାନନ୍ଦ, ବିଜେପି ନେତା ଗତିକୃଷ୍ଣ ବଗର୍ତି ତଥା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ଖରିଫରେ ବର୍ଷାର ଅଜବ ମିଜାଜ ନେଇ ଚାଷ କାର୍ଯ୍ୟ ଆଗପଛ ହୋଇଛି। ଏନେଇ ଏଡେ ବଡ ପ୍ରକଲ୍ପରୁ ଚାଷୀ କୌଣସି ଜଳସେଚନ ସୁବିଧା ପାଇନଥିବା ସ୍ଥାନୀୟ ପୀଡିତ ଚାଷୀ ବଟ ମାଝୀ, ସାର୍ତିକ ପଟେଲ, ଭାଗରଥି ମାଝୀ, କାକୃଷ୍ଣ ମାଝୀ, ଗରୁଡ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ପାଣି ଅଭାବ ନେଇ ଋଆବିହୁଡା ବିଲମ୍ବ ସହ ଏବେ କ୍ଷେତ ଶୁଖିବାକୁ ବସି ଘାସ ବୃଦ୍ଧି ଯୋଗୁଁ ଫସଲ ହାନି ସୁନିଶ୍ଚିତ ବୋଲି ଚାଷୀ କହିଛନ୍ତି। ଏପରିକି ପ୍ରକଲ୍ପ ନେଇ ବିଭିନ୍ନ ଅଞ୍ଚଳରେ ଜମିରେ ବସାଯାଇଥିବା ପଏନ୍ଟର ମୁହଁକୁ ପରେ ୱେଲଡିଙ୍ଗ ମେସିନ ଦ୍ୱାରା ୱେଲଡିଙ୍ଗ କରି ଛୋଟ କରି ଦିଆଯାଇଥିବା ନେଇ ପାଣି ଖୁବ ଅଲ୍ପ ବାହାରୁଥିବା ପାଣି ଖୁବ କମ ବାହାରୁଥିବା ଅଭିଯୋଗ ହୋଇଛି। ଏନେଇ ଏଲଏଣ୍ଡଟିର ସାଇଟ ମ୍ୟାନେଜର ପରମାନନ୍ଦ ପାଢୀଙ୍କୁ ପଚାରିବାରୁ ତଳ ପର୍ଯ୍ୟନ୍ତ ପାଣି ପହଞ୍ଚିବା ପାଇଁ ସବୁ ପଏନ୍ଟର ମୁହଁ ଛୋଟ କରିବାକୁ ଜଳସମ୍ପଦ ବିଭାଗ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆପଣ ତାଙ୍କୁ ପଚାରନ୍ତୁ ବୋଲି କହିଛନ୍ତି। ଏଭଳିସ୍ଥିୁତିରେ ପ୍ରକଲ୍ପର ନିର୍ମାଣ ପରେ ଯଦି ଖରିଫରେ ଚାଷୀଙ୍କ ଫସଲ ହାନି ହେବ ତାହେଲେ ୧୮ କୋଟି ଟଙ୍କା ଖର୍ଚ୍ଚର ଆବଶ୍ୟକତା କଣ ଥିଲା ବୋଲି ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ଆଇନଜୀବୀ ବିରେନ୍ଦ୍ର ବାଗ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ଆଗାମୀ ୭ ଦିନ ମଧ୍ୟରେ ପ୍ରଶାସନ ପ୍ରକଲ୍ପରୁ ଚାଷୀଙ୍କ ଜମିକୁ ଜଳସେଚନ ସୁନିଶ୍ଚିତ ନକଲେ ଟିଟିଲାଗଡ ଏଲଏଣ୍ଡଟି କାର୍ଯ୍ୟାଳୟ ଏବଂ ମେଗା ଉଠାଜଳସଚେନ ପ୍ରକଲ୍ପ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଶ୍ରୀ ବାଗ ଚେତାବନି ଦେଇଛନ୍ତି।

Comments are closed.