ଫାଇନାନ୍ସ ଯନ୍ତାରେ ଗାଁ ମହିଳା, ଆଖି ବୁଜି ବସିଛି ପ୍ରଶାସନ

ଟିଟିଲାଗଡ଼:ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜନଧନ ଆକାଉଣ୍ଟ ସହ ବ୍ୟାଙ୍କ ସହ ଯୋଡିଛନ୍ତି। ପ୍ରତ୍ୟେକ ପରିବାରକୁ ବ୍ୟାଙ୍କ ଋଣ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜରିଆରେ ମହିଳା ଗୋଷ୍ଠୀଙ୍କୁ ବ୍ୟାଙ୍କ ଲିଙ୍କେଜ ସହ ସ୍ୱାବଲମ୍ବୀ ପାଇଁ ପରାମର୍ଶ ଦେଉଛନ୍ତି। ହେଲେ ସେ ସବୁକୁ ପ୍ରତିହତ କରି ପୂର୍ବ ସାହୁକାର ବ୍ୟବସ୍ଥା ଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଅସହାୟଙ୍କ ନିକଟତର ହେବାରେ ସକ୍ଷମ ହୋଇଛନ୍ତି। ଭଲ ମନ୍ଦ, ପରିବାରର ସାମର୍ଥ୍ୟ, ଋଣ କରିବା ଉଦ୍ଦେଶ୍ୟ, ପରିଶୋଧର ଗ୍ୟାରେଣ୍ଟି କିଛି କଥା ନବିଚାରି ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ଗ୍ରାମାଞ୍ଚଳରେ ପାଣି ପରି ଟଙ୍କା ବୁହାଇ ଚାଲିଛନ୍ତି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଛି। ଗୋଟିଏ ପଟରେ ଦାଦନ ସର୍ଦ୍ଦାର ଓ ଅନ୍ୟ ପଟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ, ଏଭଳି ଟଙ୍କା ଲଗାଣ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପ୍ରଶାସନ ଚୁପ ବସିଛି। ମହିଳାଙ୍କ ସରଳତାର ସୁଯୋଗ ନେଇ ଠାକୁର ସେଲମା ଓ ଚନ୍ଦ୍ରମଣୀ ବଗର୍ତ୍ତି ଭଳି ଅନେକ ଠକେଇ ଗ୍ୟାଙ୍ଗର ଅଭ୍ୟୁଦୟ ହୋଇଛି।
ଟିଟିଲାଗଡ, ମୁରିବାହାଲ, ସଇଁନ୍ତଲା, ଗୁଡଭେଲା ଆଦି ବ୍ଲକ ଅଞ୍ଚଳର ପ୍ରାୟ ଏକ ହଜାର ମହିଳା ଠକାମୀର ଶିକାର ହୋଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

 

ଏନେଇ ବଲାଙ୍ଗିର ଏସପିଙ୍କ ସମେତ ଟିଟିଲାଗଡ, ମୁରିବାହାଲ ଥାନାରେ ମହିଳା ଲିଖିତ ଅଭିଯୋଗ କରିଛନ୍ତି। ଠକେଇର ପରିମାଣ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି। କଣ୍ଟାବାଞ୍ଜି ଠାରେ ଏକ ଘରୋଇ କମ୍ପାନୀରେ ଟଙ୍କା ଲଗାଣ ସହ ଅଧିକ ଲାଭ ଦେବା ନେଇ ପ୍ରଲୋଭିତ କରି ଅଭିଯୁକ୍ତ ଠାକୁର ସେଲମା ଓ ଚନ୍ଦ୍ରମଣୀ ବଗର୍ତ୍ତି ମହିଳାଙ୍କ ନାମରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ମଞ୍ଜୁର କରାଇ ସବୁ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଚନ୍ଦ୍ରମଣୀ ଫେରାର ଥିବା ବେଳେ ଠାକୁର ମୁରିବାହାଲ ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା। ଅଧିକ ତଦନ୍ତ ପାଇଁ କଣ୍ଟାବାଞ୍ଜି ଜେଲରେ ଥିବା ଠାକୁରକୁ ଟିଟିଲାଗଡ ପୁଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ସୋମବାର ଟିଟିଲାଗଡ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ବର୍ଷ ଜାନୁଆରି ୨ରେ ରିମାଣ୍ଡରେ ନେବାକୁ କୋର୍ଟର ଅନୁମତି ପରେ ଠାକୁର ଏବେ ଟିଟିଲାଗଡ ଜେଲରେ ରହିଥିବା ପ୍ରକାଶ। ଏନେଇ ସୋମବାର ଠକେଇର ଶିକାର ହୋଇଥିବା ମହିଳା ଅଭିଯୁକ୍ତଙ୍କୁ ସାକ୍ଷାତ ପାଇଁ ଥାନାକୁ ପହଞ୍ଚିଥିବା ଦେଖାଯାଇଥିଲା। ଆଜି ମହିଳାମାନେ ଟିଟିଲାଗଡ ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଠାକୁର ଓ ଚନ୍ଦ୍ରମଣି ନେଇ ଯାଇଥିବା ମାଇକ୍ରୋ ଫାଇନାନ୍ସ କମ୍ପାନୀ ଟଙ୍କା ଅସୁଲ ପାଇଁ ମହିଳାଙ୍କ ଘର ଅଗଣାରେ ଧାରଣା ଦେବା ଭଳି ବସି ରହୁଥିବା ଅଭିଯୋଗ କରିଛନ୍ତି।
ଜଣେ ଜଣେ ମହିଳା ୬ଟି କମ୍ପାନୀରୁ ଋଣ କରି ଟଙ୍କା ଅଭିଯୁକ୍ତଙ୍କୁ ଦେଇଛନ୍ତି। ଝରଣା ଜାନୀ ୬ଟି କମ୍ପାନୀରୁ ୧ ଲକ୍ଷ ୫୫ ହଜାର ଟଙ୍କା ଉଠାଇ ଅଭିଯୁକ୍ତଙ୍କୁ ଦେଇଛନ୍ତି। ସେହିପରି ରୀନା ପୁଟେଲ ୬ଟି କମ୍ପାନୀରୁ ୧ ଲକ୍ଷ ୬୫ ହଜାର ଟଙ୍କା, ରୁକ୍ମିଣୀ ସେଲମା ୩ଟି କମ୍ପାନୀରୁ ୮୫ ହଜାର ଟଙ୍କା, ଲଲିତା ଚନ୍ଦନ ୩ଟି କମ୍ପାନୀରୁ ୭୫ ହଜାର ଟଙ୍କା, ସୁମିତ୍ରା ଭୋଇ ୧ ଲକ୍ଷ ୧୦ ହଜାର ଟଙ୍କା ଏଭଳି ଅନେକ ମହିଳା କୋଟି କୋଟି ଟଙ୍କାର ଋଣ କରି ଅଭିଯୁକ୍ତଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ବାଙ୍କେଲ ଗ୍ରାମର ୧୭୨ରୁ ଉଦ୍ଧ୍ୱର୍ ମହିଳା, ମାଲିସିରାର ୧୮୦ ଜଣ ମହିଳା, ଚିକନିବାହାଲି ଡେଙ୍ଗପଦର ଗ୍ରାମର ୭୦, ଦେସିଲ ଗ୍ରାମର ୮୦, ବେଲଗାଁର ୫୦ ଜଣ ଏଭଳି ବିଭିନ୍ନ ଗ୍ରାମର ଶତାଧିକ ମହିଳାଙ୍କୁ ଅଭିଯୁକ୍ତ ପ୍ରଲୋଭିତ କରି ୨୦୧୯ରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଗତ ଅକ୍ଟୋବରରୁ ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଅପରପକ୍ଷରେ କମ୍ପାନୀ ଏଜେଣ୍ଟ ଟଙ୍କା ଅସୁଲ ପାଇଁ ମହିଳାଙ୍କୁ ଉଠେଇ ବସେଇ ଦେଉନାହିଁ। ଠକାମୀର ଶିକାର ହୋଇଥିବା ମହିଳା ଏବେ କରିବେ କଣ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଲି ମଜୁରୀ କରି ପେଟପାଟଣା କରୁଥିବା ଗରିବ ପରିବାରର ମହିଳାଙ୍କୁ ଏକକାଳୀନ ଲକ୍ଷାଧିକ ଟଙ୍କା ଏକାଧିକ କମ୍ପାନୀ ଋଣ ଆକାରରେ ପ୍ରଦାନ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି କାରବାରରେ କମ୍ପାନୀ ଏଜେଣ୍ଟଙ୍କ ସମ୍ପୃକ୍ତିକୁ ଏଡାଇ ଦିଆଯାଇ ନପାରେ ବୋଲି ଟିଟିଲାଗଡ ଗରିବ ସେନା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ କୌଣସି ଉଚ୍ଚ ଏଜେନ୍ସି ଦ୍ୱାର ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Comments are closed.