ଜନସେବା ପାଇଁ ଭିନ୍ନକ୍ଷମଙ୍କ ପଣ

ଟିଟିଲାଗଡ଼ :  ବାପା-ମାଆଙ୍କ ଏକ ମାତ୍ର ଅଳିଅଳ ପୁଅ ଧୁବଲେ ପୋଢ। ବାଳ୍ୟକାଳରେ ପୋଲିଓର ଶିକାର ହୋଇଥିଲେ । ହେଲେ ନା ଶିକ୍ଷା ଗ୍ରହଣରେ ନା ସମାଜସେବା କୋଉଁଥିରେ  ପଛରେ ନାହାନ୍ତି। ଟିଟିଲାଗଡ ବ୍ଲକ ସିହିନି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ୩୩ ବର୍ଷ ବୟସ୍କ ଧୁବଲେଙ୍କ ଜଣେ ଯୁବ ନେତା ଭାବରେ ସ୍ୱତନ୍ତ୍ର ପରିଚୟ ରହିଛି। ବର୍ତ୍ତମାନ ତ୍ରିସ୍ତରୀୟ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ସିହିନି ଗ୍ରାମପଞ୍ଚାୟତରୁ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଗୋଟିଏ ବାଉଁଶ ବାଡି ସହାୟତାରେ ରାସ୍ତାରେ ଚାଲି ଚାଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଛନ୍ତି । ରବିବାର ତାଙ୍କ ସାଙ୍ଗମାନଙ୍କ ସହ ଉଦେପୁର ଗ୍ରାମରେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଗାଁର ଅସହାୟ ନିଷ୍ପେଶିତଙ୍କ ସେବା ପାଇଁ ସରକାର ସରପଞ୍ଚ ପଦ ସୃଷ୍ଟି କରିଛନ୍ତି। କେବଳ ହାତରେ ମୁଠାମୁଠା ଟଙ୍କା ଥିବା ଲୋକ ହିଁ ଜନସେବା ପାଇଁ ଯୋଗ୍ୟ ବିବେଚିତ ବୋଲି ମତଦାତାଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି । ଏଥର ଏହି ଉକ୍ତିଟିକୁ ସେ ଏବଂ ତାଙ୍କ ସାଙ୍ଗମାନେ ଓଲଟ ପାଲଟ କରିଦେବେ ବୋଲି ଶିକ୍ଷିତ ଯୁବକ ଧୁବଲେ ଦମ୍ଭର ସହ କହିଛନ୍ତି । ଧୁବଲେଙ୍କ ସରଳ ତଥା ସତ କଥା ପ୍ରତି ସାଧାରଣ ମତଦାତାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି । ତେବେ ଏହି ଆସନରୁ ଚାରି ଜଣ ସରପଞ୍ଚ ପ୍ରାର୍ଥି ରହିଥିବା ବେଳେ ମତଦାତା କାହାକୁ ନିଜ ପ୍ରତିନିଧି ବାଛିବେ ତାହାର ଚିତ୍ର ସ୍ପଷ୍ଟ ହୋଇ ପାରିନାହିଁ।

Comments are closed.