କରୋନା ପ୍ରଭାବ , ଶୁଭୁନି ବଂଶୀ ବିଶାରଦ ରଞ୍ଜନଙ୍କ ସ୍ୱର

ଟିଟିଲାଗଡ଼ : ଭାରତବର୍ଷର ପ୍ରାଚୀନ କଳାସଂସ୍କୃତିର ଦେଶବିଦେଶରେ ଅନେକ ଖ୍ୟାତି ରହିଛି। ଅନେକ କଳାକାର ନିଜ ସଂସ୍କୃତିକୁ ନେଇ ଦେଶମାତୃକାର ସୁନାମ ଅର୍ଜନ କରିବା ସହ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ସମ୍ପ୍ରତି କରୋନା ମହାମାରି କଳାକାରଙ୍କ ପାଇଁ ଏକ ପ୍ରାଚିର ଭାବରେ ଛିଡା ହୋଇଛି। ଏପରିପ୍ରେକ୍ଷୀରେ ଜାତୀୟ, ଆନ୍ତର୍ଜାତୀୟ ସ୍ତର ମଞ୍ଚରେ ନିଜ କଳା ପାଇଁ ପ୍ରସିଦ୍ଧ ପ୍ରଖ୍ୟାତ ବଂଶି ବାଦକ ରଞ୍ଜନ ପଟ୍ଟନାୟକଙ୍କ ବଂଶିର ସୁମଧୁର ସ୍ୱର ଆଉ ଶୁଭୁନାହିଁ।

 ଗଞ୍ଜାମ ଜିଲା ଖୁକୁନ୍ଟିଆରେ ରଞ୍ଜନଙ୍କ ଜନ୍ମ । ପିତାମାତାଙ୍କ ୬ ସନ୍ତାନଙ୍କ ମଧ୍ୟରୁ ରଞ୍ଜନ ସବା ସାନ । ୧୯୮୫ରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଭାବରେ ଅଧ୍ୟୟନ କରୁଥିବା ବେଳେ ବଡଦାଦା ଶିବପ୍ରସାଦ ପଟ୍ଟନାୟକଙ୍କ ବଂଶି ରଞ୍ଜନଙ୍କ ଜୀବନପଥକୁ ବଦଲାଇ ଦେଇଥିଲା । ତାଙ୍କ ପ୍ରତିଭାକୁ ମହାବିଦ୍ୟାଳୟର ତତ୍କାଳିନ ଓଡିଆ ବିଭାଗ ମୁଖ୍ୟ ଡ. ପଞ୍ଚାନନ ମିଶ୍ର ଚିହ୍ନଟ କରିପାରିଥିଲେ । ତାଙ୍କ ସାନିଧ୍ୟରେ ରଞ୍ଜନଙ୍କ କଳା ପରିପୃଷ୍ଟ ହୋଇଥିଲା। ୧୯୯୮ରେ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ବଂଶି(ଫୁଙ୍କା ବାଦ୍ୟ)ରେ ସଂଗୀତ ବିଶାରଦ ଡିଗ୍ରୀ ହାସଲ କରିଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ୧୯୯୯ରେ ଅଲ ଇଣ୍ଡିଆ ରେଡିଓରେ ଜଣେ ସ୍ୱିକୃତିପ୍ରାପ୍ତ କଳାକାର ଭାବରେ ତାଙ୍କ ବଂଶିର ସ୍ୱର ଘରେ ଘରେ ପଂହଚିଥିଲା । ୨୦୧୫ରେ ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ରଞ୍ଜନଙ୍କୁ ବି ହାଇ ମାନ୍ୟତା ପ୍ରଦାନ କରାଯାଇଥିଲା। ଦୁରଦର୍ଶନରେ ଅନେକ କାର୍ଯ୍ୟକ୍ରମ ତାଙ୍କୁ ଘରେ ଘରେ ପରିଚିତ କରିଥିଲା । ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା “ଏକ ତାରା କଳାକେନ୍ଦ୍ର” ସଂଗୀତ ଅନୁଷ୍ଠାନ ଜରିଆରେ ଦେଶବିଦେଶର ଅନେକ ମଞ୍ଚରେ ସେ ନିଜ ପାରଦର୍ଶିତା ପ୍ରଦର୍ଶନ କରିଆସିଛନ୍ତି। ଇଂଲଣ୍ଡର ମାଂଚେଷ୍ଟର ସମେତ ଦେଶର କୋଣଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ଦକ୍ଷତା ବଳରେ ପରିଚୟ ସୃଷ୍ଟି କରିପାରିଛନ୍ତି। ବଂଶି ସମେତ ହାରମୋନିୟମ, ସେହେନାଇ, ସେକ୍ସୋଫୋନ ଆଦି ବିଭିନ୍ନ ବାଦ୍ୟଯନ୍ତ୍ରରେ ତାଙ୍କ ଦକ୍ଷତା ରହିଛି। ଶାସ୍ତ୍ରୀୟ ସଂଗୀତରେ ବିଶାରଦ ପ୍ରାପ୍ତ ହୋଇଥିଲେ ହେଁ ଲୋକସଙ୍ଗୀତ, ଲଘୁ ସଙ୍ଗୀତ ପ୍ରତି ମଧ୍ୟ ତାଙ୍କର ପ୍ରଗାଢ ଋଚି ରହିଛି। ବୟସର ୫୫ତମ ସୋପାନରେ ପଂହଚିଥିବା ରଞ୍ଜନ ଦୀର୍ଘ ୩୩ ବର୍ଷ ଧରି ଦେଶର ବିଭିନ୍ନ ରାଜ୍ୟରେ ସରକାରି ଲୋକ ମହୋତ୍ସବ, କେନ୍ଦ୍ର ସରକାର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନ ଆଦି ପ୍ରାୟ ୬ ଶହରୁ ଅଧିକ ମଞ୍ଚରେ ସେ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ତାରା କଳାକେନ୍ଦ୍ର ସାଥିଙ୍କ ସହ ମନୋରଞ୍ଜନ ଧାରା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପୁର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ଓଡିଶା ସରକାରରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ତାଙ୍କୁ ସମ୍ମାନୀତ କରିଛନ୍ତି। ପେଷାରେ ଜଣେ ଶିକ୍ଷକ ହେଲେ ମଧ୍ୟ ସଂଗୀତ ହିଁ ତାଙ୍କ ଜୀବନର ଏକ ବୃହତ ଅଂଶ ବିଶେଷ ବୋଲି କହନ୍ତି। ସମ୍ପ୍ରତି କରୋନା ମହାମାରି ନେଇ କଳାକାରଙ୍କ ପ୍ରଦର୍ଶନ ବନ୍ଦ ହେବା ସହ ସର୍ବଦା କୋଳାହଲ ମଧ୍ୟରେ ନିଜ ଅସ୍ତିତ୍ୱ ଜାହିର କରିଆସିଥିବା କଳାକାର ନିଃସଙ୍ଗ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ କଳାକାରଙ୍କ ଆୟର ବାଟ ମଧ୍ୟ ବନ୍ଦ ହୋଇ ପରିବାର ଦୁଃସ୍ଥିତିରେ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ତାଙ୍କୁ ବ୍ୟଥିତ କରିଥିବା ରଞ୍ଜନ କହନ୍ତି।

Comments are closed.