ଉପାନ୍ତ ଅଞ୍ଚଳରେ ଦେଶୀଡଙ୍ଗା ସାହାରା ; ବିପଦ ପ୍ରତି ମୌନ ପ୍ରଶାସନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମପଞ୍ଚାୟତକୁ ଚାରି ଦିଗରେ ଘେରି ରହିଛି ଉନ୍ଦେର ଏବଂ ସୁନ୍ଦେର ନଦୀ। ବଲାଙ୍ଗୀର ତଥା କଲାହାଣ୍ଡି ଜିଲା ସୀମାନ୍ତରେ ରହିଥିବା ଏହି ଗ୍ରାମପଞ୍ଚାୟତ ଅଞ୍ଚଳବାସୀ ବିଭିନ୍ନ କାର୍ଯ୍ୟ ପାଇଁ ଉଭୟ କଲାହାଣ୍ଡି ଜିଲାର କେସିଙ୍ଗା ସହର ତଥା ବଲାଙ୍ଗିର ଜିଲା ଟିଟିଲାଗଡ ଉପରେ ନିର୍ଭର କରିଥାନ୍ତି। ଏହି ଉପାନ୍ତ ଅଞ୍ଚଳକୁ କୌଣସି ଋତୁରେ ମଧ୍ୟ ଯାତ୍ରିବାହୀ ବସ ଚଳାଚଳ ନାହିଁ। ଏହି ପଞ୍ଚାୟତ ଅଞ୍ଚଳରେ ବସବାସ କରୁଥିବା ୫ ହଜାରରୁ ଊର୍ଦ୍ଧ୍ବ ପରିବାର ନିଜ ବ୍ୟବସ୍ଥାରେ ଦୈନନ୍ଦିନ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା ପାଇଁ ଉଭୟ ଟିଟିଲାଗଡ ଏବଂ କେସିଙ୍ଗା ସହର ଉପରେ ନିର୍ଭର କରିଥାନ୍ତି। ଟିଟିଲାଗଡ ପଟକୁ ଉନ୍ଦେର ନଦୀରେ ଏକ ବ୍ରିଜ ନିର୍ମାଣ ଯୋଗୁଁ ଯିବା ଆସିବା ସହଜ ହୋଇଛି।

ହେଲେ ଟିଟିଲାଗଡ ଠାରୁ କଲାହାଣ୍ଡି ଜିଲା ଅନ୍ତର୍ଗତ କେସିଙ୍ଗା ସହରର ଦୁରତ୍ୱ କମ ରହିଥିବାରୁ ଏଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକେ ତଥା ପରିବା ବିକାଳି ନିୟମିତ ଭାବରେ ଉନ୍ଦେର ନଦୀ ପାରି ହୋଇ କେସିଙ୍ଗା ଯାଆସ କରିଥାନ୍ତି। ଏନେଇ ବର୍ଷା ଋତୁରେ ନଦୀରେ ପାଣି ଆସିଲେ ସିରେକେଲା ସାଗନାମୁଣ୍ଡା ଘାଟରେ ପୁରୁଣା କାଲିଆ କାଠ ଡଙ୍ଗା ଏକ ମାତ୍ର ଭରସା ରହିଛି। କଲାହାଣ୍ଡି ଜିଲାର ସେଁପୁର, ମଟିଆ, ରଏମରା, ମାଦିଗୁଡା ତଥା ବଲାଙ୍ଗିର ଜିଲା ଅନ୍ତର୍ଗତ ବିନେକେଲା, ଲୁଥୁରବନ୍ଧ, ସିଲୁଆଁ ଆଦି ପଞ୍ଚାୟତର ଲୋକେ ଦୈନିକ ଶହ ଶହ ସଂଖ୍ୟାରେ ଏହି ଘାଟ ଦେଇ ଯାଆସ କରିଥାନ୍ତି। ଡଙ୍ଗା ବାହକ ନାରାୟଣ ସୁନାନୀଙ୍କ କହିବା ଅନୁସାରେ ବାପଅଜା ଅମଳରୁ ତାଙ୍କ ପରିବାର ନଦୀରେ ଡଙ୍ଗା ବାହି ଆସୁଛନ୍ତି। ଅଜା ନଦୀଘାଟ ଠିକା ଧରି ଆସୁଥିଲେ। ଏବେ ପରିବାର ତିନି ପୀଢି ଗଲେଣି। ପ୍ରଥମେ ଡବଲ ଡଙ୍ଗା ଥିଲା, ଯାହାକି ଭାଙ୍ଗି ରୁଜି ଯାଇଛି। ଦୁଇଟି ଘାଟରେ ଉନ୍ଦେର ଏବଂ ସୁନ୍ଦେର ନଦୀରେ ଡଙ୍ଗା ପକାହେଉଥିଲା। ଏବେ ରହିଥିବା ସିଙ୍ଗଲ ଡଙ୍ଗା ବେଶି ଲୋକ ବସିଲେ ପାଣି ଗଳୁଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ନେଇ ବର୍ଷା ଋତୁରେ ସିରେକେଲା ଘାଟରେ ଡଙ୍ଗା ଚଲାଉଥିବା ନାରାୟଣ କହନ୍ତି। ସକାଲ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ନଦୀ କୂଳରେ ରହି ଲୋକଙ୍କୁ ନେବା ଆଣିବା କରୁଛନ୍ତି। ବାଇକ, ସାଇକେଲ ତଥା ଯାତ୍ରୀ ପରିବହନ କରାଯାଉଛି। ଜଣ ପ୍ରତି ଦଶ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବାଇକକୁ ୫୦ ଟଙ୍କା ନିଆଯାଏ। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ଗମନାଗମନ ମାଧ୍ୟମ ପାଲଟିଥିବା ଏଭଳି ବ୍ୟବସ୍ଥା ପ୍ରତି ପ୍ରଶାସନର ନିଘା ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଡଙ୍ଗା ଓଲଟି ଲୋକଙ୍କ ମୃତାହତ ହେବା ନେଇ ସରକାରିସ୍ତରରେ କିଛି ଦିନ ସତର୍କତା ପ୍ରକାଶ ପାଇଥାଏ। ଡଙ୍ଗା ବାହକଙ୍କୁ ସ୍ୱତନ୍ତ୍ର ତାଲିମ, ଯାତ୍ରୀଙ୍କ ସୁରକ୍ଷା ନେଇ ଲାଇଫ ଜ୍ୟାକେଟ ବ୍ୟବସ୍ଥା, ଅଧିକ ଯାତ୍ରୀ ପରିବହନ ନେଇ କଟକଣା ଆଦି ନେଇ ଗାଇଡଲାଇନ ଜାରି କରାଯାଇଥାଏ। ତେବେ ପରବର୍ତି କାଳରେ ଏସବୁ ସରକାରି ଅଧିକାରୀ ଭୁଲି ଯିବା ପରିଲକ୍ଷିତ ହୋଇଥାଏ। ଏସମ୍ପର୍କରେ ବିନେକେଲା ସରପଞ୍ଚ ହରି ମାଝୀ କେସିଙ୍ଗା ସହରକୁ ସବୁଦିନିଆ ଗମନାଗମନ ସୁଗମ ହେବା ପାଇଁ ସିରେକେଲା ଘାଟରେ ଏକ ବ୍ରିଜ ନିର୍ମାଣ କରାଯିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି।

Comments
Loading...