କୋସଲି ଭାଷାକୁ ସାମ୍ବିଧାନିକ ଅଧିକାର ଦାବି

ଟିଟିଲାଗଡ଼ : କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଆନ୍ଦୋଳନ ତେଜିୟାନ ହେବାରେ ଲାଗିଛି। ଏନେଇ ବୁଧବାର ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ଅଭିଯାନ ସମିତିର ଏକ ଟିମ ମଧ୍ୟାହ୍ନରେ ସ୍ଥାନୀୟରେଳ ଜଙ୍କସନରୁ ସମତା ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳରେ ସମିତିର ସଭ୍ୟ ବିଶିଷ୍ଟ କବି ଚର୍ତୁଭୁଜ ସାଆନ୍ତ, ସୁଶାନ୍ତ ବାଗ, ଅଧ୍ୟାପକ ଦିଲୀପ ପଶାୟତ, ପୁଲସ୍ତି ବେହେରା, ଚୈତନ୍ୟ ଭୋଇ, ବଲାଙ୍ଗିର ବିଶିଷ୍ଟ ସାହିତ୍ୟିକ ନିମାଇଁ ଚରଣ ପାଣିଗ୍ରାହୀ, ଗାଈସିଲେଟର ଭାଷା ସଂଗ୍ରାମୀ ଗଜପତି ସାହୁ, ଅରବିନ୍ଦ ଚନ୍ଦ୍ର ପଣ୍ଡା, ସରୋଜ ସାହୁ ସାମିଲ ଅଛନ୍ତି।

ସଂଗ୍ରାମୀଙ୍କ ଦିଲ୍ଲୀ ଯାତ୍ରା ପୂର୍ବରୁ ଅନୁଷ୍ଠିତ ଏକ ସଂକ୍ଷିପ୍ତ ସଭାରେ ସମିତି ସଭାପତି ଭିକାରି ମିଶ୍ର ମା’ ଓ ମାତୃଭାଷା ପାଇଁ ଯୁଗଯୁଗର ସଂଗ୍ରାମର ଫଳ ମିଳିବ ବୋଲି ଭାଷାବିତ ଆଶାନ୍ୱିତ ରହିଥିବା କହିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ କୋଶଲି ଭାଷାର ସାମ୍ବିଧାନିକ ସ୍ୱିକୃତି ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ନେଇ କେନ୍ଦ୍ର ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଆସନ୍ତା ୨୧ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ପଶ୍ଚିମ ଓଡିଶା କୋଶଲି ଭାଷା କ୍ରିୟାନୁଷ୍ଠାନ କମିଟିଙ୍କ ନେତୃତ୍ୱରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଥିବା ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି। ପରେ ସଭାପତି ଶ୍ରୀ ମିଶ୍ର, ସମ୍ପାଦକ ନିଲମଣୀ ସାହୁ, ବରିଷ୍ଠ ଶିକ୍ଷାବିତ ସେବକ ଚରଣ ଦାଶ, କବି ଦୁବ ହରପାଲ ପ୍ରମୁଖ ବହୁ ଭାଷାବିତ, ବୁଦ୍ଧିଜୀବୀ ରେଳ ଷ୍ଟେସନ ଯାଇ ସଂଗ୍ରାମୀଙ୍କୁ ବିଦାୟ ତଥା ଶୁଭେଚ୍ଛା ଜଣାଇଥିଲେ। ରେଳ ଷ୍ଟେସନ ସମ୍ମୁଖରେ ବ୍ୟାନର ପ୍ରଦର୍ଶନ ତଥା କୋଶଲ ଭାଷା ଦାବି ନେଇ ସ୍ଲୋଗାନ ସହ ସଂଗ୍ରାମୀ ଉତ୍ସାହ ଉଦ୍ଦିପନାର ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

Comments are closed.