ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ମହିଳାଙ୍କ ପ୍ରସବ

ଟିଟିଲାଗଡ଼ : ସାରାଦେଶରେ ଲକଡାଉନ ଚାଲିଥିବା ବେଳେ କିଛି ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ବଲାଙ୍ଗୀର ଜିଲା ଟିଟଲାଗଡ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ରବିବାର ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।
ସୂଚନା ଅନୁଯାୟୀ, ତାମିଲନାଡୁ ରାଜ୍ୟର କିଝିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ଟ୍ରେନରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏନେଇ ଶ୍ରମିକମାନେ ସହାୟତା ପାଇଁ ରଡି ଛାଡିଥିଲେ। ପରେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ୍କୁ ଟିଟିଲାଗଡ଼ ରେଳଷ୍ଟେସନରେ ୧୦ରୁ ୧୫ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା। ଏହାପରେ ଟିଟିଲାଗଡ଼ ରେଳ ବିଭାଗର ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପ୍ରବାସୀ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ଉଭୟ ମାଆ ଓ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜନନୀ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।