ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା; ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ବେଆଇନ ରତ୍ନପଥର ଖଣି ମାଫିଆ ରାଜୁ ସାହୁକୁ ଟିଟିଲାଗଡ ପୁଲିସ ଗିରଫ କରିଛି । ଗତ ମାସ ୨୨ରେ ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଲମି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ରତ୍ନପଥର ଖଣି ଗାତ ମଧ୍ୟରେ ଦୁଇ ଆଦିବାସୀ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିଲା । ମୃତ ଶ୍ରମିକ ଦ୍ୱୟଙ୍କ ପରିବାର ଟିଟିଲାଗଡ ଥାନାରେ ଏନେଇ ରାଜୁର ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ରାଜୁର ଗିରଫ ଦାବିରେ ଘଟଣା ଦିନ ପୁଲିସକୁ ଗୁଲମି ଜଙ୍ଗଲ ମଧ୍ୟରେ ମୃତଦେହ ସହ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଅଟକ, ଟିଟିଲାଗଡ ଠାରେ ରାସ୍ତାରୋକ, ଥାନା ପରିସରରେ ତମ୍ବୁ ଲଗାଇ ଧାରଣା ଭଳି ଆଇନଶୃଙ୍ଖଲା ପରିସ୍ଥିତି ସୃଷ୍ଟି କରିଥିଲା ।

ଅପରପକ୍ଷରେ ଏନେଇ ମାମଲା ରୁଜୁ ସହ ବଲାଙ୍ଗିର ଜିଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଲଶକରଙ୍କ ନେତୃତ୍ୱରେ ଥାନା ଅଧିକାରୀ ରଞ୍ଜନ ବରିହା ରାଜୁକୁ ଗିରଫ ପାଇଁ ଜାଲ ବୁଣିଥିଲେ । ଏନେଇ ଥାନା ଅଧିକାରୀ କ୍ରମାଗତ ଭାବରେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ବେଳେ ଆଜି ସଫଲତା ମିଳିଛି । ସୂଚନା ପାଇ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ଅଞ୍ଚଳରୁ ରାଜୁକୁ ଗିରଫ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ତାକୁ କୋର୍ଟ ଚାଲାଣ କରାଯାଉଛି । ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ରାଜୁର ଗିରଫ ପାଇଁ ଆନ୍ଦୋଳନ ଜାରି ରଖିଥିବା ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ପୀଡିତ ପରିବାର ନ୍ୟାୟ ପାଇବେ ବୋଲି ସଂଗଠନର ଜିଲା ଉପସଭାପତି ଧନେଶ୍ୱର ମାଝୀ ଆଶା ପ୍ରକାଶ କରିଛନ୍ତି ।

Comments are closed.