ବିଜୟ ରାସ୍ତାରେ ଅସନ୍ତୋଷ ବାଧକ: କଟକ ସଦର ଅଞ୍ଚଳରେ ହେଲା ରଘୁନାଥପୁର ବ୍ଲକ୍ ବିଜେଡ଼ି ବୈଠକ

ତିର୍ତୋଲ ଉପନିର୍ବାଚନ ନିମନ୍ତେ ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ସବୁଠୁ ଆଗରେ ରହିଛି ବିଜୁ ଜନତା ଦଳ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଦଳ ପକ୍ଷରୁ ଏଥିପାଇଁ ଆଗୁଆ ତିର୍ତୋଲରେ ପ୍ରସ୍ତୁତି ଆରମ୍ଭ କରିଥିଲା । ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ତିର୍ତୋଲ ବ୍ଲକ୍ ଅଞ୍ଚଳରେ ବୁଲିବୁଲି କର୍ମୀମାନଙ୍କୁ ଏକାଠି କରିବାରେ ଲାଗି ପଡ଼ିଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ବୈଠକ କରାଯାଇଥିଲା । ମାତ୍ର ଏହି ବୈଠକରେ ପୂର୍ବତନ ଜିଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ କିମ୍ବା ବର୍ତମାନର ଜିଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କର ଦେଖା ମିଳି ନ ଥିଲା ।

ଏବେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ପରଲୋକଗତ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଦଳର ବିଜୟ ପାଇଁ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକରେ ଦଳର ପ୍ରାୟ ୪ ଡ଼ଜନ ନେତା ଡ଼େରା ପକାଇଛନ୍ତି । ଦଳର ପ୍ରମୁଖ ରଣନୀତିକାର କୁହାଯାଉଥିବା ୩ ନେତା ଅତନୁ-ଅରୁଣ-ସଞ୍ଜୟ ତିନି ବ୍ଲକ ପାଇଁ ଟିମ୍ ଲିଡ଼ର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ଅଧୀନରେ ରହିଛନ୍ତି ବହୁ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ ଓ ଅନ୍ୟ ଯୁବ ନେତା । ଗୋଟିଏ ଗୋଟିଏ ପଞ୍ଚାୟତ ପାଇଁ ଦୁଇରୁ ୩ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ତିର୍ତୋଲ ବ୍ଲକର କୃଷ୍ଣାନନ୍ଦପୁର ପଞ୍ଚାୟତ ପାଇଁ ସନ୍ତୋଷ ପଟ୍ଟନାୟକ, ବାସୁଦେବ ବେହେରା, ଏସ.କେ.ମଣ୍ଡଳଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ବିଷ୍ଣୁପୁର ପଞ୍ଚାୟତ ପାଇଁ ସଞ୍ଜୟ ଅଗ୍ରୱାଲ ଓ କାଳି ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ରଖାଯାଇଛି । କୋଷ୍ଟି ମଲ୍ଲିକାପୁର, ଗୋବିନ୍ଦପୁର, ତେନ୍ତୁଳିଆ ପଦା ପାଇଁ ବିଧାୟକ ସମ୍ବିତ ରାଉତରାୟ, ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ରଖାଯାଇଛି । ସେହିପରି ଅନ୍ୟ ପଞ୍ଚାୟତଗୁଡ଼ିକ ପାଇଁ ୨ରୁ ୩ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଛନ୍ତି । ତିର୍ତ୍ତୋଲ ବ୍ଲକ କେବଳ ଉଦାହରଣ, ଅନ୍ୟ ବ୍ଲକର ପଞ୍ଚାୟତ ଲାଗି ଅନୁରୂପ ସଂଖ୍ୟକ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ଵ ଦିଆଯାଇଛି । ବିଜୟୀ ହେବା ଲାଗି ଦଳ ପକ୍ଷରୁ ଯେପରି ରଣନୀତି ପ୍ରସ୍ତୁତ କରାଯାଇଛି ତାହାକୁ ଭେଦ କରିବା ପ୍ରତିପକ୍ଷ କଂଗ୍ରେସ ଓ ବିଜେପି ପାଇଁ ନିଶ୍ଚିତ ଭାବରେ କଷ୍ଟକର ଏଥିରେ ଦ୍ବିମତ ନାହିଁ ।

ତେବେ ବିଡ଼ମ୍ବନା ହେଉଛି ଏତେ ସବୁ ସମରସଜ୍ଜା ସତ୍ବେ ଦଳ ମଧ୍ୟରେ ଗୋଷ୍ଠୀ ବିବାଦ ସ୍ପଷ୍ଟ ବାରି ହୋଇ ପଡ଼ିଛି ।  ପୂର୍ବତନ ଜିଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କୁ କୌଣସି ଦାୟିତ୍ଵ ଦିଆଯାଇ ନ ଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଅମରେନ୍ଦ୍ର ଗତ ନିର୍ବାଚନରେ ଜଗତସିଂହପୁର ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ । ମାତ୍ର ଶେଷରେ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଟିକେଟ ଦିଆଯାଇଥିଲା ଓ ଅସନ୍ତୁଷ୍ଟ ଅମରେନ୍ଦ୍ରଙ୍କୁ କାଜୁ ନିଗମ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଥିଲା । ମାତ୍ର ତାଙ୍କୁ ଉପନିର୍ବାଚନରେ କୌଣସି ଦାୟିତ୍ଵ ଦିଆଯାଇ ନ ଥିବା ଯୋଗୁଁ ତାଙ୍କ ସମର୍ଥକ ମାନେ ବିମର୍ଷ। ସେହିପରି ରଘୁନାଥପୁର ବ୍ଲକର କର୍ମୀ ସମ୍ମିଳନୀ କଟକ ସଦର ବ୍ଲକ୍ ଅନ୍ତର୍ଗତ ରାମକୁମାରପୁରରେ ଅନୁଷ୍ଠିତ ହେବା ଗୋଷ୍ଠୀ କନ୍ଦଳର ଅନ୍ୟତମ ଉଦାହରଣ ବୋଲି ତିର୍ତ୍ତୋଲ କର୍ମୀ ମହଲରେ ଆଲୋଚିତ ହେଉଛି । ରଘୁନାଥପୁର ବ୍ଲକ ବିଜେଡ଼ିରେ ଗୋଷ୍ଠୀକନ୍ଦଳ ନୂଆ କଥା ନୁହେଁ । ଗତ ବିଧାନସଭା ନିର୍ବାଚନ ସମୟରେ ଏଠାରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏପରିକି ଟିକେଟ ପ୍ରସଙ୍ଗରେ ବିବାଦ ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାତ୍ର ଶେଷରେ ବିଷ୍ଣୁ ଦାସ ଟିକେଟ ପାଇଥିଲେ ଓ ପ୍ରାୟ ୪୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଦୀର୍ଘଦିନ ଧରି ବିଷ୍ଣୁ ଜିଲା ବିଜେଡ଼ି ସଭାପତି ଥିଲେ ଓ ଜିଲାର ଅନ୍ୟତମ ଅପ୍ରତିଦ୍ବନ୍ଦ୍ବୀ ଶକ୍ତିକେନ୍ଦ୍ରରେ ପରିଣତ ହୋଇଥିଲେ । ଜିଲାର ଅନ୍ୟତମ ବରିଷ୍ଠ ନେତା ଦାମୋଦର ରାଉତଙ୍କ ତାଙ୍କର ମତାନ୍ତର ଓ ମନାନ୍ତର ସତ୍ବେ ସେ ଜିଲା ସଭାପତି ଭାବରେ ନିରଙ୍କୁଶ ଭାବରେ ଦୀର୍ଘକାଳ ରହିଥିଲେ । ସେତେବେଳେ ଜିଲାରେ ବିଜେଡ଼ି ଦାମଗୋଷ୍ଠୀ ଓ ବିଷ୍ଣୁ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିଲା ।   ମାତ୍ର ତାଙ୍କ ଅବର୍ତମାନରେ ସମସ୍ତଙ୍କ ପାଇଁ ନବୀନ ସର୍ବୋଚ୍ଚ ନେତା ହୋଇଥିଲେ ହେଁ ଜିଲାସ୍ତରରେ ଏହା ବହୁଧା ବିଭକ୍ତ । ରଘୁନାଥପୁର ବ୍ଲକ୍ ବିଜେଡ଼ି ବୈଠକ କଟକ ସଦରରେ ଅନୁଷ୍ଠିତ ହେବା ଏହାର ଉଦାହରଣ ବୋଲି କର୍ମୀ ମହଲରେ ଚର୍ଚା ହେଉଛି । ଏହି ସ୍ଥିତିରେ ନିର୍ବାଚନ ପୂର୍ବରୁ ଯଦି ଗୋଷ୍ଠୀ ବିବାଦର ସମାଧାନ ନ ହୁଏ ତେବେ ତାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି ।

Comments are closed.