ଟିପୁ ସୁଲତାନଙ୍କ ସମୟର ହଜାରେ ରକେଟ୍‍ ଠାବ୍‍, ଯୁଦ୍ଧରେ ହେଉଥିଲା ବ୍ୟବହାର

0

ବେଙ୍ଗାଲୁର : ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅମଳର ଏକ ହଜାରରୁ ଊର୍ଦ୍ଧ୍ବ ରକେଟ୍‍ ଠାବ୍‍ କରାଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ମୁତାବକ ଟିପୁ ଏହି ସବୁ ରକେଟ୍‍କୁ ଯୁଦ୍ଧରେ ବ୍ୟବହାର କରୁଥିଲେ ଓ ଏସବୁ ଅଷ୍ଟାଦଶ ଶତାବ୍ଦୀର। କର୍ଣ୍ଣାଟକ ଶିଭମେଗା ଜିଲା ବେଦାନୁର ଦୁର୍ଗ ନିକଟରେ ଶ୍ରମିକମାନେ ଉତ୍‍ଖନନ କରୁଥିବାବେଳେ ଶନିବାର ଏସବୁ ରକେଟ୍‍ ମିଳିଥିଲା। ଏକ କୂପ ନିକଟରେ ୧୨ରୁ ୧୪ଇଞ୍ଚ ଲମ୍ବ ଲୌହ ବେଲନାକାର ରକେଟ ଉଦ୍ଧାର କରାଯାଇଥିଲା। ସବୁ ରକେଟରେ ପୋଟାସିୟମ ନାଇଟ୍ରେଟ୍‍, ଚାରକୋଲ ଏବଂ ମ୍ୟାଗନାସିୟମ ଗୁଣ୍ଡ ଭର୍ତ୍ତି ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ରକେଟ୍‍କୁ ଶିବପ୍ପା ନାୟକ ସଂଗ୍ରହାଳୟରେ ରଖାଯିବ। ଏହା ପୂର୍ବରୁ ୨୦୧୨ରେ ଶିଭମେଗାରୁ ୧୬୦ଟି ରକେଟ୍‍ ମିଳିଥିଲା। ଟିପୁ ସୁଲତାନଙ୍କ ସମୟରେ କେତେକ ରଟେ୍‍ ଲଣ୍ଡନ ସଂଗ୍ରହାଳୟରେ ରଖାଯାଇଛି। ଐତିହାସିକ ଦସ୍ତାବିଜ୍‍ ଅନୁସାରେ ଶିଭମେଗା ପ୍ରଥମେ ମହୀଶୂର ସାମ୍ରାଜ୍ୟର ଅଂଶ ଥିଲା। ସେତେବେଳେ ୧୭୬୬ରୁ ୧୭୯୯ ମଧ୍ୟରେ ହାଇଦର, ଟିପୁ ସୁଲତାନ ଏବଂ ବ୍ରିଟିଶ ସେନାଙ୍କ ମଧ୍ୟରେ ୪ ଥର ଯୁଦ୍ଧ ହୋଇଥିଲା। ସେତେବେଳେ ଟିପୁ ଏହି ରକେଟର ବ୍ୟବହାର କରୁଥିଲେ। ୧୭୯୯ରେ ଚତୁର୍ଥ ମହୀଶୂର-ବ୍ରିଟିଶ ଯୁଦ୍ଧରେ ଟିପୁଙ୍କ ମୃତ୍ୟୁ ଘଟିଥିଲା।

Leave A Reply