ଟିଣ୍ଡର ଆପ୍‍ ଚାଟିଂ ଜାଲରେ ଯୁବପିଢ଼ି

ବଦଳି ଯାଇଛି ପ୍ରେମର ପରିଭାଷା। ପୂର୍ବରୁ ପ୍ରେମ କରିବା ପାଇଁ ଯୁବକ-ଯୁବତୀଙ୍କୁ ନିର୍ଜନ, ନିକାଞ୍ଚନ ସ୍ଥାନ ବାଛିବାକୁ ପଡୁଥିଲା। କାଳେ ଧରାପଡ଼ିଯିବେ ସେ ଭୟ ମଧ୍ୟ ସବୁବେଳେ ଘାରୁଥିଲା ସେମାନଙ୍କୁ। କିନ୍ତୁ ଏବେ ସମୟ ସହ ବଦଳିଛି ମାନସିକତା। ଅନ୍‍ଲାଇନ୍‍ରେ ମିଳିଯାଉଛି ପ୍ରେମିକ-ପ୍ରେମିକା। ଏକାନ୍ତରେ କଥାବାର୍ତ୍ତା ପାଇଁ ସ୍ମାର୍ଟଫୋନ୍‍ ବଳିଷ୍ଠ ମାଧ୍ୟମ ବିବେଚିତ ହୋଇଛି। ଏଥିରେ ଉପଲବ୍ଧ ସୋସିଆଲ୍‍ ମିଡ଼ିଆରେ ପ୍ରେମ ବିପଦପୂର୍ଣ୍ଣ ବୋଲି ଜାଣିଥିଲେ ମଧ୍ୟ ଏଥିପ୍ରତି ଅନେକ ଦେଖାଉଛନ୍ତି ଅହେତୁକ ଆଗ୍ରହ। ସୋସିଆଲ୍‍ ମିଡ଼ିଆକୁ ବ୍ୟବହାର କରି ପ୍ରଥମେ ବନ୍ଧୁତା କରୁଛନ୍ତି। ଅନ୍‍ଲାଇନ୍‍ରେ ନିଜର ଫଟୋ ଓ ଭିଡିଓ ଅପ୍‍ଲୋଡ୍‍ କରି ଦେଉଛନ୍ତି। ସେସେବୁ ଲାଇକ୍‍ ଓ ଚଏସ୍‍ ହୋଇଯିବାପରେ ନିୟମିତ ଚାଟିଂ କରୁଛନ୍ତି ଯୁବପିଢ଼ି। ଆଧୁନିକତା ଛାପ ସେମାନଙ୍କୁ ଏତେ ପରିମାଣରେ କବଳିତ କରିଛି ଯେ ‘ୱାନ୍‍ ନାଇଟ୍‍ ଷ୍ଟାଣ୍ଡ’ ପାଇଁ ଡେଟିଂ ଲାଗି ଅନେକ ରାଜି ହୋଇଯାଉଛନ୍ତି। ଡେଟିଂରେ ଖିଆପିଆ, ବୁଲାବୁଲି ଓ ଏକାନ୍ତ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି। ପରବର୍ତ୍ତୀ ସମୟରେ ତାହା ସେମାନଙ୍କ ପାଇଁ ଧୋକା, ବ୍ଲାକ୍‍ମେଲିଂ, ବଳାତ୍କାର, ଠକେଇ ଆଦି ଅଭିଯୋଗ ଆଣିଦେଉଛି। ଯାହା ଯୁବପିଢ଼ିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଥିଲେ ମଧ୍ୟ ସେମାନେ ଏଥିରୁ ମୁକୁଳି ପାରୁନାହାନ୍ତି। ଏହାକୁ ନେଇ ବହୁ ଯୁବକ ଯୁବତୀ ଥାନାର ଦ୍ୱାରସ୍ଥ ହେଉଛନ୍ତି। ତେବେ ଏହାର ପରିଣାମ ଅନେକ ସମୟରେ ବହୁ ଭୟଙ୍କର ହେଉଥିବା ଦେଖିବାକୁ ମିଳୁଛି।
ଫେସ୍‍ବୁକ୍‍, ହ୍ୱାଟ୍‍ସଆପ, ଇଷ୍ଟାଗ୍ରାମ୍‍, ଟ୍ୱିଟର ଆଦି ସୋସିଆଲ୍‍ ମିଡ଼ିଆ ପରେ ଏବେ ଆଗକୁ ଦୁଇପାଦ ମାଡ଼ିଯାଇଛି ଟିଣ୍ଡର ଆପ୍‍। ଫେସ୍‍ବୁକ୍‍ ସହ ଲିଙ୍କ କରି ଚାଟିଂ ପାଇଁ ଟିଣ୍ଡର ଆପ୍‍ ବ୍ୟବହାର କରୁଛନ୍ତି ଯୁବପିଢ଼ି। ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ରେ ଚାଟିଂ କରିବାରେ ସୁବିଧା ପାଉଛନ୍ତି। ଲୋକେସନ୍‍ ବେସଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍ ଓ ୱେବ୍‍ଆପ୍ଲିକେସନ୍‍ ‘ଟିଣ୍ଡର ଆପ୍‍’ ଅନ୍ୟାନ୍ୟ ସୋସିଆଲ୍‍ ମିଡ଼ିଆ ଅପେକ୍ଷା ବ୍ୟବହାର କରିବା ସହଜ ହେଉଛି। ତେଣୁ ଏବେ ଫେସ୍‍ବୁକ୍‍ ଓ ହ୍ୱାଟ୍‍ସ ଆପ୍‍ରେ ଚାଟିଂ କରିବା ଛାଡ଼ି ଟିଣ୍ଡର୍‍ ଆପ୍‍ ବ୍ୟବହାର ପାଇଁ ଆଗ୍ରହ ଦେଖାଉଛନ୍ତି ସେମାନେ। ଏହା ଏବେ ଚାଟିଂ କରିବାର ନୂଆ ଟ୍ରେଣ୍ଡ୍‍ ପାଲଟିଛି। ସ୍ୱାଇପ୍‍, ମେସେଜିଂ, ଇଷ୍ଟାଗ୍ରାମ୍‍ ଇଣ୍ଟିଗ୍ରେସନ୍‍, ଟିଣ୍ଡର ଗୋଲ୍ଡ ଆଦି ସୁବିଧା ଥିବା ଟିଣ୍ଡର୍‍ ଆପ୍‍ରେ ଚାଟିଂବେଳେ ଆଉଜଣେ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣି ହେଉଛି। ତେଣୁ ଅନ୍‍ଲାଇନ୍‍ ସାଇଟ୍‍ରେ ଚାଟିଂ ଓ ଡେଟିଂ ପାଇଁ ପାର୍ଟନର ମିଳୁଥିବାରୁ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଏହା ଅଧିକ ବ୍ୟବହାର କରାଯାଉଛି।
ବର୍ତ୍ତମାନ ସମୟରେ ଅନ୍‍ଲାଇନ୍‍ ଡେଟିଂ ଟିଣ୍ଡର ଆପ୍‍ ମାୟାରେ ବାୟା ଯୁବପିଢ଼ି। ଉଚ୍ଚଶିକ୍ଷିତ ଯୁବପିଢ଼ି ଡେଟିଂ ସାଇଟ୍‍ରେ ଦିନରାତି ଚାଟିଂ କରିବା ସାଙ୍ଗକୁ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ହେଉଛନ୍ତି।
ତେବେ ଡେଟିଂ ସାଇଟ୍‍ରେ ଚାଟିଂ ପୂର୍ବରୁ ଏହାର ଭୟାବହତା ଉପରେ ଯୁବପିଢ଼ି ଧ୍ୟାନ ଦେବା ଦରକାର। ସେମାନେ ସଚେତନ ହୋଇପାରିଲେ ଅନେକ ଅଘଟଣ ରୋଗାଯାଇ ପାରିବ ବୋଲି ଆଶା କରାଯାଉଛି।

ରମାକାନ୍ତ ମହାନନ୍ଦ

Comments are closed.