ବଦଳୁଛି ସମୟ, ବୁଡୁଛି ବ୍ୟବସାୟ

ଭୁବନେଶ୍ୱର : ସମୟର ଗତିପଥରେ ଅନେକ ପରିବର୍ତ୍ତନ ଆସୁଛି। ଜୀବନ ଜୀବିକାର ପ୍ରତିଛବି ବଦଳି ଯାଉଛି। କଳା ଧଳା କ୍ୟାମେରାରୁ ଜୀବନ ଆରମ୍ଭ କରିଥିବା ଷ୍ଟୁଡିଓ ଫଟୋଗ୍ରାଫର ଆଗକୁ ଭବିଷ୍ୟତ ଦେଖିପାରୁ ନାହିଁ। ଆଧୁନିକ ଜ୍ଞାନକୌଶଳ ମଣିଷକୁ ଯେତିକି ସୁବିଧା ଦେଇଛି ସେତିକି ସମସ୍ୟା ଭିତରକୁ ଠେଲି ଦେଇଛି। ଏହାର ନଜିର ଦେଖିବାକୁ ମିଳିଛି ରାଜଧାନୀରେ ଥିବା ଏକ ଫଟୋ ଷ୍ଟୁଡିଓରେ।
ସହିଦନଗର ଆର୍ଯ୍ୟସମାଜ ରାସ୍ତାରେ ରହିଛି ଏହି ଫଟୋଷ୍ଟୁଡ଼ିଓ। କାର୍ଯ୍ୟରତ ଫଟୋଗ୍ରାଫର ଜଣଙ୍କ ଚଲାପଥ ଉପରେ ନଜର ଘୂରାଇ ଆଣୁଥାନ୍ତି, କାଳେ କିଏ ଫଟୋ ଉଠାଇବାକୁ ଆସିବେ। ଗ୍ରାହକଙ୍କ ବାଟ ଚାହିଁ ଦିନ ସରିଯାଏ, କେବେ କିଏ କାଁଭା ଆସନ୍ତି। ଷ୍ଟୁଡିଓ ମାଲିକ ପୂର୍ଣ୍ଣଚନ୍ଦ୍ର ନାୟକ ଗତ ୨୦ବର୍ଷ ଧରି ଷ୍ଟୁଡିଓ କରି ପରିବାର ଚଳାଇ ଆସୁଛନ୍ତି। ଘର ଜଗତସିଂହପୁର ରେଢୁଆ ବାରତୀରା। ଗାଁ ଛାଡ଼ି ଆସିଲାପରେ ମାନୁଆଲ ଫଟୋବାଇଡିଂ ଦୋକାନରେ କାମ କରୁଥିଲେ। ସାହୁ ଲାମିନେସନରେ କିଛି ଦିନ କାମ କଲାପରେ ଷ୍ଟୁଡିଓ କରି କଳାଧଳା ଫଟୋ ଉଠାଇ ଭଲ ଦି’ପଇସା ରୋଜଗାର କରୁଥିଲେ। ସେତେବେଳେ କଳାଧଳା ରିଲ୍‌ରେ ୩୫-୩୬ ଆସୁଥିଲା। ଜଣଙ୍କୁ ଫଟୋ ଦେବାକୁ ୩ ଦିନରୁ ୪ ଦିନ ଲାଗୁଥିଲା। ସବୁ ରିଲ୍‌ ନସରିଲା ପର୍ଯ୍ୟନ୍ତ ଫଟୋ ଧୋଇବା କଷ୍ଟ ହେଉଥିଲା। ଅଧାରୁ କାଟି ଧୋଇଲେ ୪ଟି ରିଲ୍‌ ଲାଇଟ୍‌ ପାସ୍‍ ଯୋଗୁଁ ନଷ୍ଟ ହେଉଥିଲା। ତଥାପି ସେ ସମୟରେ ଯେଉଁ ଲୋକ ଫଟୋ ଉଠାଇବାକୁ ଆସୁଥିଲେ ଫଟୋଗ୍ରାଫରଙ୍କ ସମ୍ମାନ ସେଭଳି ରହିଥିଲା, ରୋଜଗାର ମଧ୍ୟ ଭଲ ହେଉଥିଲା। ରଙ୍ଗିନ ଫଟୋ ଆସିଲା। କଲେଜ ପଢୁଆ ପୁଅ ଓ ଝିଅ ଅଧିକ ଆସୁଥିଲେ। ଫଟୋର ପ୍ରଚ୍ଛଦ ପଟରେ ରଙ୍ଗିନ କପଡ଼ା ରହୁଥିଲା। ସମୟ ବଦଳି ଗଲା। ଡିଜିଟାଲ ଯୁଗ ଆସିବା ପରେ ଷ୍ଟୁଡିଓ ଉପରେ ଚଡ଼କ ପଡ଼ିଲା। ମୋବାଇଲରେ ପିଲାମାନେ ନିଜେ ନିଜର ସେଲ୍‌ଫି ଉଠାଇ ମଜା ନେଉଛନ୍ତି। ଆଗଭଳି ଆଉ ଷ୍ଟୁଡିଓ ଚାଲୁ ନାହିଁ। କେବଳ ସ୍କୁଲ କଲେଜ ଓ ବ୍ୟାଙ୍କ ନିମନ୍ତେ ପାସ୍‍ପୋର୍ଟ ଫଟୋ ଉଠାଇବାକୁ କେବେ କିଏ କାଁଭା ଆସୁଛନ୍ତି। ମାସକୁ ଘରଭଡ଼ା ବି ଉଠୁନାହିଁ। ମାସକୁ ଟଙ୍କା ୫ ହଜାର ରୋଜଗାର କରିବା ସମ୍ଭବ ହେଉନାହିଁ। ପୂର୍ବରୁ ଦିନକୁ ୭ଶହରୁ ୮ ଶହ ଟଙ୍କା ରୋଜଗାର ହେଉଥିଲା ବୋଲି ପୂର୍ଣ୍ଣ କହିଛନ୍ତି। କେବଳ ବିବାହ, ବ୍ରତ ସମୟରେ ଭିଡିଓ ଓ ଫଟୋ ଉଠାଇ କିଛି ପଇସା ରୋଜଗାର ହେଉଛି। ସମୟ ବଦଳିଛି, ଏବେ ବେଉସା ବଦଳାଇବୁ ବୋଲି ସେ କହିଛନ୍ତି।

Comments are closed.