ଏଣିକି ‘ଫ୍ୟାମିଲି ପେୟାରିଙ୍ଗ ଫିଚର’ରେ ପିଲାଙ୍କ ଟିକ-ଟକକୁ ଅଭିଭାବକମାନେ କରିପାରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆପ୍ ଟିକ୍-ଟକ୍ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଫ୍ୟାମିଲି ପେୟାରିଙ୍ଗ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ସାହାଯ୍ୟରେ ପିତାମାତାମାନେ ପିଲାଙ୍କ ଟିକ୍ ଟକ୍ ଆକାଉଣ୍ଟ ସହିତ ଲିଙ୍କ୍ କରିପାରିବେ। ଏହାପରେ ଅଭିଭାବକମାନେ ପିଲାମାନଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରେବେ। ଏହା ବ୍ୟତୀତ କମ୍ପାନୀ ୧୬ ବର୍ଷରୁ କମ୍ ଉପଭୋକ୍ତାମାନଙ୍କ ପାଇଁ ସିଧାସଳଖ ହୋଇପାରୁଥିବା ମେସେଜିଂର ଫିଚରକୁ ବନ୍ଦ କରିବ ବୋଲି ଜଣାପଡ଼ିଛି। ଏହା ସହିତ ପିତାମାତାମାନେ ମେସେଜ, ସ୍କ୍ରିନ୍ ସମୟ ଏବଂ ସୀମିତ ମୋଡ୍ ଫିଚରଗୁଡିକୁ ନିୟନ୍ତ୍ରଣ କରିପାରିବେ। ଅନ୍ୟପକ୍ଷରେ, କମ୍ପାନୀ ୩୦ଏପ୍ରିଲରେ ସିଧାସଳଖ ମେସେଜିଂ ଫିଚର ହଟାଇବାକୁ ଯାଉଛି। କମ୍ପାନୀ କହିଛି ଯେ, ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ ଏହି ପଦକ୍ଷେପ ନେଇଛୁ।
ନିକଟରେ ଟିକ୍-ଟକ୍ କରୋନା ଭୂତାଣୁ ମୁକାବିଲା ପାଇଁ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ଚିକିତ୍ସା ଉପକରଣ ଯୋଗାଇ ଦେଇଥିଲା। ଯେଉଁଥିରେ ୪ଳକ୍ଷ ପ୍ରତିରକ୍ଷା ସୁଟ୍ ଏବଂ ୨ଲକ୍ଷ ମାସ୍କ ରହିଥିଲା ।