ନିର୍ଭୟା ମାମଲା: ବିଚାର ଶେଷ ହୋଇଥିବା ୩ ଦୋଷୀଙ୍କୁ କାଲି ଫାଶୀ ଦେବାକୁ ଅଦାଲତଙ୍କୁ ଅନୁମତି ମାଗିଲା ତିହାର ଜେଲ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଦୋଷୀଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନ ଏବେ ବିଚାର ଅପେକ୍ଷାରେ ରହିଛି। ତେଣୁ ବିଚାର ସରିଥିବା ଅନ୍ୟ ତିନି ଦୋଷୀଙ୍କର ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି ହିଁ କାର୍ଯ୍ୟକାରୀ କରିବାକୁ ଶୁକ୍ରବାର ଅଦାଲତଙ୍କୁ ଅନୁମତି ମାଗିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ।

ଜେଲ କର୍ତ୍ତୃପକ୍ଷ ଆଜି ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଅଦାଲତଙ୍କୁ କହିଛନ୍ତି ଯେ, ଫାଶୀ ଦଣ୍ଡରେ ଦଣ୍ଡିତ ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ମାମଲା ବିଚାର ଅପେକ୍ଷାରେ ରହିଛି ସତ, ହେଲେ ଅନ୍ୟ ତିନି ଦୋଷୀଙ୍କର ସବୁ ମାମଲାର ବିଚାର ବିଭିନ୍ନ ଅଦାଲତରେ ବିଭିନ୍ନ ପର୍ଯ୍ୟାୟରେ ଶେଷ ହୋଇ ସାରିଛି। ଏହି ତିନି ଦୋଷୀଙ୍କ ନିକଟରେ ଏବେ ଆଉ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ବିଚାର ସରିଥିବା ଏହି ତିନି ଦୋଷୀଙ୍କୁ ଆସନ୍ତାକାଲି ହିଁ ଫାଶୀ ଦେବାକୁ ଜେଲ କର୍ତ୍ତୃପକ୍ଷ ଅଦାଲତଙ୍କୁ ଅନୁମତି ମାଗିଛନ୍ତି।

ଫାଶୀ ଦଣ୍ଡଦେଶରେ ଦଣ୍ଡିତ ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ ପରିସର ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଘାତକ ମଧ୍ୟ ଆସି ତିହାର ଜେଲରେ ପହଞ୍ଚି ସାରିଲାଣି। ଏ ପ୍ରକାର ପରିସ୍ଥିତିରେ ଆଜି ପୁଣି ଫାଶୀ ଘୁଞ୍ଚାଇବାକୁ ଉଦ୍ୟମ କରିଛନ୍ତି ଦୋଷୀଙ୍କ ଓକିଲ। ଚାରି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଏବେ ବିଚାର ଅପେକ୍ଷାରେ ରହିଥିବାରୁ ଅନ୍ୟ ତିନି ଦୋଷୀ ସେମାନଙ୍କର ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ଆଜି ଦିଲ୍ଲୀର ଏକ ଅଦାଲତରେ ସେ ଆବେଦନ କରିଛନ୍ତି। ତେବେ, ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ଦିଲ୍ଲୀ ଅଦାଲତର ଅତିରିକ୍ତ ଦୌରାଜଜ ଧର୍ମେନ୍ଦ୍ର ରାଣା ଏହି ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି।

ଅନ୍ୟପକ୍ଷରେ, ଦୋଷୀ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି। ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏହାକୁ କୋର୍ଟ କଡ଼ା ଭାଷାରେ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛି।

Comments are closed.