ଅସୁସ୍ଥ ବାଘୁଣୀ ‘ରେଣୁକା’ର ମୃତ୍ୟୁ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଧାରଣ (ନାଲି ରଙ୍ଗର)ବାଘୁଣୀ ରେଣୁକାର ବୁଧବାର ସନ୍ଧ୍ୟା ସାଢ଼େ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାଘୁଣୀ ରେଣୁକା ଗତ ଜାନୁଆରୀ ମାସ ଶେଷ ସପ୍ତାହରୁ ଅସୁସ୍ଥ ଥିଲା। ଯକୃତ ସଂକ୍ରମିତଜନିତ ସମସ୍ୟା ସାଙ୍ଗକୁ ଶରୀରରେ ଘା’ ସୃଷ୍ଟି ହେବାରୁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରୁଥିଲେ। ତେବେ ଗତ ତିନିଦିନ ହେଲା ଖାଇବା ପରିମାଣ କମିଯାଇଥିଲା। ସେ ଗୋଟିଏ ସ୍ଥାନରେ ପଡ଼ିରହୁଥିଲା। ଯକୃତ ସଂକ୍ରମଣ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଗୁରୁବାର ରେଣୁକାର ଶବ ବ୍ୟବଚ୍ଛେଦ କରାଯିବ। ରେଣୁକାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ହ୍ରାସପାଇଛି। ସେମାନଙ୍କ ମଧ୍ୟରେ ୬ ଧଳାବାଘ, ୧୨ ସାଧାରଣ ବାଘ, ୩ କଳା ବାଘ ଓ ଜନ୍ମିତ ୬ ବାଘ ଶାବକଙ୍କ ଲିଙ୍ଗ ଚିହ୍ନଟ ହୋଇନାହିଁ।

୨୦୦୮ ଫେବୃଆରୀ ୨୮ତାରିଖରେ ଧଳାବାଘ ରୋହିତର ସାଧାରଣ ବାଘୁଣୀ ଶୈଳଜା ସହ ମିଳନରୁ ଜନ୍ମଗ୍ରହଣ କରିଥିଲା ରେଣୁକା। ପ୍ରାପ୍ତବୟସ୍କ ହେବାପରେ ୨୦୧୬ ମେ ୨୫ରେ ଧଳାବାଘ ସମ୍ରାଟ ମିଳନରୁ ପ୍ରଥମ ଗର୍ଭରୁ ଗୋଟିଏ ମୃତ ଛୁଆ ଜନ୍ମ େଦଇଥିଲା ରେଣୁକା। ୨୦୧୮ ଡିସେମ୍ବର ୨୨ରେ ପୁଣି ଥରେ ମହାବଳ ବାଘ ସମ୍ରାଟ ମିଳନରୁ ଦ୍ବିତୀୟ ଗର୍ଭରୁ ରେଣୁକା ଦୁଇଟି କଳା ଛୁଆ ଜନ୍ମ ଦେଇଥିଲା। ରେଣୁକା ପ୍ରଥମ ଥର ପାଇଁ ଅସୁସ୍ଥ ହୋଇ ଚିକିତ୍ସା ଲାଗି ବନ୍ୟପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

Comments are closed.