ଅବକାରୀ ଚଢ଼ାଉ: ୫୪୦ଲିଟର ମଦ ଜବତ, ୨ ଗିରଫ

ତିଗିରିଆ: ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୪୦ଲିଟର ଦେଶୀ ମଦ ଜବତ କରାଯିବା ସହିତ ୬,୩୦୦ଲିଟର ପୋଚ ନଷ୍ଟ କରାଯାଇଛି। ଚଢ଼ାଉ ବେଳେ ଦେଶୀ ମଦ ଚୋରା ଚାଲାଣ କରୁଥିବା ୨ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ଓ ବାଙ୍କୀ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଜିଲା ଭ୍ରାମ୍ୟମାଣ ଅବକାରୀ ଚଢ଼ାଉ ଦଳର ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଗ୍ରାମ ନିକଟସ୍ଥ ସାପୁଆନାଳ ଠାରେ ଚଢ଼ାଉ କରାଯାଇ ୩୬୦ଲିଟର ଦେଶୀ ମଦ ଜବତ କରାଯିବା ସହିତ ୬,୩୦୦ଲିଟର ଗୁଡ଼ପୋଚ ନଷ୍ଟ କରାଯାଇଥିଲା। ସେହିଭଳି ଏହିଥାନା ଅନ୍ତର୍ଗତ ସୁଦର୍ଶନପୁର ଛକ ଠାରେ ଦେଶୀ ମଦ ଚୋରା ଚାଲାଣ କରୁଥିବା ତୃପ୍ତିରଞନ ମହାପାତ୍ରଙ୍କ ଠାରୁ ୧୦୦ଲିଟର ମଦ ଏବଂ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଛକ ଠାରେ ରଜତ କୁମାର ମଲ୍ଲିକଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଉଭୟ ଭିରୁଡ଼ା ଗ୍ରାମରୁ ଦେଶୀମଦ ନେଇ ଆଠଗଡ଼ ଅଞ୍ଚଳକୁ ଚାଲାଣ କରୁଥିଲା ବେଳେ ଅବକାରୀ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ମଦ ଚାଲାଣରେ ବ୍ୟବହୃତ ସ୍କୁଟିକୁ ଜବତ କରାଯାଇଥିବା ଆଠଗଡ଼ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଅବକାରୀ ବିଭାଗର ଚଢ଼ାଉ ବେଳେ ଭିରୁଡ଼ା ସାପୁଆନାଳ ନିକଟରେ ରହିଥିବା ଦେଶୀ ମଦରନ୍ଧା ଭାଟିଗୁଡ଼ିକୁ ଭାଙ୍ଗି ନଷ୍ଟ କରିବା ସହିତ ଜାଳିଦିଆଯାଇଛି। ବିଭିନ୍ନ ବଣବୁଦାରେ ଲୁଚାଇ ରଖାଯାଇଥିବା ପୋଚଭର୍ତ୍ତି ଶତାଧିକ ବଡ଼ବଡ଼ ପ୍ଲାଷ୍ଟିକ ଜାରକିନକୁ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭ୍ରାମ୍ୟାମାଣ ଅଚକାରୀ ଚଢ଼ାଉ ଦଳ କଟକ-୨ର ଅଧିକାରୀ ସଞ୍ଚିତ ବାର୍ଲା ଏବଂ ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସହିତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Comments are closed.