MEllora 950×100

ବାଇକ୍‌ ଧକ୍କାରେ ଶିକ୍ଷକ ଗୁରୁତର

ତିଗିରିଆ: ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ବାଇକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମର ସୁଶାନ୍ତ ରାଉତ(୪୫) ବୋଲି ଜଣାପଡ଼ିଛି । ସେ ଜଣେ ସରକାରୀ ବିଦ୍ୟାଳୟ ଶିକ୍ଷକ । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ବେଲଅଣ୍ଟା ଗ୍ରାମରୁ ନିଜ ବିଦ୍ୟାଳୟ ବଡ଼ନାଉପୁଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ ।

ବାଟରେ ତାଙ୍କର ଏହି ଦୁର୍ଘଟଣା ଘଟିବା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତିଗିରିଆ ନିଜିଗଡ଼ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ମୁହଁ ଓ ଛାତିରେ ଗୁରୁତର ଆଘାତ ଲାଗିଛି । ଧକ୍କା କରିଥିବା ବାଇକ ଆରୋହୀ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଦ୍ରୃତ ଗତିରେ ପଳାଇ ଯାଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Comments are closed.