ନନ୍ଦନକାନନ : ଚର୍ଚ୍ଚାରେ ସାରା, ନନ୍ଦନ, ସ୍ନେହା ଓ କ୍ରିଷ୍ଣା

ନନ୍ଦନକାନନ  : ୧୯୬୦ ଡିସେମ୍ବର ୨୯ରେ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ବ ଦରବାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ରାଜ୍ୟ ନୁହେଁ, ଦେଶ ଏବଂ ଦେଶ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପରିଭ୍ରମଣରେ ଆସୁଛନ୍ତି। ବିଶେଷକରି ଧଳାବାଘ ସଫାରୀ ପାଇଁ ଏହାର ପ୍ରମୁଖ ଖ୍ୟାତି ରହିଥିବାବେଳେ ଏଠାକାର ସାଧାରଣ (ନାଲି) ବାଘ ମଧ୍ୟ ସେହିପରି ଚର୍ଚ୍ଚା ପରିସରରେ ରହିଆସିଛନ୍ତି। ସେମାନେ​‌​‌ନ ବି ପ୍ରାଣୀ ଉଦ୍ୟାନର ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଛନ୍ତି। ମହାମାରୀ କରୋନା ସମୟରେ କେତୋଟି ଚର୍ଚ୍ଚିତ ବାଘ ଓ ସେମାନଙ୍କ ଜୀବନଶୈଳୀକୁ ନେଇ ଏହି ଉପସ୍ଥାପନା…।

ବାଘୁଣୀ ‘ସାରା’: ନନ୍ଦନକାନନରେ ପ୍ରଥମ କରି ଜଙ୍ଗଲୀ ବାଘର ବଂଶ ସୃଷ୍ଟି ଉଦ୍ଦେଶ୍ୟରେ ୨୦୦୯ ଏପ୍ରିଲ ୧୮ରେ ‘ସାରା’ ନାମ୍ନୀ ଏକ ୪ବର୍ଷୀୟା ଜଙ୍ଗଲୀ ବାଘୁଣୀକୁ ଭୋପାଳରୁ ଅଣାଯାଇଥିଲା। ସେହି ସମୟରେ ଏହି ଘଟଣା ଚର୍ଚ୍ଚାରେ ରହିଥିଲା। ବଂଶ ସୃଷ୍ଟି ପାଇଁ କର୍ତ୍ତୃପକ୍ଷଙ୍କୁ ୯ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ସାରାର ଜଙ୍ଗଲୀ ସ୍ବଭାବରେ ପରିବର୍ତ୍ତନ ଆସିବା ପରେ ତାକୁ ୨୦୧୦ ଜାନୁଆରୀ ୧ରେ ବାଘ ଖୁଆଡ଼ରେ ଛଡ଼ାଯାଇଥିଲା। ଧଳାବାଘ ‘ଋଷି’ ସହିତ ତା’ର ମିଳନ କରାଇ ପ୍ରଥମ ଗର୍ଭରୁ ୩ଟି ଶାବକଙ୍କୁ ସାରା ଜନ୍ମ ଦେଇଥିଲା। ୨୦୧୨ ଜାନୁଆରୀ ୧୩ରେ ସାରା ଶାବକ ଜନ୍ମ ଦେବା ପରେ ଏଠାରେ ଖୁସିର ଲହରି ଖେଳିଯାଇଥିଲା।

ଜଙ୍ଗଲୀ ବାଘ ନନ୍ଦନ: ସାରା ପରେ ଜଙ୍ଗଲୀ ବାଘ ‘ନନ୍ଦନ’କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ମିଳନ ଆଶାରେ ଶିମିଳିପାଳରୁ ସେ ଧାଇଁ ଆସିଥିଲା। ପର୍ଯ୍ୟଟକମାନେ ପ୍ରଥମେ ତାକୁ ୨୦୧୩ ମାର୍ଚ୍ଚ ୨୪ରେ ବାଘ ସଫାରୀ ପାଖରେ ବୁଲୁଥିବା ଦେଖିବାକୁ ପାଇଥିଲେ। କର୍ତ୍ତୃପକ୍ଷଙ୍କ ଉଦ୍ୟମ ଯୋଗୁଁ ୨୦୧୩ ଏପ୍ରିଲ ୨୯ରେ ଏହି ଜଙ୍ଗଲୀ ବାଘ ସଫାରୀ ଭିତରକୁ ପଶିଥିଲା। ୨୦୧୩ ମେ ୩୧ରେ ନନ୍ଦନକୁ ସଫାରୀରୁ ଧରାଯାଇ ଖୁଆଡ଼ ମଧ୍ୟରେ ରଖାଯାଇଥିଲା। ହେଲେ ପରଦିନ ସବୁ ଉଦ୍ୟମ ବୃଥା ଯାଇଥିଲା। ବାଘ ଖୁଆଡ଼ର ୧୮ଫୁଟ ଉଚ୍ଚ ତାର ଜାଲି ଡେଇଁ ଖସି ପଳାଇଯାଇଥିବା ସକାଳେ ଦେଖିବାକୁ ମିଳିଥିଲା। ମିଳନ ପାଇଁ ବ୍ୟାକୁଳ ଥିବା ଏହି ବାଘଟି ପୁଣିଥରେ ‘ମେଘା’ ରହୁଥିବା ଖୁଆଡ଼ର ପଛପାଖରେ ଘୂରି ବୁଲିଥିଲା। ସେହିବର୍ଷ ଜୁନ୍‌ ୧୩ ରାତିରେ ହିଁ ବାଘ ଫାଶ ମଧ୍ୟରେ ପଡ଼ିଥିଲା। ତା’ପରେ ଏହି ବାଘ ନନ୍ଦନକାନନରେ ରହିବ କି ନାହିଁ ତାକୁ ନେଇ ଆରମ୍ଭ ହୋଇଥିଲା ତନାଘନା। ଶେଷରେ ସେ ନନ୍ଦନକାନନରେ ରହିବା ସଂକ୍ରାନ୍ତରେ ୨୦୧୪ ସେପ୍ଟେମ୍ବର ୮ରେ ନିଷ୍ପତ୍ତି ନିଆଯାଇଥିଲା। କର୍ତ୍ତୃପକ୍ଷ ନନ୍ଦନ ସାରାର ମିଳନ ପାଇଁ ଯୋଜନା ପ୍ରସ୍ତୁତ କରି ନୂତନ ବଂଶ ସୃଷ୍ଟି ଦିଗରେ ତତ୍ପର ହୋଇଉଠିଥିିଲେ। ‘ମେଘା’ ପରିବର୍ତ୍ତେ ସେ ସାରା ରହୁଥିବା ଖୁଆଡ଼କୁ ଲଗାଇ ନନ୍ଦନକୁ ରଖିଥିଲେ। ହେଲେ ନନ୍ଦନ ଆକ୍ରମଣରେ ସାରାର ଆଗ ବାମ ପାର୍ଶ୍ବ ଗୋଡ଼ ଅଙ୍ଗୁଠି କ୍ଷତାକ୍ତ ହୋଇଥିଲା। କରୋନା ପାଇଁ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବାରଣ ଥିବାବେଳେ ‘ନନ୍ଦନ’ ଏବେ ପର୍ଯ୍ୟଟକଙ୍କୁ ନ ପାଇ ଜଙ୍ଗଲୀ ବାଘର ସ୍ବଭାବ ଦେଖାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ବାଘୁଣୀ ​ସ୍ନେହା: ଧଳାବାଘୁଣୀ ସ୍ନେହା ମଧ୍ୟ ନନ୍ଦନକାନନ ପାଇଁ ଗର୍ବ ଓ ଗୌରବ ନେଇ ଆସିଥିଲା। କଳା ଲୋମଯୁକ୍ତ ଶାବକ ଜନ୍ମ ଦେଇ ଏହା ନନ୍ଦନକାନନରେ ଇତିହାସ ରଚିଥିଲା। ସ୍ନେହା ଓ ସାଧାରଣ (ନାଲି) ବାଘ ମନୀଷର ମିଳନରେ ୨୦୧୪ ଜୁଲାଇ ୨୭ରେ ଏକ କଳା ଲୋମଯୁକ୍ତ ବାଘ ଶାବକ ଜନ୍ମ ଦେବା ସହିତ ଆଉ ୩ଶାବକ ମଧ୍ୟ ସେହିଦିନ ସେମାନଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ଏଠାରେ ବି କର୍ତ୍ତୃପକ୍ଷ ସ୍ନେହାର ପ୍ରସବ ଅନୁଧ୍ୟାନ ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିଥିଲେ। ୪ ଶାବକ ହେଲେ- ଶୁଭ୍ରାଂଶୁ, କ୍ରିଷ୍ଣା, ଆନିନି ଓ ସ୍ନେହାଶିଷ। ସାଧାରଣ ବାଘ (ନାଲି) ନିଶାନ ଓ ଧଳା ବାଘୁଣୀ କୁସୁମର ଦ୍ବିତୀୟ ଗର୍ଭରୁ ସ୍ନେହା ଜନ୍ମଗ୍ରହଣ କରିଥିଲା।

କଳାଲୋମଯୁକ୍ତ ବାଘ କ୍ରିଷ୍ଣା: କ୍ରିଷ୍ଣା ସମସ୍ତଙ୍କ ନଜରରେ ରହିଛି। ରାଜ୍ୟ ତଥା ବାହାରୁ ଆସୁଥିବା ପର୍ଯ୍ୟଟକ କ୍ରିଷ୍ଣାକୁ ଦେଖି ମନୋରଞ୍ଜନର ଖୋରାକ ପାଉଥିବାବେଳେ କୁନିକୁନି ପିଲା ମଧ୍ୟ ଏଥିରୁ ବାଦ୍‌ ପଡୁନଥିଲେ। ଏବେ କିନ୍ତୁ କ୍ରିଷ୍ଣା ଗୁମସୁମ ହୋଇ ଗୋଟିଏ ସ୍ଥାନରେ ବସି ରହୁଛି। ଖାଇବାକୁ ଦେଲେ ମନଭରି ଭୋଜନ କରୁନି, ଖୁଆଡ଼ ମଝିରେ ମଝିରେ ଏଣେତେଣେ ଘୂରିବୁଲୁଛି। କ୍ରିଷ୍ଣା ଜନ୍ମବେଳେ କଳା ଲୋମଯୁକ୍ତ ହୋଇଥିବାରୁ ଏହାର ନାମକରଣ ଏପରି କରାଯାଇଥିଲା।
୧୯୮୦ ଜାନୁଆରୀରେ ପ୍ରଥମ କରି ଏଠାରେ ଧଳାବାଘ ଉତ୍ପତ୍ତି ହୋଇଥିଲା। ସାଧାରଣ ବାଘୁଣୀ ଗଙ୍ଗା ଓ ବାଘ ଦୀପକ ଔରସରୁ ପ୍ରଥମେ ୩ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ। ଯାହା ଏକ ବିରଳ ଘଟଣା ଥିଲା। ବର୍ତ୍ତମାନ ନନ୍ଦନକାନନରେ ସାରା, ନନ୍ଦନ, ସ୍ନେହା, କ୍ରିଷ୍ଣା, ରେଣୁକା, ମେଘା, ଅଙ୍କିତା, ଶୁଭଶ୍ରୀ, ଆନୀନୀ, ବାହୁବଳୀ, କୁନ୍ଦନ, ଆଦ୍ୟାଶା, ସେଫ୍‌, ବିଜୟା, ରାଗେଣୀ, ଚିନୁ, ଭିକି, ସମ୍ରାଟ, ସାଇଲ, ମୌସୁମୀ ସମେତ ୨୭ଟି ବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ୮ଧଳା ବାଘ (୩ ଅଣ୍ଡିରା, ୫ ମାଈ), ୧୩ଟି ସାଧାରଣ ବାଘ (୫ଅଣ୍ଡିରା, ୮ ମାଈ), ୪ଟି ଅଣ୍ଡିରା କଳା ଲୋମଯୁକ୍ତ ବାଘ ଓ ୨ଟି ଶାବକ ଅଛନ୍ତି। ଖୁଆଡ଼ରେ ରଖାଯାଇ ସେମାନଙ୍କ ଦୟିତ୍ବ ନିଆଯାଉଛି। ଏଥିପାଇଁ କର୍ମଚାରୀ ନିୟୋଜିତ ଥିବାବେଳେ ଦୈନିକ ମଇଁଷି ମାଂସ ଖାଇବାକୁ ଦିଆଯାଉଛି। ସୋମବାର କେବଳ ଗୋଟିଏ ଦିନ ଖାଦ୍ୟଯୋଗାଣ ବନ୍ଦ ରହୁଛି। ବାଘ ପିଛା ୮ରୁ ୧୦ କେଜି ମାଂସ ଯୋଗାଣ ହେଉଥିବାବେଳେ ଅସୁସ୍ଥ ଥିଲେ କୁକୁଡ଼ା ମାଂସ ଦିଆଯାଇଥାଏ ବୋଲି ନନ୍ଦନକାନନ ଜନ୍ତୁ ରେଞ୍ଜର ସୁଦୀପ୍ତ ପଣ୍ଡା କହିଛନ୍ତି। ଏବେ କରୋନା ପାଇଁ ନନ୍ଦନକାନନରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି ବୋଲି ପର୍ଯ୍ୟଟକ ଏସିଏଫ୍‌ ଅମୂଲ୍ୟକୁମାର ପରିଡ଼ା କହିଛନ୍ତି।

Comments are closed.