ଖଣ୍ଡିଆ ନଈରେ ବାଘ ପାଦଚିହ୍ନକୁ ନେଇ ଚର୍ଚ୍ଚା

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ବାଘ ଦେଖାଦେବା ନେଇ ଖବର ପ୍ରଚାରିତ ହୋଇଥିଲା। ତେବେ ଗତକାଲି କୌଣସି ସୁରାକ ମିଳିନଥିଲା। ମଙ୍ଗଳବାର ଆଉ ଏକ ବାଘର ପାଚ ଚିହ୍ନର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଏ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବନବିଭାଗ ଅଧିକାରୀମାନେ ଏହା ବିଲେଇ ପ୍ରଜାତିର କିମ୍ବା ଗଧିଆ ମାଂଶାସୀ ପ୍ରାଣୀ ସଦୃଶ ହୋଇଥାଇପାରେ ବୋଲି କହିଛନ୍ତି।

ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗାଁ ମୁଣ୍ଡ ଖଣ୍ଡିଆ ନଈକୁ ମଙ୍ଗଳବାର ସକାଳେ ଉକ୍ତ ଗ୍ରାମର କିଛି ଯୁବକ ଶୌଚ ହେବାକୁ ଯାଇଥିଲେ। ଗାଧୁଆ ତୁଠରେ ବାଘର ପାଦଚିହ୍ନ ପଡିଥିବା ଦେଖି ଚାରିଆଡ଼େ ପ୍ରଚାର ହୋଇଥିଲା। ଏହି ପାଦଚିହ୍ନ ଦେଖିବା ପାଇଁ ଆଖପାଖ ଗ୍ରାମର ଲୋକଙ୍କର ଭିଡ଼ ଜମିଥିଲା। ପରେ ପାଦଚିହ୍ନର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଆମ ପ୍ରତିନିଧି ଫଟୋ ଯାଞ୍ଚ ପାଇଁ ଭୁବନେଶ୍ବର ସିଟି ଫରେଷ୍ଟ ଏସିଏଫ୍‌ ପ୍ରଶାନ୍ତକୁମାର ପଣ୍ଡା, ବରଗଡ଼ ଡିଭିଜନ ଏସିଏଫ୍‌ ଅଶୋକୁମାର ଦାସ ଓ ବାଲେଶ୍ବର ଡିଭିଜନ ଏସିଏଫ ସମୀର ସାହୁଙ୍କ ସମେତ ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସ, ଜନ୍ତୁ ରେଞ୍ଜର ସୁଦୀପ୍ତ ପଣ୍ଡା, ଏସିଏଫ୍‌ ଅମୁଲ୍ୟକୁମାର ପରିଡାଙ୍କ ପାଖକୁ ପଠାଇଥିଲେ। ତେବେ ଅଧିକାରୀମାନେ ଫଟୋକୁ ପ୍ରାଥମିକ ପର୍ୟ୍ୟାୟରେ ଯାଞ୍ଚ କଲାପରେ ସେମାନେ ଏହାକୁ ବାଘର ପାଦଚିହ୍ନ ନୁହେଁ ବୋଲି କହିଥିଲେ। ବାଘ ଶିକାର କଲାବେଳେ ନଖ ପଦାକୁ ବାହାରି ଆସିଥାଏ। ଚାଲିକି ଗଲେ ନଖ ପଦାକୁ ବାହାରିନଥାଏ ବା ନଖ ଚିହ୍ନ ମାଟି ଉପରେ ରହିନଥାଏ। ତେଣୁ ଏହା ବିଲେଇ ପ୍ରଜାତିର ପ୍ରାଣୀ କିମ୍ବା ଗଧିଆ ହୋଇଥିବ ବୋଲି କହିଛନ୍ତି। ତେବେ ଖବର ପାଇ ସିଟି ଫରେଷ୍ଟ ଏସିଏଫ୍‌ ପ୍ରଶାନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳକୁ ଆସି ଖଣ୍ଡିଆ ନଈ ଗାଧୁଆ ତୁଠରେ କେତେକ ସ୍ଥାନରେ ପଡ଼ିଥିବା ପାଦଚିହ୍ନକୁ ପ୍ଲାଷ୍ଟର ପ୍ୟାରିସ ମାଧ୍ୟମରେ ସଂଗ୍ରହ କରି ଜାଣିବାକୁ ପାଇଥିଲେ ପାଦଚିହ୍ନଟି ହେଟାବାଘର। ବୁଧବାର ହେଟାବାଘ ଖୋଜିବାକୁ ଏକ ଟିମ୍‌ ଯିବ ବୋଲି ଏସିଏଫ୍‌ ଶ୍ରୀ ପଣ୍ଡା କହିଛନ୍ତି।

Comments are closed.