୨୪ ଘଣ୍ଟା ୯ ବାଘ ଛାଲ ଜବତ, ୭ ଗିରଫ

୩ ରାଜ୍ୟରେ ବାଘ ଛାଲ କାରବାରର ଚେର

ଭୁବନେଶ୍ବର: ୨୪ ଘଣ୍ଟା ଭିତରରେ କଳାହାଣ୍ଡି ଜିଲାରୁ ୯ ବାଘ ଛାଲ ଜବତ ଜବତ ହୋଇଛି। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି ବୋଲି କଳାହାଣ୍ଡି ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲା ନର୍ଲା ଥାନା ବଫଲାରୁ ଅପରାହ୍ଣରେ ଆଉ ୪ଟି ବାଘ ଛାଲ ଜବତ କରାଯାଇଛି। ରଙ୍ଗାଚରଣ ଭୋଇ ନାମକ ବ୍ୟକ୍ତିଙ୍କ ଘରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି। ସେହିପରି ସକାଳେ ଜୁନାଗଡ଼ ଜାରିଙ୍ଗି ନିକଟରୁ ୨ଟି ବାଘ ଛାଲ ମିଳିଥିଲା। ଗତକାଲି ମଧ୍ୟ କଳାହାଣ୍ଡି ଜିଲାରୁ ୩ ବାଘ ଛାଲ ଜବତ ହୋଇଥିଲା। ୨୪ ଘଣ୍ଟା ଭିତରରେ କଳାହାଣ୍ଡି ଜିଲାରୁ ୯ ବାଘ ଛାଲ ଜବତ। ବାଘ ଛାଲ ଜବତ ଘଟଣାରେ ମୋଟ ୭ଜଣ ଗିରଫ କରାଯାଇଛି ବୋଲି କଳାହାଣ୍ଡି ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲା ମ.ରାମପୁର ଅଞ୍ଚଳରୁ ଶୁକ୍ରବାର ୩ଟି ବାଘ ଛାଲ, ଗୋଟିଏ ବାଘ ଦାନ୍ତ ଏବଂ ଗୋଟିଏ ବାଘ ନଖ ଜବତ ହୋଇଥିଲା। ଏହିଠାରୁ ହିଁ ଏକ ବଡ଼ ଧରଣର ବାଘ ଛାଲ ରାକେଟ ଚାଲିଥିବା ଅନୁମାନ କରାଯାଉଥିବା ବେଳେ ଆଜି ପୁଣି ଥରେ ସେହି ଅଭିଯୁକ୍ତମାନଙ୍କ ପାଖରୁ ଆହୁରି ୪ଟି ବାଘ ଛାଲ ଜବତ ହୋଇଛି। ଏଥିସହ ଶଗଡ଼ା ଅଞ୍ଚଳରୁ ଆଜି ଦୁଇଟି ବାଘ ଛାଲ ଜବତ ହୋଇଛି। ସମସ୍ତ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏକକାଳୀନ ୯ଟି ବାଘ ଛାଲ ଜବତ ହେବା ନେଇ ପ୍ରାଣୀପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ସୂଚନା ମୁତାବକ କେନ୍ଦ୍ରୀୟ ମଧ୍ୟକ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ଼ ବନବିଭାଗ ଏବଂ ଓଡ଼ିଶା ବନ ବିଭାଗ ଦ୍ବାରା ମିଳିତ ଏହି ଚଢ଼ଉ କରାଯାଇ ଗତକାଲି ପ୍ରଥମେ ଦୁଇଜଣଙ୍କ ପାଖରୁ ବାଘ ଦାନ୍ତ ଓ ବାଘ ନଖ ଜବତ କରାଯିବା ପରେ ଅନ୍ୟମାନଙ୍କ ପାଖରୁ ବନ ବିଭାଗ ୩ଟି ବାଘ ଛାଲ ଜବତ କରିଥିଲା। ଆଜି ଉକ୍ତ ଅଭିଯୁକ୍ତଙ୍କୁ ଅଧିକ ଜେରା କରିବା ପରେ ପୁଣି ମ.ରାମପୁର ଅଞ୍ଚଳରୁ ଆହୁରି ୪ଟି ବାଘ ଛାଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲାରୁ ରଙ୍ଗାଚରଣ ଭୋଇ ଏବଂ ଅମାଠରୁ କାର୍ତ୍ତିକ ରଣା। ତେବେ ଅଭିଯୁକ୍ତମାନଙ୍କୁ ପଚରାଉଚୁରା ଜାରି ରହିଛି ଏବଂ ଆସନ୍ତକାଲି କୋର୍ଟ ଚାଲାଣ କରାଯିବ ବୋଲି ମ.ରାମପୁର ରେଞ୍ଜ ଅଧିକାରୀ କହିଛନ୍ତି। ଏତେ ସଂଖ୍ୟକ ବାଘ ଛାଲ ସେମାନେ କେବେ ଆଣିଥିଲେ, କେଉଁଠୁ ଆଣିଥିଲେ ଏବଂ ନିଜେ ଶିକାରୀ ନା ଆଉ କାହାପାଖରୁ କିଣି ଚୋରା ଚାଲାଣ କରୁଥିଲେ, କେବେଠାରୁ ଏହି ବାଘ ଛାଲ ରାକେଟ ଚାଲିଥିଲା ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ବରେ ଗରିଆବନ୍ଧ, ନୂଆପଡ଼ା ଓ କଳାହାଣ୍ଡିର ବନ ଅଧିକାରୀ ତଦନ୍ତରେ ସାମିଲ ଅଛନ୍ତି। ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ ରହିଥିବା ଉତ୍ତର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.