ସୁନ୍ଦରୀ ଫେରିବ ମଧ୍ୟପ୍ରଦେଶ – ଓଡ଼ିଶାରେ ବ୍ୟାଘ୍ର ପୁନର୍ବାସ ପ୍ରକଳ୍ପକୁ ଝଟକା

– ସୁନ୍ଦରୀଙ୍କୁ ମଧ୍ୟପ୍ରଦେଶ ପଠାଇବାକୁ ମୁଖ୍ୟ ସଚିବଙ୍କୁ ଏନଟିସିଏର ପତ୍ର
– ବନବିଭାଗ ଜାରି କଲା ସୁନ୍ଦରୀର ଫଟୋ

ଭୁବନେଶ୍ୱର/ବନ୍ତଳା: ରାଜ୍ୟରେ ଥିବା ୯୬୩ ବର୍ଗ କିଲୋମିଟର ପରିମିତ ସାତକୋଶିଆ ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଆବଦ୍ଧ କରି ରଖିବା ନେଇ ଆପତ୍ତି ଉଠାଇଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ। ପ୍ରାଧିକରଣର ଡେପୁଟି ଇନ୍ସପେକ୍ଟର ଜେନେରାଲ ସୁରେନ୍ଦ୍ର ମେହେର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଲେଖିଥିବା ପତ୍ରରେ ବାଘୁଣୀ ସୁନ୍ଦରୀଙ୍କୁ ଫେରାଇ ଦେବା ପାଇଁ କହିଛନ୍ତି। ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବା ସଂରକ୍ଷିତା ଜଙ୍ଗଲରୁ ଅଣାଯାଇଥିଲା। ଏଥି ସହିତ ଓଡ଼ିଶାରେ ବ୍ୟାଘ୍ର ପୁନର୍ବାସ ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି।

ଏନଟିସିଏର ଏକ ଟିମ ଗତ ମାସରେ ବାଘୁଣୀ ସୁନ୍ଦରୀ ପ୍ରସଙ୍ଗରେ ଓଡିଶା ଗସ୍ତରେ ଆସିଥିଲେ ଏବଂ ପରେ ଏ ନେଇ ରିପୋର୍ଟ ଉପସ୍ଥାପନ କରିଥିଲେ। ସେହି ରିପୋର୍ଟ ଅନୁଯାୟୀ ଓଡ଼ିଶାର ବାତାବରଣ ବ୍ୟାଘ୍ର ପୁନର୍ବାସ ପ୍ରକଳ୍ପ ପାଇଁ ଅନୁକୂଳ ନ ଥିବା ଦର୍ଶାଯାଇଛି। ତେବେ ଏଭଳି ରିପୋର୍ଟ ହସ୍ତଗତ ହୋଇ ନ ଥିବା ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୮ ନଭେମ୍ବର ୧୫ରେ ବାଘୁଣୀ ସୁନ୍ଦରୀର ସାଥି ମହାବୀରକୁ ଶିକାରୀମାନେ ହତ୍ୟା କରିବା ପରେ ତାର ହାବଭାବରେ ପରିବର୍ତ୍ତନ ଦେଖା ଦେଇଥିଲା। ଅନ୍ୟ ପକ୍ଷରେ ସାତକୋଶିଆ ନିକଟସ୍ତ ହାତିବାଦୀ ଗ୍ରାମର ଜଣେ ମହିଳାଙ୍କ ଶିକାର ପରେ ସେହି ଅଞ୍ଚଳବାସୀ ବନ ବିଭାଗର ଅପାରଗତାକୁ ଦାୟୀ କରିଥିଲେ। ସେବେ ଠାରୁ ସୁନ୍ଦରୀଙ୍କୁ ଖୁଆଡ଼ ମଧ୍ୟରେ ଆବଦ୍ଧ କରି ରଖାଯାଇଛି। ଏନଟିସିଏ ଅଧିକାରୀ ମେହେରା କହିଛନ୍ତି ଯେ କୌଣସି ବାଘକୁ ଛୋଟ ଖୁଆଡ଼ ମଧ୍ୟରେ ଆବଦ୍ଧ କରି ରଖିବା ଉଚିତ ନୁହେଁ। ଏନଟିସିଏ ରିପୋର୍ଟ ପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ବେପରୁଆ ମନୋଭାବ ପ୍ରକାଶ ପାଇଛି।

ଏ ନେଇ ବନ୍ୟା ପ୍ରାଣୀ ସଂରକ୍ଷଣ ଅଭିଯାନ କର୍ମକର୍ତ୍ତା ବିଶ୍ୱଜିତ ମହାନ୍ତି କହିଛନ୍ତି, ବ୍ୟାଘ୍ର ପୁନର୍ବାସ ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ସେହି ପ୍ରକଳ୍ପରୁ କୌଣସି ସୁଫଳ ମିଳି ପାରିନାହିଁ। ସେ କହିଛନ୍ତି, ସାତକୋଶିଆ ଜଙ୍ଗଲରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକେ ଚଳପ୍ରଚଳ କରୁଥିବା ଓ ପାଖାପାଖି ୫୦ ହଜାରରୁ ଅଧିକ ଗାଈଙ୍କର ତାହା ହେଉଛି ଚରା ଭୂଇଁ ହୋଇଥିବାରୁ ସେଠାରେ ବାଘ ଛାଡିବା ଓ ବଂଶ ବୃଦ୍ଧି ପାଇଁ ଆଶା କରିବା ବୃଥା। ୨୦୧୩ରେ ସାତକୋସିଆରୁ ନନ୍ଦନକାନନକୁ ପଳାଇ ଆସିଥିବା ବାଘକୁ ଛାଡ ଯାଇ ନ ଥିବା ବେଳେ ସୁନ୍ଦରୀଙ୍କୁ ସେହି ଅଂଚଳରେ କାହିଁକି ଛଡ଼ାଗଲା ବୋଲି ପ୍ରଶ୍ନ କରିଛନ୍ତି। ବ୍ୟାଘ୍ର ସଂରକ୍ଷଣ ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଯୋଜନା କାହିଁକି ଅସଫଳ ହେଉଛି ସେ ନେଇ ବିଶ୍ୱଜିତ ପ୍ରଶ୍ନ କରିଛନ୍ତି। ନନ୍ଦନକାନନ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବାଘ ମୃତ୍ୟୁ ନେଇ କାହାକୁ ଉତ୍ତରଦାୟୀ ନ କରାଯିବା ଏଭଳି ପ୍ରକଳ୍ପର ଅସଫଳତା ପାଇଁ ଦାୟୀ ବୋଲି ସେ କହିଛନ୍ତି।

ଇତି ମଧ୍ୟରେ ରାଜ୍ୟ ବନବିଭାଗ ବାଘୁଣୀ ସୁନ୍ଦରୀର ଫଟୋ ଜାରି କରିଛି। ବନବିଭାଗର ଅପାରଗତା ଓ ସମସ୍ତ ଦୋଷ ସାମନାକୁ ଆସିବା ପରେ ଏବେ ବନବିଭାଗ ନିଜ ଆଡୁ ସୁନ୍ଦରୀର ଫଟୋ ଜାରି କରିଛି। ବନନିଭାଗ କହିଛି, ସୁନ୍ଦରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଦୈନଦିନ ଖୁଆଡ଼ ଭିତରେ ଦୌଡୁଛି, ତାର ମନ ମୁତାବକ ଜଳକ୍ରୀଡ଼ା ମଧ୍ୟ କରୁଛି। ୨/୩ ଦିନରେ ନିଜେ ଶିକାର କରି ଖାଉଛି ବୋଲି ବନବିଭାଗ ଜଣାଇଛି। ଏ ନେଇ ଆରସିସିଏଫ ପ୍ରଦୀପରାଜ କରାଟେ କହିଛନ୍ତି,ବ୍ୟାଘ୍ର ପ୍ରକଳ୍ପ ଏବେ ସମ୍ପୁର୍ଣ ବନ୍ଦ ହୋଇନି ଏହା ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି। ଲୋକ ଚାହିଁଲେ ତାହା ସଫଳ ହେବ। ଲୋକ ଯଦି ସ୍ୱଇଚ୍ଛାରେ ଜଙ୍ଗଲ ଛାଡି ବିସ୍ଥାପନ ହେବାକୁ ରାଜି ହେବେ ତାହା ହେଲେ ଏହି ପ୍ରକଳ୍ପ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

Comments are closed.