୩ ମୁଣ୍ଡ ନେଲାପରେ ହାଜତକୁ ଗଲା ବାଘ

ଭୋପାଳ: ଏଣକି ବୁଲିବା ଦିନ ସରିଗଲା। ଏବେ ଯିବ ହାଜତକୁ। ଦୀର୍ଘ ଦିନ ଧରି ଲୋକଙ୍କୁ ଆତଙ୍କିତ କରି ରଖିଥିବା ମହାରାଷ୍ଟ୍ରର ନରହନ୍ତା ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି । ୨୦୧୮ ମସିହାରେ ଏହି ବାଘ ମଣିଷ ମାରି ମହାରାଷ୍ଟ୍ରର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଥିଲା। ୩ ଜଣ ବ୍ୟକ୍ତିଙ୍କୁ ମାରିବା ପରେ ଏବେ କାହ୍ନା ନେସ୍‌ନାଲ୍‌ ପାର୍କରେ ବାଘକୁ ଟ୍ରାଙ୍କୁଲାଇଜର ଦ୍ୱାରା ଅଚେତ କରାଯାଇ ଭୋପାଳ ବନ ବିହାରରେ ଶନିବାର ଛଡ଼ାଯାଇଛି । ଏବେ ହୁଏତ ସାରା ଜୀବନ ତାକୁ ହାଜତରେ କାଟିବାକୁ ପଡ଼ିପାରେ ବୋଲି ବନ ବିଭାଗ କହିଛି ।

ବନବିଭାଗ ଅଧିକରୀଙ୍କ କହିବାନୁସାରେ, ଏହି ବାଘକୁ ବହୁବାର ପ୍ରକୃତି ସହ ରହିବାକୁ ଜଙ୍ଗଲରେ ଖୋଲା ଛଡା ଯ।ଇଥିଲେ ମଧ୍ୟ ସେ ବାରମ୍ବାର ସାଧାରଣ ଜନତାଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ତା’ର ଏହି ବଦଭ୍ୟାସ ପାଇଁ ତାକୁ ପୁଣି ଥରେ ପ୍ରାଣୀ ଉଦ୍ୟାନର ଖୁଆଡ଼ ଭିତରକୁ ଅଣାଯାଇଛି । ମଣିଷ ଜୀବନ ପ୍ରତି ବିପଦକୁ ଲକ୍ଷ୍ୟ କରି ୨୦୧୯ ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ ପୁଣି ଥରେ ତାକୁ ବନ୍ଦୀ କରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ୫ ବର୍ଷ ବୟସର ଏହି ବାଘର ଓଜନ ଅଛି ୧୮୦ କି.ଗ୍ରା ।

ସୂଚନାଯୋଗ୍ୟ, ବାଘକୁ ଜଙ୍ଗଲ ଭିତରେ ଫାଙ୍କାରେ ଛଡ଼ା ଯିବା ପରେ ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରୁ ମଧ୍ୟପ୍ରଦେଶର ପଳାସପାଣି ଅଞ୍ଚଳର ପ୍ରାୟ ୫୧୦ କି.ମି ବୁଲି ୩ ଜଣ ଲୋକଙ୍କୁ ମାରିଥିଲା । ଫଳରେ ବାଘଟିକୁ ନରହନ୍ତା ଘୋଷଣା କରାଯାଇ ପ୍ରାଣୀ ଉଦ୍ୟାନ ହାଜତ ମଧ୍ୟକୁ ପୁଣି ଥରେ ନିଆଯାଇଛି।

Comments are closed.