‘‘ଟାଇଗର…’’କୁ ନେଇ ରାଜନୀତି ସରଗରମ: ସିନ୍ଧିଆ-ଦିଗବିଜୟ ମୁହାଁମୁହିଁ

କଂଗ୍ରେସ ତ୍ୟାଗକରି ବିଜେପି ସାଂସଦ ପାଲଟିଥିବା ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ‘‘ଟାଇଗର ଅଭି ଜିନ୍ଦା ହୈ’’କୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ । ସିନ୍ଧିଆଙ୍କ ଚିର ରାଜନୈତିକ ଶତ୍ରୁ କୁହାଯାଉଥିବା କମଳନାଥ ଓ ଦିଗବିଜୟ ସିଂହଙ୍କ ଉଦ୍ଦେଶ୍ୟରେ ସେ ଭୋପାଳରେ କହିଥିବା ଏହି ୪ଟି ଶବ୍ଦ ରାଜ୍ୟ ରାଜନୀତିରେ ଯେମିତି ନିଆଁ ଲଗାଇ ଦେଇଛି । କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଏହାର ପାଲଟା ଜବାବ ଦେଇ ‘‘ଏହି ଶବ୍ଦ ଏକ ଗାଲୁକଥାରେ ପରିଣତ ହୋଇ ସାରିଛି । ଏପରି କଥା କହିବା ଲାଗି ଆଗକୁ ଆହୁରି ବହୁତ ଲୋକ ଆସିବେ’’ । ଯେତେବେଳେ ଶିକାର ଉପରେ ଅଙ୍କୁଶ ଲାଗି ନ ଥିଲା ସେତେବେଳେ ମାଧବ ରାଓ ସିନ୍ଧିଆ ଓ ସେ (ଦିଗବିଜୟ ସିଂହ) ସିଂହ ଶିକାର କରୁଥିଲେ । ଇନ୍ଦିରାଜୀ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ଆଣିବା ପରେ ଏବେ ସେ କେବଳ ସିଂହଙ୍କୁ କ୍ୟାମେରାରେ ବାନ୍ଧି ରଖୁଛନ୍ତି ବୋଲି ଜ୍ୟୋତିରାଦିତ୍ୟଙ୍କୁ କଟାକ୍ଷ କରିଛନ୍ତି ଦିଗବିଜୟ ସିଂହ ।


ଶିବରାଜ ସିଂହ ଚୌହ୍ବାଣ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉତ୍ସବରେ ଗୁରୁବାରଦିନ ଜ୍ୟୋତିରାଦିତ୍ୟ ସାମିଲ ହୋଇଥିଲେ ଓ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ସେ କମଳନାଥ ଓ ଦିଗବିଜୟ ସିଂହଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ ‘‘ ଏତିକି ବୁଝି ନିଅ, ବାଘ ଏବେ ବି ବଞ୍ଚିଛି’’ ( ଇତନା ସମଝଲୋ ଟାଇଗର ଅଭି ଭି ଜିନ୍ଦା ହୈ)। ଲୋକମାନେ ମୋର ଛବିକୁ ଧୂମ୍ରାଭ କରିବାକୁ ଚେଷ୍ଟା କରୁଛନ୍ତି । ମଧ୍ୟପ୍ରଦେଶ ଲୋକଙ୍କ ନିମନ୍ତେ ସିନ୍ଧିଆ ପରିବାର ସର୍ବଦା ସମର୍ପିତ ରହି ଆସିଛି । ସେ ରାଜମାତା ହୁଅନ୍ତୁ ବା ପିତା ମାଧବରାଓ ସିନ୍ଧିଆ ହୁଅନ୍ତୁ । ନ୍ୟାୟ ରାସ୍ତା, ସତ୍ୟର ରାସ୍ତା ଆପଣେଇବା  ସର୍ବଦା ସିନ୍ଧିଆ ପରିବାରର ସଙ୍କଳ୍ପ ।

ଜ୍ୟୋତିରାଦିତ୍ୟ କେବଳ ନିଜକୁ ପ୍ରଥମ କରି ଟାଇଗର ବୋଲି କହିନାହାନ୍ତି । ଏହା ପୂର୍ବରୁ ଶିବରାଜ ମଧ୍ୟ ନିଜକୁ ଟାଇଗର ବୋଲି କହିଥିଲେ । ଗତବର୍ଷ ତତକାଳୀନ କମଳନାଥ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ‘‘ଟାଇଗର ଅଭି ଜିନ୍ଦା ହୈ’’।
ସୂଚନାଯୋଗ୍ୟ ଯେ ୨୦୧୮ ବିଧାନସଭା ନିର୍ବାଚନରେ ଶିବରାଜଙ୍କ ହାତରୁ ଚାଲି ଯାଇଥିଲା ମଧ୍ୟପ୍ରଦେଶ ଶାସନ ଭାର। ଆସନ ହରାଇବା ପରେ ବୁଧନୀରେ ଶିବରାଜ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ଏହି କଥା କହିଥିଲେ । ସେ କହିଥିଲେ ଯେ – କେହି ଏପରି ଚିନ୍ତା ନ କରୁ ଯେ ମୋର (ଶିବରାଜଙ୍କର) କ’ଣ ହେବ । ମୁଁ ଶିବରାଜ ସିଂହ ଚୌହ୍ବାନ, ଟାଇଗର ଅଭି ଜିନ୍ଦା ହୈ ।

Comments are closed.