ବ୍ୟାଘ୍ର କରିଡରେ ୩୯୯ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି

0

ନାଗପୁର: କେନ୍ଦ୍ର ଓ ପୂର୍ବ ଘାଟରେ ଥିବା ବ୍ୟାଘ୍ର କରିଡରେ ଅଞ୍ଚଳରେ ୩୯୯ଟି ପ୍ରକଳ୍ପ ନିର୍ମିିତ ହେବାକୁ ଯାଉଛି। ସେଥିମଧ୍ୟରେ ମୁଖ୍ୟତଃ ରାଜପଥ, ରେଳ ଓ ଜଳସେଚନ ପ୍ରକଳ୍ପ ରହିଛି। ଏଥିପାଇଁ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଦେଶର ମୋଟ ୨,୨୨୬ ବ୍ୟାଘ୍ର ମଧ୍ୟରୁ ଏହି ଅଞ୍ଚଳରେ ୩୧% ବା ୬୮୮ଟି ବାଘ ବସବାସ କରୁଥବା ଜଣାପଡ଼ିଛି। ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବ୍ୟାପ୍ତ ରହିଛି ଏହି ବ୍ୟାଘ୍ର କରିଡର। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପୂର୍ବରୁ ଏହି ତଥ୍ୟ ସାମ୍‍ନାକୁ ଆସିବା ପରେ ପରିବେଶବିତ୍‍ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଉଦ୍‍ବେଗ ପ୍ରକାଶ ପାଇଛି।
ବନ୍ୟପ୍ରାଣୀ ସଂରକ୍ଷଣ ଟ୍ରଷ୍ଟର ଗବେଷକ ମିଲିନ୍ଦ ପାରିୱାକାମ୍‍, ଆଦିତ୍ୟ ଜୋଷୀ, ଶୀତଲ ନାଭଗିରି ଓ ଶ୍ରୀନିବାସ ବୈଦ୍ୟନାଥନ୍‍ଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ପ୍ରକାଶିତ ତଥ୍ୟାନୁଯାୟୀ ଉକ୍ତ ୩୯୯ ପ୍ରକଳ୍ପ ବା ସଂସ୍ଥାର ମାଲିକାନା ଦାୟିତ୍ୱରେ ଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ମଧ୍ୟରୁ ୩୪୫ଜଣଙ୍କୁ ସେଠାରେ ବ୍ୟାଘ୍ର ପ୍ରକଳ୍ପ ଥିବା ଜଣାନାହିଁ। ବ୍ୟାଘ୍ର ବଂଶ ବୃଦ୍ଧି କିମ୍ବା ସଂରକ୍ଷଣ ଦୃଷ୍ଟିରୁ ବ୍ୟାଘ୍ର କରିଡରର ଯେଉଁ ଅଞ୍ଚଳ ଗୁରୁତ୍ୱହୀନ ହୋଇପଡ଼ିଛି ସେଗୁଡ଼ିକୁ ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ସେଠାରେ ନୂଆ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି।
ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ମାଧ୍ୟମରେ ସମନ୍ୱୟ ରକ୍ଷା କରାଯାଇପାରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave A Reply