ବାଘ ଲାଗି ସୁହାଉନାହିଁ ଓଡ଼ିଶା ଜଙ୍ଗଲ: ୨୦୦୨ରେ ୧୯୨ ବାଘ, ୨୦୧୮ରେ ମାତ୍ର ୨୮

ଦେଶରେ ବାଘ ସଂଖ୍ୟା ୨୯୬୭କୁ ବୃଦ୍ଧି

ଭୁବନେଶ୍ୱର : ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ମସିହାର ବାଘ ଗଣନା ରିପୋର୍ଟ ପ୍ରକାଶିତ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଏହି ଗଣନା କରାଯାଇଥିଲା। ପ୍ରତି ୪ବର୍ଷରେ ହେଉଥିବା ଗଣନାରେ ୨୦୧୪ ଅପେକ୍ଷା ଦେଶରେ ବାଘ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି। ୨୦୧୪ ଗଣନା ଅନୁସାରେ ଦେଶରେ ୨୨୨୬ଟି ବାଘ ଥିଲା ବେଳେ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ବୃଦ୍ଧି ପାଇଛି। ମାତ୍ର ବିଡମ୍ବନାର ବିଷୟ ଏହି ଯେ ଓଡିଶାରେ ଏହି ୪ବର୍ଷ ମଧ୍ୟରେ ଗୋଟିଏ ହେଲେ ବାଘ ସଂଖ୍ୟା ବଢିନାହିଁ।୨୦୦୨ ମସିହାରେ ଓଡିଶାରେ ୬୦ଟି ବାଘ ଛୁଆକୁ ମିଶାଇ ମୋଟ ୧୯୨ଟି ବାଘ ଥିଲେ। ୧୩୨ଟି ବୟସ୍କ ବାଘ ସଂଖ୍ୟା ହ୍ରାସ ପାଇ ଏବେ ୨୮ରେ ପହଞ୍ଚିଛି। ଗତ ୧୬ବର୍ଷ ଭିତରେ ରାଜ୍ୟରେ ୧୦୪ଟି ବାଘଙ୍କ ମୃତ୍ୟୁ ଘଟିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୧୮ଟି ବାଘ ବୃଦ୍ଧି ପାଇଛି। ୨୦୧୪ରେ ଏଠାରେ ୩୦୮ଟି ବାଘ ଥିଲା ବେଳେ ୨୦୧୮ରେ ଏହା ୫୨୬କୁ ବୃଦ୍ଧି ପାଇଛି। ସେହିପରି ମହାରଷ୍ଟ୍ରରେ ବାଘ ସଂଖ୍ୟା ୧୯୦ରୁ ୩୧୨, କେରଳରେ ୧୩୬ରୁ ୧୯୦କୁ ବୃଦ୍ଧି ପାଇଥିଲା ବେଳେ ଓଡିଶାରେ ଏହି ସଂଖ୍ୟା ୨୮ ହିଁ ରହିଛି। ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମଧ୍ୟ ବାଘ ସଂଖ୍ୟାରେ କୌଣସି ବୃଦ୍ଧି ଘଟିନାହିଁ। ଛତିଶଗଡ ଓ ମିଜୋରମରେ ବାଘ ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ୟାଘ୍ର ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ହେଁ ଓଡିଶାରେ ଏହାକୁ ଆଶାନୁରୂପ ସଫଳତା ମିଳିନାହିଁ। ଏହାର ମୁଖ୍ୟ କାରଣ ହେଉଛି ଅବାଧ ବାଘ ଶିକାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା। ବାଘ ଗଣନା ଲାଗି ଶିମିଳିପାଳରେ ୧୪୧ କ୍ୟାମେରା ଟ୍ରାପ କରାଯାଇଥିଲା। ଏଥିସହ ରାତିରେ ମଧ୍ୟ ବାଘଙ୍କ ଗତିବିଧି ଉପରେ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିଲା। ଏହି ପ୍ରକ୍ରିୟା ମାଧ୍ୟମରେ ଶିମିଳିପାଳରେ କଳା ବାଘ ଠାବ କରାଯାଇଥିଲା ଯାହାକି ବିଶ୍ୱର ଅନ୍ୟ କେଉଁ ଜଙ୍ଗଲରେ ଦେଖିବାକୁ ମିଳିନାହିଁ। କ୍ୟାମେରା ଜରିଆରେ ଶିମିଳିପାଳରେ ୮ ଓ ସାତକୋଶିଆରେ ଗୋଟିଏ ବାଘ ଠାବ କରାଯାଇଥିଲା। ସେହିପରି ଦେବ୍ରିଗଡ ଅଭୟାରଣ୍ୟରେ ଗୋଟିଏ ବାଘ ଠାବ କରାଯାଇଥିଲା। ବାକି ୧୦ଟି ସ୍ଥାନରେ ବାଘ ନ ଥିବା ଜଣାପଡ଼ିଥିଲା।
୨୦୦୨ ତଥ୍ୟ ଅନୁସାରେ ୬୦ଟି ଛୁଆ ବାଘଙ୍କ ବର୍ତ୍ତମାନ ସ୍ଥିତି କଣ ତାହା ମଧ୍ୟ ଅସ୍ପଷ୍ଟ ରହିଛି। ରାଜ୍ୟ ସରକାରଙ୍କ ୨୦୦୬ ଓ ୨୦୧୬ ଗଣନା ଅନୁସାରେ ସାତକୋଶିଆରେ ୭୫ଟି ବାଘ ଥିଲେ। ବାଘ ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏମାନଙ୍କ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଉଛି। ଏବେ ସାତକୋଶିଆରେ ମାତ୍ର ଗୋଟିଏ ବାଘ ରହିଛି। ଏଠାରୁ ଠାବ କରାଯାଇଥିବା ଦୁଇଟି ବାଘ ମଧ୍ୟରୁ ଶିକାରିମାନେ ଗୋଟିଏକୁ ଗତବର୍ଷ ମାରି ଦେଇଥିଲା ବେଳେ ଆଉ ଗୋଟିଏ ବାଘକୁ ଏନକ୍ଲୋଜରରେ ରଖାଯାଇଛି। ବିଶେଷଜ୍ଞଙ୍କ ମତରେ ଓଡିଶାର ବିସ୍ତୀର୍ଣ୍ଣ ପ୍ରାକୃତିକ ପରିବେଶ ଓ ଜଙ୍ଗଲ ବାଘ ବଂଶ ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହୋଇପାରିବ। ମାତ୍ର ଅବାଧ ଶିକାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଓଡିଶାରେ ବାଘ ସଂଖ୍ୟା ବଢିବା ପରିବର୍ତ୍ତେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

Comments are closed.