କାର୍ଯ୍ୟାଳୟକୁ କ’ଣ ନେବେ ଟିଫିନ୍ ?

0

କର୍ମଜୀବୀ ଲୋକେ ଦିନର ଆରମ୍ଭ ହିଁ ତରବରରେ କରନ୍ତି। ଏକ ସର୍ବେକ୍ଷଣ ଅନୁସାରେ ପ୍ରାୟ ୫୫% କର୍ମଜୀବୀ ଲୋକେ (ଉଭୟ ମହିଳା ଓ ପୁରୁଷ ଏଥିରେ ଅନ୍ତର୍ଗତ) ନିୟମିତ ଭାବେ ନିଜ ଖାଦ୍ୟପାନୀୟକୁ ଦୃଷ୍ଟି ଦେଇପାରନ୍ତି ନାହିଁ। ଯେଉଁ କାରଣରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଣୁ ସେମାନେ ଘରୁ ହିଁ ନିଜ ଟିଫିନ୍ ପ୍ରସ୍ତୁତ କରି ନେଇଯିବା ସର୍ବୋତ୍ତମ ଉପାୟ ବୋଲି ଖାଦ୍ୟ ବିଶେଷଜ୍ଞ ଅଞ୍ଜଳି ପୋଦାର୍ କହିଛନ୍ତି। ଦିଲ୍ଲୀରେ ଏକ ନାମୀ ଚିକିତ୍ସାଳୟରେ ଖାଦ୍ୟ ବିଶେଷଜ୍ଞ ଅଞ୍ଜଳିଙ୍କ ମତରେ, ସଂଖ୍ୟାଧିକ ରୋଗୀ ପେଟ ସମସ୍ୟାରୁ ଚିକିତ୍ସାଳୟ ଆସନ୍ତି। କର୍ମଜୀବୀମାନେ ଭୋଜନକୁ ଅଣଦେଖା କରି ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଦ୍ବିପହରରେ ଅଳ୍ପ ପ୍ରୋଟିନ୍ ଯୁକ୍ତ ଆହାର ନିୟମିତ ଭୋଜନରେ ସାମିଲ କରନ୍ତୁ। ଯେପରି ଡାଲି, ଛେନା, ଚଣା, ଗଜା ମୁଗ ଇତ୍ୟାଦି।
ଟିଫିନ୍‌ରେ ଭାତ ପରିବର୍ତ୍ତେ ରୁଟି ନେବା ଉଚିତ। କାରଣ ଭାତ ଖାଇଲେ ନିଦ ଲାଗିବା ସ୍ବାଭାବିକ। ଏହି କାରଣରୁ ଗୁଜରାଟ୍‌ର ଏକ ଘରୋଇ କମ୍ପାନୀ ନିଜ କର୍ମଚାରୀଙ୍କୁ ଦ୍ବିପହର ଭୋଜନରେ ଭାତ ନ ଖାଇବା ଲାଗି କଡ଼ା ନିୟମ କରିଛି।
ରୁଟି, ଦହି, ସାଲାଡ୍ ଏସବୁ ନିୟମିତ ଭାବେ ଟିଫିନ୍‌ରେ ନିଅନ୍ତୁ। ଅନ୍ୟ ଏକ ବିଶେଷ ଧ୍ୟାନ ହେଉଛି, କାର୍ଯ୍ୟାଳୟକୁ ଟିଫିନ୍ ନେଇ ଯାଉଥିଲେ ତାହାକୁ ମାଇକ୍ରୋୱେଭ୍‌ରେ ଗରମ କରି ଖାଆନ୍ତୁ। ସେଭଳି ସୁବିଧା ନଥିଲେ ଏବେ ବଜାରରେ ମିଳୁଥିବା ଇଲେକ୍ଟ୍ରିକ୍ ଲଞ୍ଚ୍ ବକ୍ସର ବ୍ୟବହାର କରନ୍ତୁ। ତାହା ସ୍ବାସ୍ଥ୍ୟ ପାଇଁ ହିତକର।
ଚା’, କଫି ପାନୀୟ ଇତ୍ୟାଦି ଖରାବେଳେ ନ ପିଇବା ଉଚିତ। ଏହା ପେଟ ଗରମ କରିବା ସହ ଶରୀର ଜଳାପୋଡ଼ା କରିଥାଏ। ଏସବୁ ବାଦ୍ ଭୋଜନ ପରେ ଗିଲାସେ ଉଷୁମ ପାଣି ପିଇବା ମହୌଷଧୀ ଅଟେ।

Leave A Reply