ବଜ୍ରପାତରେ ଯୁବଚାଷୀଙ୍କ ମୃତ୍ୟୁ

ବଡ଼ମ୍ବା : କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମରେ ଗୁରୁବାର ଜଣେ ଯୁବଚାଷୀଙ୍କର ବଜ୍ରପାତରେ ସୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମାନପୁର ପଞ୍ଚାୟତ ୪ନମ୍ବର ୱାଡ଼ ସଦସ୍ୟା ପ୍ରଭାତୀ ପାଳଙ୍କ ସ୍ୱାମୀ ନରେନ୍ଦ୍ର ପାଳ(୩୮)। ମୃତ ନରେନ୍ଦ୍ର ମାନପୁର ଅଞ୍ଚଳର ଜଣେ ଅଗ୍ରଣୀ ଯୁବଚାଷୀ ଏବଂ ସେ ନିଜ ପରିବା ବିଲରେ କାର୍ଯ୍ୟରତ ଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ବଜ୍ରାଘାତର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କଠୁ ପ୍ରକାଶ। ଘଟଣା ଜଣାପଡ଼ିବା ପରେ ପରିବାର ଲୋକ ନରେନ୍ଦ୍ରଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ତିଗିରିଆ ସରକାରୀ ଚିକିତ୍ସାଳୟକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପ୍ରକାଶ। ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଇତିସ୍ମିତା ପ୍ରଧାନ ଖବରପାଇ ପ୍ରଶାସନ ତରଫରୁ ଏହି ଘଟଣାର ତଦନ୍ତ କରିଥିବା ପ୍ରକାଶ। ମୃତକଙ୍କ ମୃତଦେହ ବ୍ୟବଛେଦ ଆଠଗଡ଼ରେ କରାଯିବା ନେଇ ସୂଚନା ମିଳିଛି। ଏହି ଆକସ୍ମିକ ଦୁଃଖଦ ଘଟଣାକୁ ନେଇ ମାନପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.