ବଜ୍ରପାତରେ ୨ ମୃତ, ୪ ଆହତ

ବାଙ୍କୀ/ବୈଦ୍ୟେଶ୍ବର : ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁରରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ  ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ଦୁଲଣାପୁର ଗ୍ରାମର ରମେଶ ପ୍ରଧାନ, ଜଳଧର ସାହୁ, ଶତ୍ରୁଘ୍ନ ମନ୍ତ୍ରୀ, କୃପାସିନ୍ଧୁ ରାଉତ, ନୂତନ ରଣା, ଶତ୍ରୁଘ୍ନ ମନ୍ତ୍ରୀ ଓ ତାଙ୍କ ପୁଅ ବିଲକୁ ଯାଇଥିଲେ। ହଠାତ୍‌ ବର୍ଷା ଆସିବାରୁ ସେମାନେ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ସମସ୍ତେ ଆଘାତ ପାଇଥିଲେ। ଘଟଣାସ୍ଥଳରେ ରମେଶ ଚନ୍ଦ୍ର ସାହୁ (୪୦) ଓ ଗତିକୃଷ୍ଣ ପରିଡ଼ା (୨୯) ସଂଜ୍ଞାହୀନ ହୋଇ ପଡ଼ିଥିଲେ।
ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ସମସ୍ତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ରମେଶ ଓ ଗତିକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନେ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଶତ୍ରୁଘ୍ନ ମନ୍ତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ବନା ଦେବା ସହିତ ଆହତମାନଙ୍କ ଚିକିତ୍ସା ସମ୍ବନ୍ଧରେ ବୁଝିଥିଲେ। ପରେ ବିଧାୟକ ଶ୍ରୀ ତ୍ରିପାଠୀ କଟକ ବଡ଼ଡାକ୍ତରଖାନାରେ ଶତ୍ରୁଘ୍ନଙ୍କୁ ଭେଟିବା ସହ ତାଙ୍କର ଚିକିତ୍ସା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ପୂର୍ବତନ ବିଧାୟକ ଡାକ୍ତର ଦେବାଶିଷ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେବାସହ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହ କଂଗ୍ରେସ ନେତା ବିଶ୍ୱରଞ୍ଜନ ପଣ୍ଡା, ବିଜୟ ମହାପାତ୍ର, ନୀଳମଣି ମହାପାତ୍ର, କାଶୀ ମହାପାତ୍ର, କୁବେର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.