ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ “ଖାଦ୍ୟ ଓ ଜୀବିକା ନିରାପତ୍ତା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ରେ ଆଗାମୀ ବୈଷୟିକ ଓ ଔଦ୍ୟୋଗିକ ଉନ୍ନତୀକରଣ” ସମ୍ବନ୍ଧୀୟ ତ୍ରି ଦିବସୀୟ ଜାତୀୟ ଇ- ସମ୍ମେଳନ ଉଦଘାଟିତ

ଭୁବନେଶ୍ଵର :  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ “ଖାଦ୍ୟ ଓ ଜୀବିକା ନିରାପତ୍ତା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ରେ ଆଗାମୀ ବୈଷୟିକ ଓ ଔଦ୍ୟୋଗିକ ଉନ୍ନତୀକରଣ” ସମ୍ବନ୍ଧୀୟ ତ୍ରି ଦିବସୀୟ ଜାତୀୟ ଇ- ସମ୍ମେଳନ ଉଦଘାଟିତ ହୋଇଯାଇଛି। ସୋଆ ବିଶ୍ୱ ବିଦ୍ୟାଳୟ ର କୁଳପତି ଡଃ ଅଶୋକ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହାର ଉଦଘାଟନୀ ଉତ୍ସବ ରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ର ମାନ୍ୟବର ମହାନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜର ବହୁମୂଲ୍ୟ ଉଦବୋଧନ ରଖିବା ସଙ୍ଗେ ସଙ୍ଗେ ମହାମାରୀ ପ୍ରପୀଡ଼ିତ ବିଶ୍ୱର ସଚେତନ ଜନସମୁଦାୟ ତଥା ଆକ୍ରାନ୍ତ ପରିବାର ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

କରୋନା ମହାମାରୀ ସମୟରେ ବି ଭାରତ ର ସବୁ କୃଷକ ମାନଙ୍କ ର ନିରବଛିନ୍ନ ଉଦ୍ୟମ ଓ ତ୍ୟାଗ ର ଫଳସ୍ୱରୂପ ଉତ୍ପାଦନ କ୍ଷେତ୍ର ରେ ଅଭୂତପୂର୍ବ ବିକାଶ ପାଇଁ ସମଗ୍ର କୃଷକ ସମାଜ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିବା ସହିତ କୃଷି କ୍ଷେତ୍ର ରେ ବିବିଧତା ଯେ ଏକ ସଫଳ କୃଷି ଅର୍ଥନୀତି ର ମାନଦଣ୍ଡ ଏ ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତ ରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ଶତକଡା ୬ ପ୍ରତିଶତ ବୃଦ୍ଧି ପାଇଛି ଓ ଡାଲି ଜାତୀୟ ଫସଲ ର ଆବଶ୍ୟକତା ପରିପୁରଣ ନିମନ୍ତେ ଉତ୍ପାଦନ କ୍ଷେତ୍ର ରେ ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ର ପ୍ରୟୋଗ ଅନିର୍ବାର୍ୟ୍ୟ ବୋଲି ଡଃ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି। କୃଷି ବିଜ୍ଞାନ ର ଛାତ୍ର ଛାତ୍ରୀ ଙ୍କୁ ବାଜରା ଜାତୀୟ ଫସଲ ବା ମିଲେଟ ଫସଲ ପର୍ୟ୍ୟବେସିତ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ଉପଦେଶ ଦେଇଛନ୍ତି। ଏହି ଅବସର ରେ ସୋଆ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ଙ୍କ ପ୍ରମୁଖ ଉପଦେଷ୍ଟା ତଥା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡଃ ଦେବୀ ପ୍ରସାଦ ରାୟ ଯୋଗ ଦେଇ ଜାତୀୟ ଖାଦ୍ୟ ନିରାପତ୍ତା ଓ ଜାତୀୟ ନୂତନ ଶିକ୍ଷା ଯୋଜନା ୨୦୨୦ ଉପରେ ବିଶେଷ ଆଲୋକପାତ କରିବା ସହିତ ପ୍ରାକୃତିକ ଦୁର୍ବିପାକ ଏବଂ କୃଷି ଓ କୃଷକ ଉପରେ ଏହାର ପ୍ରଭାବ ତଥା ଦୁର୍ବିପାକ ପରିଚାଳନା ନିମନ୍ତେ ବିହିତ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।

ଉତ୍ସବ ର ସଭାପତି ତଥା ସୋଆ ର ମାନ୍ୟବର କୁଳପତି ଡଃ ଅଶୋକ ମହାପାତ୍ର ନିଜର ସଭାପତି ଅଭିଭାଷଣ ରେ ମହାମାରୀ ଆତଙ୍କିତ ବିଶ୍ୱ କୁ ସମବେଦନା ଜଣାଇବା ସହିତ ମହାମାରୀ ର ଗୁରୁତ୍ୱ ଓ ଏହାର ମୁକାବିଲା ପାଇଁ ସୋଆ ର ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହିତ ସଭାପତି ତାଙ୍କ ବକ୍ତବ୍ୟ ରେ ତ୍ରୁଟିପୂର୍ଣ୍ଣ ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥା ଓ ତତ ଜନିତ ଦେଶ ରେ ଶିଶୁ ମାନଙ୍କ ମଧ୍ୟରେ ଦେଖାଯାଉଥିବା ଅପପୁଷ୍ଟି କୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ ୨୦ ବର୍ଷ ମଧ୍ୟ ରେ ଦେଶରେ ଅପପୁଷ୍ଟି ଜନିତ ମୃତ୍ୟୁ ହ୍ରାସ ଓ ସୁଷମ ଖାଦ୍ୟ ସଂକ୍ରାନ୍ତୀୟ ସଚେତନତା କୁ ନେଇ ଆଶା ବ୍ୟକ୍ତ କରିଛନ୍ତି। ଉଦଘାଟନୀ ଉତ୍ସବ ର ପ୍ରାରମ୍ଭ ରେ ଇ ସମ୍ମେଳନ ର ସଂଯୋଜକ ତଥା ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିଜୟ କୁମାର ସାହୁ ନିଜର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ବରେଣ୍ୟ ଅତିଥି ମାନଙ୍କୁ ନିମନ୍ତ୍ରଣ କରିଥିଲେ ଓ ଅନୁଷ୍ଠାନ ର ବରିଷ୍ଠ ପ୍ରଫେସର ତଥା ସ୍ନାତକୋତ୍ତର ବିଭାଗ ର ଅଧ୍ୟକ୍ଷ ଡଃ ପ୍ରେମାନନ୍ଦ ମହାପାତ୍ର ନିଜର ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର ଡଃ ବିବୁଧ ପରାଶର ଙ୍କ ଦ୍ଵାରା ସଂଯୋଜିତ ଏହି ଉଦଘାଟନୀ ଉତ୍ସବ ର ଶେଷ ରେ ଇ ସମ୍ମେଳନ ର ପରିଚାଳନା ସମ୍ପାଦକ ଡଃ ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଦୁଇଟି ପର୍ୟ୍ୟାୟ ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସୂଚୀସ୍ମିତା ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରଥମ ପର୍ୟ୍ୟାୟ ଆଲୋଚନା ରେ ସଭାପତି ରୂପେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଏମ କୁମାରସ୍ୱାମୀ ଓ ଆଲୋଚନା ଚକ୍ର ର ଉପସଭାପତି ଭାବେ କୀଟତତ୍ୱ ବିଭାଗ ର ବରେଣ୍ୟ ପ୍ରଫେସର ଡଃ ବିଜୟ କୁମାର ମିଶ୍ର ଯୋଗ ଦେଇଥିଲେ। ଉକ୍ତ ପ୍ରଥମ ପର୍ୟ୍ୟାୟ ଆଲୋଚନା ରେ ମୁଖ୍ୟ ବକ୍ତା ରୂପେ ଲବ୍ଧ ପ୍ରତିଷ୍ଠିତ ବୈଜ୍ଞାନିକ ଡଃ ଶରତ ପ୍ରଧାନ ଓ ଜିଆଇଇଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପଣ୍ଡା ନିଜର ବହୁମୂଲ୍ୟ ବିବୃତ୍ତି ପ୍ରଦାନ କରିଥିଲେ।

ଅଧ୍ୟାପକ ଭୁବନାନନ୍ଦ ଅଧିକାରୀ ଙ୍କ ଦ୍ଵାରା ସଂଯୋଜିତ ଦ୍ଵିତୀୟ ପର୍ୟ୍ୟାୟ ଆଲୋଚନା ରେ ବରିଷ୍ଠ ଉଦ୍ଭିଦ ରୋଗ ବିଶେଷଜ୍ଞ ଡଃ ଏନ କେ ଧଳ ସଭାପତି ଓ ବରିଷ୍ଠ କୃଷି ସମ୍ପ୍ରସାରଣ ବିଭାଗ ପ୍ରଫେସର ଡଃ ସନ୍ତୋଷ କୁମାର ରାଉତ ଉପସଭାପତି ଭାବେ ଯୋଗ ଦେବା ସହିତ ଓୟୁଏଟି କୃଷି ସମ୍ପ୍ରସାରଣ ବିଭାଗ ର ଅଧ୍ୟକ୍ଷ ଡଃ ଲଳିତ ମୋହନ ଗଡନାୟକ, ଭାରତୀୟ ଯୋଜନା କମିଶନ ର ପୂର୍ବତନ କୃଷି ଉପଦେଷ୍ଟା ଡଃ ଭି ଭି ସଦାମତେ, ଓ ବୈଜ୍ଞାନିକ ଡଃ ଲିପି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର ବହୁମୂଲ୍ୟ ଉପାଦେୟ ଗବେଷଣା ଲବ୍ଧ ତଥ୍ୟ ଉପସ୍ଥାପନ କରିଥିଲେ। ଡଃ ସଦାମତେ ଆଗାମୀ ଦିନ ରେ ସୋଆ ପରିଦର୍ଶନ ର ଅଭିଳାଷ ନେଇ ଗବେଷଣା ସଂକ୍ରାନ୍ତ ରେ ସୋଆ ସହ ଆଗାମୀ ଦିନରେ ଅନୁବନ୍ଧିତ ହେବାକୁ ଆଶା ପ୍ରକଟ କରଥିଲେ। ପ୍ରଥମ ଦିବସ ଉତ୍ସବ ଓ ଜାତୀୟ ସ୍ତରର ଆଲୋଚନା ରେ ସୋଆ ଛାତ୍ର ମଙ୍ଗଳ ଅଧ୍ୟକ୍ଷ ଡଃ ଜ୍ୟୋତି ରଞ୍ଜନ ଦାଶ ଙ୍କ ସମେତ ସୋଆ, ଓୟୁଏଟି, ଶ୍ରୀ ଶ୍ରୀ, ଜିଆଈଟି,ଓ ତତ୍ସହିତ ଭାରତ ର ବିଭିନ୍ନ ପ୍ରମୁଖ କୃଷି ଗବେଷଣା ପ୍ରତିଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ର ୨୦୦ ରୁ ଉର୍ଦ୍ଧ୍ଵ ଶ୍ରୋତା ଓ ଅନୁସନ୍ଧିତ୍ସୁ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ରାଜୀବ କୁମାର ବେହେରା, ଡଃ ପ୍ରିୟବ୍ରତ ଭୋଇ, ଡଃ ଅଶୋକ କୁମାର ମହାପାତ୍ର (କ୍ଷେତ୍ର ବିଜ୍ଞାନ), ଡଃ ଚକ୍ରଧର ପାତ୍ର, ଅଧ୍ୟାପକ ରାକେଶ ଶତପଥୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Comments are closed.